ନୃତ୍ୟରେ ଶରଣାର୍ଥୀଙ୍କ କାହାଣୀ

ଭୁବନେଶ୍ୱର: ଆର୍ଟ ଭିଜନ୍‌ର ୧୪ତମ ‘ସଙ୍ଗମ’ ଫେଷ୍ଟିଭାଲ୍‌ ଆଜି ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ପରି ଏଥର ବି କାର୍ଯ୍ୟକ୍ରମ‌େର ଦୁଇଟି ଶୈଳୀର ନୃତ୍ୟ ପରିବେଷଣ କରାଯାଇଥିଲା। ଓଡ଼ିଶୀ ସମେତ ଭାରତ ନାଟ୍ୟମ୍‌ ନୃତ୍ୟ ପ୍ରଦର୍ଶିତ ହୋଇଥିଲା। ଆରମ୍ଭରେ ଆର୍ଟ ଭିଜନ୍‌ର କଳାକାରମାନଙ୍କ ଦ୍ବାରା ‘ରିଫ୍ୟୁଜି’ ନୃତ୍ୟ ପରିବେଷଣ ହୋଇଥିଲା। ସମାଜରେ ରିଫ୍ୟୁଜି ବା ଶରଣାର୍ଥୀମାନଙ୍କ ବାସ୍ତବିକ ସ୍ଥିତାବସ୍ଥାକୁ ନୃତ୍ୟରେ ଦର୍ଶକମାନଙ୍କୁ ଭେଟି ଦେଇଥିଲେ ଅନୁଷ୍ଠାନର କଳାକାର। ଦେବଦାସ ଛୋଟରାୟ ଏହାର ରଚନା କରିଥିବା ବେଳେ ଲକ୍ଷ୍ମୀକାନ୍ତ ପାଲିତଙ୍କ ସଂଗୀତ ନି‌େର୍ଦଶନା ଓ ତାଳ ସ˚ଯୋଜନା କରିଥିଲେ ସଚ୍ଚିଦାନନ୍ଦ ଦାସ। ନୃତ୍ୟ ସ˚ରଚନା କରିଥିଲେ ଇଲିଆନା ସିତାରିଷ୍ଟ। ୪୦ ମିନିଟ୍‌ ଧରି ଆୟୋଜିତ ଏହି ନୃତ୍ୟ ଦର୍ଶକଙ୍କ ମଧ୍ୟରେ ଭାବପ୍ରବଣତା ସୃଷ୍ଟି କରିଥିଲା। ଇଲିଆନାଙ୍କ ସହ ସାଗରିକା ମହାନ୍ତି, ମିନତି ମହାପାତ୍ର, ଉପାସନା ମହାନ୍ତି, ମୌସୁମୀ ମହାପାତ୍ର, ଦିବ୍ୟା ସୁପକାର, କେ. ଭାରତୀ, ଶ୍ରୁତିରେଖା ବିଶ୍ବାଳ, ପ୍ରିୟଙ୍କା ସାହୁ, ପ୍ରିୟଦର୍ଶିନୀ ମହାପାତ୍ର ଓ ଶୁଭଶ୍ରୀ ମହାପାତ୍ର ନୃତ୍ୟ ପରିବେଷଣ କରିଥିଲେ। ପରେ ପରେ ମୁମ୍ବାଇସ୍ଥିତ ସର୍ଫୋଜିରାଜି ଭୋସଲେ ସେଣ୍ଟରର ନୃତ୍ୟଶିଳ୍ପୀ ସଂଧ୍ୟା ପୁରେଚ୍ଛା ଓ ସାଥୀ ଭାରତ ନାଟ୍ୟମ୍‌ ପରିବେଷଣ କରିଥିଲେ। ମନୋଜ ଦେଶାଇଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଦୁହେଁ ‘ଅର୍ଥଶ୍ରୀଙ୍ଗାର’ ପରିବେଷଣ କରିଥିଲେ। ଆଜିର ଉତ୍ସବରେ ଅତିଥି ଭାବେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ପ୍ରିୟମ୍ବଦା ମହାନ୍ତି ହେଜମାଦି, ପୂର୍ବତନ ନାଲକୋ ସିଏମଡି ଏସ୍‌୍‌.କେ. ତାମୋଟିଆ ଓ ନୃତ୍ୟଶିଳ୍ପୀ ଶାଶ୍ବତ ଯୋଶୀ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ସଙ୍ଗୀତା ଗୋସାଇଁ କାର୍ଯ୍ୟକ୍ରମ ସ˚ଯୋଜନା କରିଥିଲେ।

ସମ୍ବନ୍ଧିତ ଖବର