ହୋ’ ଭାଷାରେ ପରୀକ୍ଷା ଦେଲେ ଜନଜାତି ଛାତ୍ରଛାତ୍ରୀ

ଚନ୍ଦ୍ରଶେଖରପୁର: ହୋ’ ଭାଷାର ପ୍ରଚାର ପ୍ରସାର ପାଇଁ ଶିକ୍ଷିତ ଜନଜାତି ଯୁବକ ଯୁବତୀ ଆଜି ଏହି ଭାଷାରେ ପରୀକ୍ଷା ଦେଇଛନ୍ତି। ଏହି ଭାଷାକୁ ସମ୍ମାନ ଜଣାଇ ସପ୍ତମ, ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା ଦେଇ ହୋ’ ଭାଷାରେ ଶିକ୍ଷାଗତ ଯୋଗ୍ୟତା ବଢ଼ାଇବା ଲକ୍ଷ୍ୟରେ ଏଭଳି ଉଦ୍ୟମ ହୋଇଛି। ହୋ’ଭାଷା ଶିକ୍ଷା କାଉନ୍‌ସିଲ୍‌ ବୋର୍ଡ, ଓଡ଼ିଶା ପକ୍ଷରୁ ଚନ୍ଦ୍ରଶେଖରପୁରସ୍ଥିତ ବୀର ବିର୍ସା ମୁଣ୍ଡା ବସ୍ତିରେ ଥିବା ହୋ’କ୍ଲବ୍‌ରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଛି। ଚଳିତ ବର୍ଷ ପ୍ରାୟ ୧୦୦ରୁ ଅଧିକ ଛାତ୍ରଛାତ୍ରୀ ସ୍କୁଲ୍‌ ଓ କଲେଜସ୍ତରୀୟ ପରୀକ୍ଷା ଦେଇଛନ୍ତି। ପରୀକ୍ଷା ବିଷୟଗୁଡ଼ିକ ମଧ୍ୟରେ ଓଡ଼ିଆ ଓ ଇଂରାଜୀ ସହ ପ୍ରାଥମିକ ଶିକ୍ଷାର୍ଥୀଙ୍କ ପାଇଁ ଗଇଁଡ଼୍‍(ଗଣିତ), ହୋ’ସନଙ୍ଗମ୍‌(ସାହିତ୍ୟ), ପିଟିକା(ବିଜ୍ଞାନ) ଓ ହିତାହାସା(ଇତିହାସ) ବିଷୟ ରହିଥିବା ବେଳେ ସେକେଣ୍ଡାରି ପରୀକ୍ଷାରେ ରହିଛି ଛିଟି ଗଇଁଡ଼(ଜ୍ୟାମିତି-ଗଣିତ), ସର୍‌ ହୋରା(ଧାର୍ମିକ), ହୋମୋୟୋମୋପିଟିକା(ଜୀବ ବିଜ୍ଞାନ) ଏବଂ ସଙ୍ଗମୋ ସଙ୍ଗୋମ(ସାହିତ୍ୟ)। ସେହିଭଳି କଲେଜ୍‌ ଶିକ୍ଷାର୍ଥୀମାନଙ୍କ ପାଇଁ ରାଇଜରଟି ପିଟିକା(ବିଜ୍ଞାନ), ସର୍‌ ହୋରା(ଧାର୍ମିକ), ସାଙ୍ଗାମୋମୋସାଲି(ନିଜ ଭାଷା ସାହିତ୍ୟ-ବ୍ୟାକରଣ) ଓ ହିତାହାସା(ଇତିହାସ) ରହିଛି। ଉଲ୍ଲେଖଯୋଗ୍ୟଯେ ଶାନ୍ତାଳ ଲିପି ପରେ ହୋ’ ଭାଷାର ସ୍ୱତନ୍ତ୍ର ଲିପି ସମ୍ବିଧାନରେ ମାନ୍ୟତା ପାଇଛି। ଏହି ଭାଷାର ପ୍ରଚାର ପ୍ରସାରକୁ ନେଇ ଗତ ୫ବର୍ଷ ହେବ ପ୍ରତିବର୍ଷ କିଛି ଛାତ୍ରଛାତ୍ରୀ ଏପରି ପରୀକ୍ଷା ଦେଇଆସୁଛନ୍ତି। ସାଧାରଣ ଓଡ଼ିଆ ଓ ଇଂଗ୍ରାଜୀ ଭାଷାରେ ଏହି ଆଦିବାସୀ ଯୁବକ ଯୁବତୀମାନେ ବିଭିନ୍ନ ବିଶ୍ୱ ବିଦ୍ୟାଳୟରେ ଉଚ୍ଚଶିକ୍ଷା ଅଧୟନ କରିବା ପରେ ଏବେ ହୋ’ଭାଷାରେ ମଧ୍ୟ ବିଭିନ୍ନ ଶ୍ରେଣୀର ପରୀକ୍ଷା ଦେଉଛନ୍ତି। ଆଜିର ପରୀକ୍ଷାକୁ ହୋ’ଭାଷା ଯୁବ ସଂଗଠକ ଗଣେଶ୍ୱର ଗାଗରାଇ ପରିଚାଳନା କରିଥିବା ବେଳେ, ହୋ’ସିବିଲ୍‌ ଗାଗାଇ ନାମକ ଏକ ଅନୁଷ୍ଠାନ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର