କୁଶଭଦ୍ରା ନଦୀରେ ଭାସିଗଲେ ଛାତ୍ର : ସ୍ଥାନୀୟ ଲୋକଙ୍କ ରାସ୍ତାରୋକ, ଓଡ୍ରାଫ୍‌ ଟିମ୍‌ ସହ ୩ଟି ବୋଟ୍‌ ସର୍ଚ୍ଚ ଅପରେସନରେ ସାମିଲ

ବାଲିପାଟଣା : ବାଲିପାଟଣା ଥାନା ଅନ୍ତର୍ଗତ ବନମାଳିପୁର କୁଶଭଦ୍ରା ନଦୀରେ ଆଜି ଜଣେ କଲେଜ ଛାତ୍ର ଭାସି ଯାଇଛନ୍ତି। ସ୍ଥାନୀୟ ଦିଓ୍ଵାନପାଟଣା ପୃଷ୍ଟି ସାହିର ଦୀପ୍ତିକାନ୍ତ ସାହୁ ଓରଫ୍‌ ସୁମା(୨୦) ନଦୀରେ ପହଁରୁଥିବା ବେଳେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ଦୀପ୍ତିକାନ୍ତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ଖବର ପାଇ ବାଲିପାଟଣା ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନଦୀରେ ଖୋଜାଖୋଜି କରି ବିଫଳ ହେବାରୁ ସ୍ଥାନୀୟ ଲୋକେ ରାଜରାସ୍ତାକୁ ଓହ୍ଲାଇଥିଲେ। କୁଶଭଦ୍ରା ବ୍ରିଜ ଉପରେ ରାସ୍ତାରୋକ କରି ତୁରନ୍ତ ଓଡ୍ରାଫ୍‌ ଟିମ୍‌କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରିବାକୁ ଦାବି କରିଥିଲେ। ଭୁବନେଶ୍ୱର ଓଡ୍ରାଫ୍‌ ଟିମ୍‌ ଭଦ୍ରକ ଓ ଯାଜପୁର ବନ୍ୟାରେ ନିୟୋଜିତ ଥିବାରୁ ଘଟଣାସ୍ଥଳରେ ପହଞ୍ଚିବାରେ ବିଳମ୍ବ ହୋଇଥିଲା। ଦିନ ପ୍ରାୟ ୪ଟା ବେଳେ ଓଡ୍ରାଫ୍‌ର ୩ଟି ବୋଟ କୁଶଭଦ୍ରା ନଦୀରେ ସନ୍ଧ୍ୟା ପର୍ଯ୍ୟନ୍ତ ବହୁ ଖୋଜାଖୋଜି କରିବା ପରେ ବି ଦୀପ୍ତିକାନ୍ତଙ୍କ ସନ୍ଧାନ ମିଳି ନଥିଲା।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ଦୀପ୍ତିକାନ୍ତ ଓ ତାଙ୍କର ୨ଜଣ ସାଥୀ ଆଜି ଗାଧୋଉଥିବା ବେଳେ ଗାଁପଟୁ ନଦୀରେ ପହଁରି ପହଁରି ଆରପଟ ମୁଣ୍ଡହଣାପାଟଣା ଗ୍ରାମ ପଟକୁ ଯାଉଥିଲେ। ନଦୀରେ ପ୍ରଖର ସ୍ରୋତ କାରଣରୁ ୨ଜଣ ସାଥୀ ନଦୀ ଅଧାରୁ ଫେରି ଯାଇଥିବା ବେଳେ ଦୀପ୍ତିକାନ୍ତ କିନ୍ତୁ ଆରପଟକୁ ପ୍ରାୟ ଚାଲି ଯାଇଥିଲେ। ମୁଣ୍ଡହଣାପାଟଣା ନଦୀ କୂଳକୁ ମାତ୍ର ୫ ରୁ ୧୦ ହାତ ଥିବା ବେଳେ ସେ ହାଲିଆ ହୋଇଯାଇଥିଲେ। ଧୀରେଧୀରେ ପାଣିରେ ବୁଡ଼ିବାକୁ ଆରମ୍ଭ କରିବାରୁ ନଦୀବନ୍ଧରେ ଥିବା ଲୋକେ ତାଙ୍କୁ ଦେଖି ବାଉଁଶ ଓ ଲୁଗା ପକାଇଥିଲେ। କିନ୍ତୁ ପ୍ରଖର ବନ୍ୟା ସ୍ରୋତ ଓ ଉକ୍ତ ସ୍ଥାନଟି ଗଣ୍ଡ ଥିବାରୁ ସେ ସେଠାରୁ ଭାସିବା ଆରମ୍ଭ କରିଥିଲେ। ସଙ୍ଗେସଙ୍ଗେ ସ୍ଥାନୀୟ ଲୋକେ ନଦୀକୁ ଡେଇଁ ଦୀପ୍ତିକାନ୍ତଙ୍କୁ ବହୁ ଖୋଜାଖୋଜି କରିଥିଲେ ବି ତାଙ୍କର ସନ୍ଧାନ ମିଳିନଥିଲା। ଦୀପ୍ତିକାନ୍ତ ବାଲିପାଟଣା କଲେଜରେ +୩ ବାଣିଜ୍ୟ ବିଭାଗର ଶେଷବର୍ଷର ଛାତ୍ର ବୋଲି ଜଣାପଡ଼ିଛି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ତାଙ୍କର ସନ୍ଧାନ ମିଳିପାରିନାହିଁ।

ସମ୍ବନ୍ଧିତ ଖବର