ଜେରୁଜେଲମ୍‌କୁ ଇସ୍ରାଏଲର ରାଜଧାନୀ ଘୋଷଣାକୁ ଏସ୍‌ୟୁସିଆଇ(ସି)ର ବିରୋଧ

ଭୁବନେଶ୍ୱର : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜେରୁଜେଲମକୁ ଇସ୍ରାଏଲର ରାଜଧାନୀ ଭାବେ ଷୋଷଣା କରିବାକୁ ସୋସିଆଲିଷ୍ଟ ୟୁନିଟି ସେଣ୍ଟର ଅଫ୍‌ ଇଣ୍ଡିଆ(କମ୍ୟୁନିଷ୍ଟ) ଏସ୍‌ୟୁସିଆଇ(ସି) ଓଡ଼ିଶା ରାଜ୍ୟ କମିଟି ବିରୋଧ କରିଛି। ଏହାର ପ୍ରତିବାଦରେ ସଂଗଠନ ପକ୍ଷରୁ ଲୋୟର ପିଏମ୍‌ଜିରେ ଆଜି ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ସଂଗଠନ ପକ୍ଷରୁ କୁହାଯାଇଛି, ସମଗ୍ର ମଧ୍ୟପ୍ରାଚ୍ୟକୁ ନିଜ ନିୟନ୍ତ୍ରଣକୁ ନେଇ ତୈଳ ଖଣି ଅକ୍ତିଆର କରିବା ଆମେରିକାର ଉଦ୍ଦେଶ୍ୟ। ଆମେରିକାର ସଖୀକଣ୍ଢେଇ ଇସ୍ରାଏଲ ପାଲେଷ୍ଟାଇନକୁ ନିଜ ଅକ୍ତିଆରକୁ ନେବା ପାଇଁ ଆଠ ଦଶନ୍ଧି ଧରି ଆକ୍ରମଣ ଚଳାଇ ଆସିଛି। ତୈଳ ସମ୍ପଦ ଉପରେ ନିଜ କର୍ତ୍ତୃତ୍ୱ ଜାହିର ପାଇଁ ଆମେରିକା ସମସ୍ତ ଆନ୍ତର୍ଜାତିକ ନିୟମକୁ ଭାଙ୍ଗି ଚାଲିଛି। ଜେରୁଜେଲମକୁ ଦଖଲ କରିବା ଏହାର ସଦ୍ୟତମ ଉଦାହରଣ। ସମସ୍ତ ଗଣତନ୍ତ୍ରପ୍ରେମୀ ଜନସାଧାରଣ ପାଲେଷ୍ଟାଇନ୍‌ର ଏହି ଐତିହାସିକ ଲଢ଼େଇ ପ୍ରତି ସମର୍ଥନ ଜଣାଇବାକୁ ଏସ୍‌ୟୁସିଆଇ(ସି) ନିବେଦନ କରିଛି। ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ସଂଗଠନର କର୍ମକର୍ତା ଛବି ମହାନ୍ତି, ଜୟସେନ ମେହେର, ସ୍ୱୟଂପ୍ରଭା ନାୟକ, ଅଶୋକ ମିଶ୍ର, ସୁବାସ ନାୟକ, ରାଜେନ୍ଦ୍ର ବର୍ମା ଓ ତୀର୍ଥବାସୀ ଭୋଇ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର