ପ୍ରେମ ପାଇଁ ଜୀବନ ହାରିଲେ

ହୋଟେଲ୍‌ରୁ ବଙ୍ଗୀୟ ଯୁବକ ଓ ମହିଳାଙ୍କ ଝୁଲନ୍ତା ମୃତଦେହ ଜବତ ଘଟଣା

ଭୁବନେଶ୍ୱର: ଗୁରୁବାର ସନ୍ଧ୍ୟାରେ ଅଶୋକନଗର ସ୍ଥିତ ହୋଟେଲ୍‌ ସେନାପତି ପ୍ୟାଲେସ୍‌ରୁ ବଙ୍ଗୀୟ ଯୁବକ ଶୁଭଙ୍କର ମାଝୀ ଓ ମହିଳା ଟୁମ୍ପାରାଣୀ ପାଖିରାଙ୍କ ଝୁଲନ୍ତା ମୃତଦେହ ଜବତ ଘଟଣାର ପର୍ଦାଫାସ କରିଛି କ୍ୟାପିଟାଲ ଥାନା ପୁଲିସ। ପ୍ରେମ ସମ୍ପର୍କକୁ ନେଇ ଉଭୟ ଏଭଳି କରିଥିବା ପୁଲିସ କହିଛି। ପୁଲିସ ଟୁମ୍ପାଙ୍କ ସ୍ୱାମୀ ଉତ୍ତମ ପାଖିରା ଓ ଶୁଭଙ୍କରଙ୍କ ସାନଭାଇ ଶୁଭେନ୍ଦୁ ମାଝୀଙ୍କ ବୟାନ ରେକର୍ଡ କରିଛି। ଉତ୍ତମଙ୍କ କହିବା ଅନୁଯାୟୀ, ୧୭ ବର୍ଷ ତଳେ ସେ ଟୁମ୍ପାଙ୍କୁ ବିବାହ କରିଥିଲେ। ତାଙ୍କର ଗୋଟିଏ ପୁଅ(୧୬) ଓ ଗୋଟିଏ ଝିଅ(୧୫) ଅଛନ୍ତି। ବିବାହର ୫ ବର୍ଷ ପରେ ଚାକିରି ଅନେ୍ଵଷଣରେ ଆନ୍ଧ୍ରପ୍ରଦେଶ ବିଜୟଓ୍ଵାଡ଼ା ଚାଲିଆସିଥିଲେ। ସେଠାରେ ଏକ ସୁନାଦୋକାନରେ କାମ କରୁଥିଲେ। କିଛିଦିନ ପରେ ସମସ୍ତେ ବିଜୟଓ୍ଵାଡ଼ା ଚାଲିଆସିଥିଲେ। ମଝିରେ ମଝିରେ ହାଓ୍ଵଡ଼ା ଶ୍ୟାମପୁର ଥାନା ଅଞ୍ଚଳରେ ଥିବା ଘରକୁ ଆସୁଥିଲେ। ଯେତେବେଳେ ଘରକୁ ଆସନ୍ତି ସେତେବେଳେ ପଡ଼ୋଶୀ ଗାଁର ଶୁଭଙ୍କରଙ୍କ କାର୍‌ରେ ପରିବାର ସହ ବୁଲାବୁଲି କରନ୍ତି। ଏହି ସମୟରେ ଉତ୍ତମ ଓ ଶଭଙ୍କରଙ୍କ ପରିବାର ସହିତ ସମ୍ପର୍କ ନିବିଡ଼ ହୋଇଥିଲା। ଏପରିକି ଟୁମ୍ପା ଓ ଶୁଭଙ୍କରଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ୧୯ ତାରିଖରେ ଉତ୍ତମ ପରିବାର ସହିତ ଶ୍ୟାମପୁର ଆସିଥିଲେ। ୨୧ତାରିଖ ରାତିରେ ଉଭୟ ଭୁବନେଶ୍ୱର ଚାଲି ଆସିଥିଲେ। ଟୁମ୍ପାଙ୍କୁ ନପାଇ ଉତ୍ତମ ଶ୍ୟାମପୁର ଥାନାରେ ଅଭିଯୋଗ କରିଥିଲେ। ୨୩ ତାରିଖରେ ଟୁମ୍ପା ନିଜଆଡ଼ୁ ଉତ୍ତମଙ୍କୁ କଲ୍‌ କରି ତାଙ୍କୁ ନ ଖୋଜିବାକୁ କହିଥିଲେ। ତେବେ ଲୋକଲଜ୍ୟା ଭୟରେ ସେମାନେ ସେହିଦିନ ରାତିରେ ହିଁ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଥିଲେ। ସେହିପରି ଶଙ୍କରଙ୍କ ସାନଭାଇ କହିଛନ୍ତି ଯେ, ସେ ଉଭୟଙ୍କ ପ୍ରେମ ସମ୍ପର୍କରେ ଜାଣି ନଥିଲେ। ତେବେ ୨୪ ତାରିଖରେ ଶ୍ୟାମପୁର ଥାନା ପୁଲିସ ଖବର ଦେବାପରେ ଘଟଣା ବିଷୟରେ ଜାଣିବାକୁ ପାଇଥିଲେ।

ସମ୍ବନ୍ଧିତ ଖବର