ଏଣିକି ଜଟିଳ ଚକ୍ଷୁରୋଗ ଚିକିତ୍ସାରୁ ବଞ୍ଚିତ ହେବେନି ନବଜାତ, ସୁନେତ୍ର ଯୋଜନାରେ ମିଳିବ ମାଗଣାରେ ଚିକିତ୍ସା
କ୍ୟାପିଟାଲ ହସ୍ପିଟାଲ ସମେତ ୫ ମେଡିକାଲ୍ କଲେଜ୍ରେ ରେଟ୍କ୍ୟାମ୍ ଓ ଲେଜର୍ ଯନ୍ତ୍ର ଉବଲବ୍ଧ
ଭୁବନେଶ୍ବର : ଏଣିକି ଜଟିଳ ଚକ୍ଷୁରୋଗ ଚିକିତ୍ସାରୁ ବଞ୍ଚିତ ହେବେନି ନବଜାତ। ନବଜାତ ଶିଶୁଙ୍କ ଚକ୍ଷୁରୋଗ ଚିକିତ୍ସା ପାଇଁ ରାଜ୍ୟ ସରକାର ‘ସୁନେତ୍ର’ ଯୋଜନାରେ ମାଧ୍ୟମରେ ମାଗଣା ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି। ଏଥିପାଇଁ କ୍ୟାପିଟାଲ ହସ୍ପିଟାଲର ଏସ୍ଏନ୍ସିୟୁ ସମେତ ଏସ୍ସିବି ମେଡିକାଲ କଲେଜ, ଭୀମ୍ସାର, ଏମ୍କେସିଜି, ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏସ୍ଏନ୍ସିୟୁକୁ ଯନ୍ତ୍ରପାତି ଯୋଗାଇ ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସମୟ ପୂର୍ବରୁ ଜନ୍ମ ହେଉଥିବା ଓ କମ୍ ଓଜନର ଶିଶୁଙ୍କ ଚକ୍ଷୁର ଅନ୍ତଃପଟ୍ଟଳରେ ରକ୍ତବାହୀ ଶିରାପ୍ରଶିରାଗୁଡ଼ିକ ଅନେକ ସମୟରେ ଅସ୍ବାଭାବିକ ଭାବେ ବଢ଼ିଥାଏ। ଠିକଣା ସମୟରେ ଏହାର ଚିକିତ୍ସା ନହେଲେ ଶିଶୁମାନଙ୍କର ବୟସ ବୃଦ୍ଧି ସହିତ ଦୃଷ୍ଟିଶକ୍ତି ହରାଇବାର ସମ୍ଭାବନା ଥାଏ। ଜନ୍ମ ପରେ ଏସ୍ଏନ୍ସିୟୁରେ ରହୁଥିବା ପିଲାଙ୍କ ଚକ୍ଷୁର ଆରଓପି ସ୍କ୍ରିନିଂ କରାଯାଇଥାଏ। ଏହି ପରୀକ୍ଷା ଲାଗି ପ୍ରାୟ ଦେଢ଼ କୋଟି ଟଙ୍କା ମୂଲ୍ୟର ‘ରେଟ୍କ୍ୟାମ୍’ ଓ କୋଟିଏରୁ ଅଧିକ ଟଙ୍କା ମୂଲ୍ୟର ‘ଲେଜର ଯନ୍ତ୍ର’ ଆବଶ୍ୟକ ହୋଇଥାଏ। ରେଟ୍କ୍ୟାମ୍ରେ ଶିଶୁଙ୍କ ଚକ୍ଷୁର ପରୀକ୍ଷା ପରେ ଆବଶ୍ୟକସ୍ଥଳେ ସେମାନଙ୍କର ଲେଜର ଚିକିତ୍ସା କିମ୍ବା ଇଞ୍ଜେକ୍ସନ ଦେବାକୁ ପଡ଼ିଥାଏ। ତେବେ ଏହି ଚିକିତ୍ସା ଏବେ ସରକାରୀ ମେଡିକାଲ୍ରେ ବିନା ମୂଲ୍ୟରେ ମିଳିବ।
କ୍ୟାପିଟାଲ୍ ହସ୍ପିଟାଲର ଏସ୍ଏନ୍ସିୟୁରେ ଶିଶୁରୋଗ ବିଶେଷଜ୍ଞଙ୍କ ସହିତ ଦିଲ୍ଲୀ ଏମ୍ସରୁ ସ୍ବତନ୍ତ୍ର ତାଲିମପ୍ରାପ୍ତ ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ଅଶ୍ବିନୀ ମେହେର୍ଦ୍ଦା ଏବଂ ତାଙ୍କ ଟିମ୍ ଏହି ଜଟିଳ ଚିକିତ୍ସା କରୁଛନ୍ତି। ଏବେ ସୁଦ୍ଧା ଏଠାରେ ୧୮୬ ଶିଶୁଙ୍କ ଚକ୍ଷୁର ଆରଓପି ସ୍କ୍ରିନିଂ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬ଜଣ ଶିଶୁଙ୍କ ଚକ୍ଷୁରେ ଲେଜର୍ ଚିକିତ୍ସା ଓ ଆଉ ୬ଜଣଙ୍କୁ ଆଣ୍ଟି ଭେଜ୍ ଇଞ୍ଜେକ୍ସନ୍ ଦିଆଯାଇଛି। ଏହି ଇଞ୍ଜେକ୍ସନର ବଜାରର ମୂଲ୍ୟ ୨୦ ହଜାର ଟଙ୍କାରୁ ଅଧିକ ହୋଇଥିବା ବେଳେ ଏହା ସମ୍ପୂର୍ଣ୍ଣ ମାଗଣାରେ ମିଳୁଥିବା ଡାକ୍ତର ମେହେର୍ଦ୍ଦା କହିଛନ୍ତି। ତେବେ ପୂର୍ବରୁ ସୁନେତ୍ର ଯୋଜନାରେ କ୍ୟାପିଟାଲ ହସ୍ପିଟାଲ୍ରେ ବ୍ୟୟବହୁଳ ରେଟିନା ଅପରେସନ୍ ଆରମ୍ଭ ହୋଇଛି। ଘରୋଇ ଡାକ୍ତରଖାନାରେ ଏଥିପାଇଁ ରୋଗୀଙ୍କୁ ୫୦ରୁ ୬୦ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଥିବା ବେଳେ ଏଠାରେ ବିନା ମୂଲ୍ୟରେ ଚିକିତ୍ସା ହୋଇପାରୁଛି। ଖାଲି ସେତିକି ନୁହେଁ, ମଧୁମେହ ରୋଗୀଙ୍କ ଚକ୍ଷୁରେ ଆବଶ୍ୟକ ପଡ଼ୁଥିବା ଦାମୀ ଇଞ୍ଜେକ୍ସନ୍ ମଧ୍ୟ ମାଗଣାରେ ଯୋଗାଇ ଦିଆଯାଉଛି।