ସୁର ଓ ରଶ୍ମିଙ୍କ ପ୍ରାର୍ଥିପତ୍ର ଦାଖଲ

ପୁରୁଣା ଭୁବନେଶ୍ୱର: ଆଜି ନାମାଙ୍କନର ଦ୍ୱିତୀୟ ଦିନରେ ୩ଜଣ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏକାମ୍ର ନିର୍ବାଚନମଣ୍ଡଳୀରୁ ରଶ୍ମି ମହାପାତ୍ର ଓ ଜଟଣୀ ନିର୍ବାଚନମଣ୍ଡଳୀରୁ ସୁରେଶ କୁମାର ରାଉତରାୟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ରଶ୍ମି ଶ୍ରୀଲିଙ୍ଗରାଜ ମନ୍ଦିରଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ରାମେଶ୍ୱର ମନ୍ଦିର ନିକଟରେ ପହଞ୍ଚିଥିଲେ। ରାମେଶ୍ୱର ପାଟଣାଠାରେ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ ନିଜ କର୍ମୀ ଓ ରଶ୍ମି ନିଜର କର୍ମୀଙ୍କୁ ଧରି ଏକ ବିରାଟ ଶୋଭାଯାତ୍ରାରେ ବାହାରିଥିଲେ। ଉଭୟ ଗୋଟିଏ ଖୋଲା ଜିପ୍‌ରେ ଶୋଭାଯାତ୍ରାରେ ବାହାରି ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ। ସେମାନଙ୍କ ସହ ‌ସାମିଲ ହୋଇଥିଲେ କଂଗ୍ରେସ ସମର୍ଥିତ ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ଜନାର୍ଦ୍ଦନ ପତି। କର୍ମୀମାନଙ୍କ ସହ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରେ ପ୍ରବେଶ କରିବା ସମୟରେ ବହୁ ସଂଖ୍ୟାରେ କର୍ମୀମାନେ ଭିତରକୁ ଯିବା ପାଇଁ ଚେଷ୍ଟା କରିଥିଲେ। ଏହି ସମୟରେ ପୁଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ଗହଳି ଭିତରେ ରଶ୍ମି ଝୁଣ୍ଟି ପଡ଼ିବା ସହ କିଛି କର୍ମୀ ପଡ଼ି ଯାଇଥିଲେ। ଚଳିତ ନିର୍ବାଚନରେ ଏକାମ୍ରରେ ରଶ୍ମି ଜିତିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିବା ବେଳେ ସୁର ଜଟଣୀରୁ ଶେଷଥର ନିର୍ବାଚନ ଲଢ଼ୁଥିବାରୁ ନିଶ୍ଚୟ ବିଜୟ ଲାଭ କରିବେ ବୋଲି କର୍ମୀମ‌ାନେ ଆଶାବ୍ୟକ୍ତ କରିଛନ୍ତି। ଜଟଣୀରେ ଏବେ ବହୁ ଉନ୍ନତିମୂଳକ କାମ କରିବାକୁ ପଡ଼ିବ ବୋଲି ଶ୍ରୀ ରାଉତରାୟ କହିଥିଲେ। ଦୁହିଁଙ୍କ ବାଦ୍ ଏକାମ୍ରରୁ ଫ୍ରି ଥଟ୍‌ ପାର୍ଟି ପକ୍ଷରୁ ମଧ୍ୟ ସ୍ବପ୍ନା ବିଜୟିନୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ସୁରଙ୍କ ସଂପତ୍ତି କମିଛି: ଜଟଣୀ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିବା କଂଗ୍ରେସ ପ୍ରାର୍ଥୀ ସୁରେଶ ରାଉତରାୟଙ୍କ ଗତଥର ତୁଳନାରେ ପ୍ରାୟ ୭ଲକ୍ଷ ଟଙ୍କାର ସଂପତ୍ତି କମିଛି। ୨୦୧୪ ନିର୍ବାଚନରେ ଶ୍ରୀ ରାଉତରାୟଙ୍କ ନିକଟରେ ୧୮ଲକ୍ଷ ୯୪ହଜାର ୨୫୫ଟଙ୍କାର ଅସ୍ଥାବର ସଂପତ୍ତି ରହିଥିବା ବେଳେ ଚଳିତଥର ତାହା ୧୦ଲକ୍ଷ ୩୬ହଜାର ୫୫୭ଟଙ୍କାକୁ ଖସି ଆସିଥିବା ସତ୍ୟପାଠରେ ଦର୍ଶାଇଛନ୍ତି। ଗତଥର ତାଙ୍କ ପତ୍ନୀଙ୍କ ନିକଟରେ ୬୨ଲକ୍ଷ ୧୦ହଜାର ୨୩୬ଟଙ୍କା ମୂଲ୍ୟରେ ଅସ୍ଥାବର ସଂପତ୍ତି ରହିଥିବା ବେଳେ ଏଥର ତାହା ୪୩ଲକ୍ଷ ୩୨ଲକ୍ଷ ୯୯୭ଟଙ୍କାକୁ ଖସିଛି। ଗତଥର ସୁର ୭ଲକ୍ଷ ଟଙ୍କାର ଋଣ କରିଥିଲେ, ‌ହେଲେ ଏଥର କୌଣସି ଋଣ ନ ଥିବା ଦର୍ଶାଇଛନ୍ତି। ସୁରଙ୍କ ନାଁରେ କୌଣସି ଚାଷ ଜମି ନାହିଁ। ତେବେ ତାଙ୍କ ନିକଟରେ ଗତଥର ଭଳି ୨୭୦ଗ୍ରାମ୍‌ର ସୁନା ଅଳଙ୍କାର ରହିଛି। ଯାହାର ମୂଲ୍ୟ ୮ଲକ୍ଷ ୧୦ହଜାର ଟଙ୍କା ହେବ। ତାଙ୍କ ହାତରେ ୧୮ହଜାର ୫୨୭ ଟଙ୍କା ଥିବା ବେଳେ ପତ୍ନୀଙ୍କ ହାତରେ ୨୧ହଜାର ୩୧୫ଟଙ୍କା ରହିଛି। ସେହିପରି ବ୍ୟାଙ୍କରେ ଫିକ୍‌ସଡ ଡିପୋଜିଟ୍‌ ମଧ୍ୟ ଖସି ଆସିଛି।

ସମ୍ବନ୍ଧିତ ଖବର