ପାର୍କ ନୁହେଁ କଳ୍ପନା ରାଇଜ

ଜସ୍ମିନ୍‌ଙ୍କ ହୃଦୟ ଜିଣିବା ପାଇଁ ଆଲ୍ଲାଦିନ୍‌ଙ୍କ ଉଡ଼ନ୍ତା କାର୍ପେଟ୍‌ ବାବଦରେ ଆପଣ ପଢ଼ିଥିବେ। ଜର୍ମାନୀର ରାପୁଞ୍ଜେଲ୍‌ କାହାଣୀର ଲମ୍ବା ବେଣି କଥା ବି ଗପ ବହିରୁ ପଢ଼ିଥିବେ। ଗପର ଏହି ଅଦ୍ଭୁତ ବସ୍ତୁ ଓ ବ୍ୟକ୍ତିଙ୍କୁ ଆପଣ ହୁଏତ କେବଳ ପରିକଳ୍ପନା କରିଥିବେ। ମାତ୍ର ଗପର ଏହି ରହସ୍ୟମୟ ଚିତ୍ର ଓ ଚରିତ୍ରଙ୍କୁ ଏକାଠି ଦେଖିବାର ସୁଯୋଗ ଦେଉଛି ରାଜଧାନୀର ୩ ପାର୍କ। ବିଡିଏ ଓ ବକୁଲ୍‌ ଫାଉଣ୍ଡେସନ୍‌ ପକ୍ଷରୁ ‘ଭୁଫେଷ୍ଟୋ’ରେ ଯେ କେବଳ ଗପର ପେଡ଼ି ଖୋଲିଛି ତାହା ନୁହେଁ, ବରଂ ଗପର ଦୁନିଆକୁ ସ୍ବଚକ୍ଷୁରେ ଉପଲବ୍ଧି କରିବାର ଅବକାଶ ଆଣି ଦେଇଛି।

ଆଇଜି ପାର୍କରେ ରାପୁଞ୍ଜେଲ୍‌ଙ୍କ ଲମ୍ବା ବେଣି
ଆଇଜି ପାର୍କ ମଧ୍ୟରେ ଶୋଭା ପାଉଛି ସି‌ଣ୍ଡ୍ର‌େଲା ହିଲ୍‌ଠୁ ନେଇ ଯାଦୁକରୀ ଆଇନା। ବିଶେଷକରି ଯାଦୁକରୀ ଆଇନା ଉପରେ ଏପରି ଆଲୋକ ପଡ଼ୁଛି, ଯାହା ଜଣେ ବ୍ୟକ୍ତିଙ୍କ ଫଟୋକୁ ଏକଦମ ଧଳା କରିଦେଉଛି। ଲାଗୁଛି ଯେମିତି ବରଫ ଖସୁଛି। ଏହି ଆଇନା ପଛରେ ଛିଡ଼ା ହୋଇ ଫଟୋ ଉଠାଇବା ପାଇଁ ବେଶ୍‌ ଆଗ୍ରହ ପରିଲକ୍ଷିତ ହେଉଛି। ତେବେ ଆହୁରି ଆକର୍ଷଣ ସାଜିଛି ରାପୁ‌ଞ୍ଜେଲ୍‌ଙ୍କ ଲମ୍ବା ବେଣି। ଏହି ବେଣି ଏକ ଝରକା ବାଟ ଦେଇ ତଳକୁ ଖସି ପଡ଼ିଥିବା ଭଳି ମନେ ହେଉଛି। ସଂଜ ହେଲେ ସ୍ଥାପତ୍ୟଗୁଡ଼ିକ ଝଲସୁଛି। ୟୁରୋପର ଗ୍ରିମିର ଲୋକକଥା ତଥା ଗଳ୍ପକୁ ନେଇ ଶିଳ୍ପୀ ସ୍ମୃତିକାନ୍ତ ରାଉତ ଏହି ଚିତ୍ରକୁ ପ୍ରସ୍ତୁତ କରିଛନ୍ତି।

ଖାରବେଳ ପାର୍କରେ ଉଡ଼ନ୍ତା କାର୍ପେଟ୍‌
ଖାରବେଳ ପାର୍କରେ ଆରବିୟାନ ରାତ୍ରିକୁ ଉପଭୋଗ କରିବାର ଅବକାଶ ଜୁଟିଛି। ଏହି ପାର୍କ ମଧ୍ୟରେ ଗପରେ ପଢ଼ିଥିବା ବିଭିନ୍ନ ଆଶ୍ଚର୍ଯ୍ୟ ସ୍ଥାନିତ ହୋଇଛି। ବିଶେଷକରି ଆଲ୍ଲାଦିନ୍‌ଙ୍କ ଉଡ଼ନ୍ତା କାର୍ପେଟ୍‌କୁ ଏଠାରେ ଦେଖିବାର ଅବସର ମିଳିଛି। ଖାଲି ସେତିକି ନୁହେଁ, ଆରବିଆନ୍‌ ରାତ୍ରିରେ ୩ଟି ଇଚ୍ଛା ପୂରଣ କରିଥିବା ସେହି କାଳ୍ପନିକ ଲ୍ୟାମ୍ପ୍‌ ବା ବତି ସ୍ଥାନିତ ହୋଇଛି। ଏଥିସହ ଆରବିୟାନ୍‌ ରାତ୍ରିକୁ ଚିତ୍ର ମାଧ୍ୟମରେ ପଢ଼ିବା ପାଇଁ ଛିଡ଼ା ହୋଇ ରହିଛି ଏକ ମଣିଷ ଉଚ୍ଚ ପୁସ୍ତକ। ଏହି ସ୍ଥାପତ୍ୟଗୁଡ଼ିକୁ ନିତ୍ୟାନନ୍ଦ ଓଝା ଉପସ୍ଥାପନ କରିଛନ୍ତି।

ବୁଦ୍ଧ ପାର୍କରେ ପଞ୍ଚତନ୍ତ୍ରର ଦୁନିଆ
ବୁଦ୍ଧ ପାର୍କ ପାଲଟିଛି ପଞ୍ଚତନ୍ତ୍ରର ଦୁନିଆ। ଆପଣ ତୃଷ୍ଣାତୁର କାଉ ଶୋଷ ମେଣ୍ଟାଇବା ପାଇଁ ମାଠିଆରେ ଗୋଡ଼ି ପକାଇ ଶେଷରେ ପାଣି ପିଇଥିବା ଗପ ତ ଶୁଣିଥିବେ ମାତ୍ର ଏହି ପରିକଳ୍ପିତ କାହାଣୀ ସ୍ଥାପତ୍ୟରେ ରୂପ ଦେଇଛନ୍ତି ଶିଳ୍ପୀ ପ୍ରତାପ ଚନ୍ଦ୍ର ଜେନା। ସେହିଭଳି ମାଙ୍କଡ଼ କଲିଜା ଖାଇବା ପାଇଁ କୁମ୍ଭୀରର ଚାଲାକି ଏବଂ ପରେ ମାଙ୍କଡ଼ର ଚାଲାକି କଥା ଗପରେ ପଡ଼ି ଉଲ୍ଲାସିତ ହୋଇଥିବା ବେଳେ ଏହାକୁ ସ୍ଥାପତ୍ୟରେ ଉପସ୍ଥାପନ କରାଯାଇଛି। ଏଥିସହ ଖୋଲା ବହିର ସ୍ଥାପତ୍ୟ ରୂପ ମଧ୍ୟ ନିଆରା ଅନୁଭବ ଦେଉଛି।

ସମ୍ବନ୍ଧିତ ଖବର