ଚନ୍ଦ୍ରଶେଖରପୁର : ବ୍ୟାଙ୍କ ଅଧିକାରୀ ଓ ଅଧ୍ୟାପିକାଙ୍କ ଟିଣ୍ଡର ଆପ୍ ପ୍ରେମ ଓ ପରେ ଶାରୀରିକ ସମ୍ପର୍କ ମାମଲାରେ ଆଜି ପୁଣି ଥରେ ବ୍ୟାଙ୍କ ଅଧିକାରୀ ସୁନୀଲ୍ ମିଶ୍ରଙ୍କ ମା’ ଓ ମହିଳା ସଂଗଠନର ସଦସ୍ୟାମାନେ ଚନ୍ଦ୍ରଶେଖରପୁର ଥାନା ସମ୍ମୁଖରେ ଧାରଣାରେ ବସିଥିଲେ। ସୂଚନା ପାଇ ଜୋନ୍ ଏସିପି ପ୍ରକାଶ କୁମାର ପାଲ ବୁଝାଶୁଝା କରିବା ସତ୍ତ୍ବେ ମଧ୍ୟ ମିହଳା ମାନେ ଓ ସୁନୀଲଙ୍କ ମା’ ରାତି ୧୧ଟା ପର୍ଯ୍ୟନ୍ତ ଧାରଣାରେ ବସିଥିଲେ। ପୁଅକୁ ନ୍ୟାୟ ଓ ଅଧ୍ୟାପିକାଙ୍କୁ ଗିରଫ ଦାବି ପୂରଣ ନହେଲେ ଆତ୍ମହୁତି ଦେବେ ବୋଲି ସୁନୀଲଙ୍କ ମା’ ଧମକ ଦେବାରୁ ମହିଳା ପୁଲିସ୍ ଧାରଣା ସ୍ଥାନରେ ପହରା ଦେଇଥିଲେ। ରାତି ପ୍ରାୟ ୧୧ଟା ବେଳେ ସେ ଆତ୍ମହୁତି ଦେବାକୁ ଉଦ୍ୟମ କରିବାରୁ ପୁଲିସ୍ ତାଙ୍କୁ ଅଟକାଇଥିଲା। ଫଳରେ ସେ ଓହରି ଯାଇଥିଲେ। ମହିଳାମାନଙ୍କ ଖବର ଅନୁଯାୟୀ ଅଧ୍ୟାପିକା ମଧ୍ୟ ସମାନ ଦୋଷ କରିଛନ୍ତି। ସୁନୀଲଙ୍କୁ ଗିରଫ କରାଯାଇଥିବା ବେଳେ ଅଧ୍ୟାପିକାଙ୍କୁ କାହିଁକି ଛାଡ଼ିଦିଆଗଲା ବୋଲି ମହିଳାମାନେ ପ୍ରଶ୍ନ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, ବ୍ୟାଙ୍କ ଅଧିକାରୀ ସୁନୀଲଙ୍କ ମା’ ଏକ ମହିଳା ସଙ୍ଗଠନ ସହ ମିଶି ଗତ ମଙ୍ଗଳବାର ଚନ୍ଦ୍ରଶେଖରପୁର ଥାନା ଘେରାଉ କରିଥିଲେ। ୪୮ ଘଣ୍ଟା ଭିତରେ ଯୁବତୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ବୋଲି ମହିଳା ସଙ୍ଗଠନକୁ ପୁଲିସ ପ୍ରତିଶ୍ରୁତି ଦେଇଥିବା ସଙ୍ଗଠନ ପକ୍ଷରୁ କୁହାଯାଇଥିଲା। ହେଲେ ଗୁରୁବାର ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବାରୁ ଆଜି ମହିଳା ସଙ୍ଗଠନ ସହ ସୁନୀଲଙ୍କ ମା’ ପୁଣିଥରେ ଥାନା ସମ୍ମୁଖରେ ଧାରଣା ଦେଇଥିଲେ। ଏ ସମ୍ପର୍କରେ ପୁଲିସ କହିଛି ସେ’ ତା’ର କାର୍ଯ୍ୟ କରିଛି। ଅଭିଯୋଗ କରୁଥିବା ଲୋକମାନେ କୋର୍ଟର ଆଶ୍ରୟ ନେଇପାରନ୍ତି।