ଆଜି ବିଶ୍ବ ରଙ୍ଗମଞ୍ଚ ଦିବସ: ରୋଜଗାର ଦେଉନି ରଙ୍ଗମଞ୍ଚ

0

ଭୁବନେଶ୍ବର: ୧୮୭୭ ମସିହାରେ ମାହାଙ୍ଗାର କୋଟପଦାରେ ନାଟକ ‘ବାବାଜୀ’ରୁ ଆରମ୍ଭ ହୋଇଥିଲା ଓଡ଼ିଆ ନାଟକର ଅଭିଯାନ। ତତ୍କାଳୀନ ଜମିଦାର ଜଗନମୋହନ ଲାଲାଙ୍କ ରଚନା ଓ ନିର୍ଦେଶନାରେ ଛାମୁଡ଼ିଆ ତଳେ ଓଡ଼ିଆ ନାଟକର ସ୍ତମ୍ଭ ସ୍ଥାପନ ହୋଇଥିଲା। ଇତିମଧ୍ୟରେ ଓଡ଼ିଆ ନାଟକର ୧୫୦ ବର୍ଷ ପୂର୍ତି ବି ପାଳନ ସରିଛି। ମାତ୍ର ରଙ୍ଗମଞ୍ଚ ତା’ କୋଳରେ ପେସାଦାରଙ୍କୁ ବାନ୍ଧିପାରିନି। କାରଣ ଆଜି ବି ନାଟ୍ୟ ସଂସ୍ଥା ରୋଜଗାରିଆ ହୋଇପାରିନି। ବିଂଶ ଶତାବ୍ଦୀର ଆରମ୍ଭରେ ନାଟକଟିଏ ଦେଖିବାକୁ ଲୋକେ ଟିକେଟ୍‌ ପାଇଁ ଲାଇନ୍‌ ଲଗାଉଥିଲେ। ଅଥଚ ଆଜିକାଲିର ନାଟ୍ୟସଂସ୍ଥାକୁ ନାଟକଟିଏ କରିବାକୁ ସରକାରଙ୍କ ସଂସ୍କୃତି ବିଭାଗ, ବ୍ୟବସାୟୀ କିମ୍ବା ବଦାନ୍ୟ ବ୍ୟକ୍ତିଙ୍କ ଆଗରେ ଗୋଡ଼ ଭାଙ୍ଗି ଠିଆ ହେବାକୁ ପଡ଼ୁଛି। ରାଜ୍ୟରେ ୧୪୭ରୁ ଅଧିକ ନାଟ୍ୟଦଳ ଅଛନ୍ତି। ଅଥଚ ଟିକେଟ୍‌ କାଟି ‌ନାଟକ ଦେଖାଇବାକୁ କେହି ସାହସ ମଧ୍ୟ ଜୁଟାଇ ପାରୁନାହାନ୍ତି।

ମହାରାଷ୍ଟ୍ରରେ ପେସାଦାର ନାଟ୍ୟଦଳ ଅଛନ୍ତି। ପେସାଦାର ନାଟ୍ୟ ବ୍ୟକ୍ତିତ୍ବମାନେ ମଧ୍ୟ ଅଛନ୍ତି। ସେମାନେ କେବଳ ମଂଚ ନାଟକ ପାଇଁ ସମର୍ପିତ। ବାସ୍ତବରେ ଟିକେଟ୍‌ କାଟି ନାଟକ ଦେଖିବାର ପରମ୍ପରା ଥିବାରୁ ସେଠାରେ କଳାକାରଙ୍କୁ ପାରିଶ୍ରମିକ ମିଳିପାରୁଛି। କିନ୍ତୁ ଓଡ଼ିଶାରେ ଟିକେଟ୍‌ କାଟି ନାଟକ ଦେଖିବାର ପରମ୍ପରାକୁ ଏଯାବତ ପୁନଃ ପ୍ରଚଳନ କରାଯାଇ ପାରୁନି। ବାସ୍ତବରେ ଅନେକ ପ୍ରତିବନ୍ଧକ ହିଁ ବାଟ ଓଗାଳୁଛି। ଯଦି କେହି ରବୀନ୍ଦ୍ର ମଣ୍ଡପ କିମ୍ବା ଭଂଜ କଳାମଣ୍ଡପ ନାଟକ କରିବା ପାଇଁ ଭଡ଼ାରେ ନେଉଛି ଏବଂ ଏ କ୍ଷେତ୍ରରେ ସରକାରଙ୍କ ସହଯୋଗ ଲୋଡ଼ୁଛନ୍ତି, ସରକାର ସମ୍ପୃକ୍ତ ନାଟ୍ୟସଂସ୍ଥାକୁ ଭଡ଼ା ବାବଦରେ ୫୦ ପ୍ରତିଶତ ରିହାତି ଦେଉଛନ୍ତି। କିନ୍ତୁ ଏକଥା ବି ଚୁକ୍ତି ରଖୁଛନ୍ତି, ରିହାତି ନେଲେ ଟିକେଟ୍‌ ବ୍ୟବସ୍ଥା କରିପାରିବ ନାହିଁ। ତେଣୁ ସ୍ଥିତିକୁ ଆକଳନ କରି ସରକାରଙ୍କ ସାହାଯ୍ୟ ଲୋଡ଼ି ନାଟକ କରିବେ ନା ନିଜେ ନିଜ ବଳରେ ନାଟକ ଦେଖେଇବା ପାଇଁ ଦର୍ଶକଙ୍କ ନିମନ୍ତେ ଟିକେଟ୍‌ର ବ୍ୟବସ୍ଥା କରିବେ, ସେନେଇ ନାଟ୍ୟସଂସ୍ଥାମାନେ ଦ୍ବନ୍ଦ୍ବରେ ପଡ଼ୁଛନ୍ତି।

ତଥାପି ଫେରୁଛି ନାଟକ

‘ନାଟ୍ୟ ଚେତନା’ର ପ୍ରତିଷ୍ଠାତା ସୁବୋଧ ପଟ୍ଟନାୟକଙ୍କ କହିବା ଅନୁଯାୟୀ ଏବେ ବି ପ୍ରହ୍ଲାଦ ନାଟକ, ରାମଲୀଳା, କୃଷ୍ଣଲୀଳା, ଦାସକାଠିଆ, ସଂଚାର ନାଟ, ଘୁଡ଼ୁକି ନାଟ, ପାଲା ଭଳି ନାଟକ ଗ୍ରାମୀଣ ସ୍ତରରେ ବଞ୍ଚି ରହିଛି। ନାଟକ କ୍ଷେତ୍ରରେ ନୂଆନୂଆ ସୁଯୋଗ ସୃଷ୍ଟି ହେଉଛି। ସମର୍ପିତ ନିୟମିତ କଳାକାରଙ୍କ ପାଇଁ ଏକ ନାଟ୍ୟସଂସ୍ଥା ଜରିଆରେ ଭାରତ ସରକାରଙ୍କ ପକ୍ଷରୁ ୬ହଜାର ଟଙ୍କାର ବୃତ୍ତି ଦିଆଗଲାଣି। ନୂଆଦିଲ୍ଲୀର ଜାତୀୟ ନାଟ୍ୟ ବିଦ୍ୟାଳୟ ପକ୍ଷରୁ ‘ଥିଏଟର ଇନ୍‌ ଏଜୁକେସନ୍‌’ ଶୀର୍ଷକ ବର୍ଷିକିଆ ପାଠ୍ୟକ୍ରମରେ ନାଟକର ପ୍ରୟୋଗ କଳା ଶିଖେଇବାର ବ୍ୟବସ୍ଥା ହେଲାଣି। ମ୍ୟାନେଜ୍‌ମେଣ୍ଟ୍‌ ଅନୁଷ୍ଠାନ ମଧ୍ୟ ତାଲିମ୍‌ ଦେବା ପାଇଁ ରଙ୍ଗମଞ୍ଚର ବ୍ୟକ୍ତିବିଶେଷଙ୍କୁ ପ୍ରଶିକ୍ଷକ ଭାବେ ଦାୟିତ୍ବ ଦେଲେଣି।

ମଂଚଠୁ ଦୂରେଇ ଧାରାବାହିକରେ
ଧାରାବାହିକରେ କଳାକାରକୁ ଗୋଟିଏ କ୍ୟାମେରା ଆଗରେ ପରୀକ୍ଷା ଦେବାକୁ ପଡ଼େ। ମଂଚରେ କିନ୍ତୁ ଦର୍ଶକଙ୍କ ଆଖି ସ୍ବରୂପ ୫ଶହ କ୍ୟାମେରାକୁ ସାମ୍ନା କରିବାକୁ ପଡ଼େ। ଏଥିପାଇଁ ପୂର୍ବରୁ ୨ମାସର କସରତ କରିବାକୁ ପଡ଼େ। କିନ୍ତୁ ରୋଜଗାର ନଥିବାରୁ ପେସାଦାର କଳାକାର ସୃଷ୍ଟି ହୋଇପାରୁନାହାନ୍ତି। କିଛି ନାଟ୍ୟସଂସ୍ଥା ନାଟ୍ୟର ବିଭିନ୍ନ ବିଭାଗରେ ପିଲାମାନଙ୍କୁ ତାଲିମ୍‌ ଦେଇ ନାଟକ କରିବାକୁ ସୁଯୋଗ ଦେଉଛନ୍ତି। କିନ୍ତୁ ‌ଅଭିନୟ ଶିଖିବା ପରେ ସୁଯୋଗ ଦେଖି ଯୁବ ଅଭିନେତା ଅଭିନେତ୍ରୀମାନେ ଧାରାବାହିକମୁହାଁ ହେଉଛନ୍ତି। ବାସ୍ତବରେ ଅଭିନେତା ଅଭିନେତ୍ରୀମାନେ ମଂଚରେ ମୁଖ୍ୟ ଭୂମିକା ତୁଲାଉଥିଲେ ହେଁ ସେମାନଙ୍କୁ ଟଙ୍କାଟିଏ ପାରିଶ୍ରମିକ ବାବଦରେ ମିଳେ ନାହିଁ। କେବଳ ମଂଚସଜା, ରୂପସଜା, ବେଶପୋଷାକ ସଜା, ଆଲୁଅ ସମ୍ପାଦନା, ବୈଷୟିକ ସମ୍ପାଦନା, ସଂଗୀତ ପରିଚାଳନା କରୁଥିବା ବ୍ୟକ୍ତିବିଶେଷଙ୍କୁ ହିଁ ଯାହା କିଛି ପାରିଶ୍ରମିକ ମିଳେ। ମାତ୍ର ମଂଚ ଅଭିନେତାମାନେ ଦୀର୍ଘଦିନ ହେବ ଉପେକ୍ଷିତ ବୋଲି ନାଟ୍ୟ ନିର୍ଦେଶକ ଧୀର ମଲ୍ଲିକ କହିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.