ଉତ୍କଳ ବିଶ୍ବବିଦ୍ୟାଳୟ ଶିକ୍ଷକ ସଂଘ ନିର୍ବାଚନ ବିବାଦ : ସହିହେଉନି ଅଣଛାତ୍ରଙ୍କ ଅତ୍ୟାଚାର

ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟରେ ଶିକ୍ଷକମାନଙ୍କ ବିବାଦ ନୂଆ ମୋଡ଼ ନେଇଛି। କ୍ୟାମ୍ପସ୍‌ରେ ଦୁଇ ଶିକ୍ଷକ ଗୋଷ୍ଠୀ ମଧ୍ୟରେ ଶିକ୍ଷକ ସଂଘ ନିର୍ବାଚନକୁ ନେଇ ଛକାପଞ୍ଝା ଲାଗିରହିଥିବା ବେଳେ ହଠାତ୍‌ ଅଣଛାତ୍ରଙ୍କୁ ତଡ଼ିବା ଲାଗି ଗୋଟିଏ ଗୋଷ୍ଠୀର ଶିକ୍ଷକ ଦାବି କରିଛନ୍ତି। କ୍ୟାମ୍ପସ୍‌ରେ ସାମ୍ବାଦିକ ସମ୍ମିଳନୀ କରି ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କ ପାରିବାପଣିଆ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ହଷ୍ଟେଲରେ ଅଣଛାତ୍ରଙ୍କୁ ରହିବାର ସୁଯୋଗ ଦିଆଯାଉଥିବାରୁ କ୍ୟାମ୍ପସ୍‌ରେ ଅଶାନ୍ତି ସୃଷ୍ଟି ହୋଇଛି। ପୁଲିସ ସବୁ ଜାଣି ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଉନି। ଯଦି ଅଣଛାତ୍ରଙ୍କୁ ତୁରନ୍ତ କ୍ୟାମ୍ପସ୍‌ରୁ ତଡ଼ା ନଯାଏ କିମ୍ବା କାର୍ଯ୍ୟାନୁଷ୍ଠାନ ନ ହୁଏ ତେବେ କୁଳାଧିପତି ତଥା ରାଜ୍ୟପଳଙ୍କ ହସ୍ତକ୍ଷେପ ଲୋଡ଼ିବୁ ବୋଲି ଶିକ୍ଷକମାନେ କହିଛନ୍ତି।

ଶିକ୍ଷକ ସଂଘ ସମ୍ପାଦକ ପ୍ରଫେସର କୁଞ୍ଜବିହାରୀ ପଣ୍ଡା ଓ ଉପସଭାପତି ପ୍ରଫେସର ମହେଶ୍ବର ସାହୁ ଏହି ସମ୍ମିଳନୀରେ କହିଛନ୍ତି ଯେ ଅଣଛାତ୍ରଙ୍କ ଯୋଗୁଁ କ୍ୟାମ୍ପସ୍‌ରେ ଅଶାନ୍ତି ଲାଗିରହିଛି। ସେମାନେ ପ୍ରଶାସନିକ କାର୍ଯ୍ୟରେ ହସ୍ତକ୍ଷେପ କରୁଛନ୍ତି। କ୍ୟାମ୍ପସରେ ଅଶାନ୍ତି ସୃଷ୍ଟି କରିବା ପଛରେ ଅଣଛାତ୍ରଙ୍କ ପ୍ରମୁଖ ଭୂମିକା ରହିଛି। ଶିକ୍ଷକ ସଂଘ ନିର୍ବାଚନରେ ଅଣଛାତ୍ରଙ୍କର କୌଣସି ଭୂମିକା ନଥିଲେ ମଧ୍ୟ ସେମାନେ ହସ୍ତକ୍ଷେପ କରୁଛନ୍ତି। ଏପରିକି ଶିକ୍ଷକ ସଂଘ ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ନାମାଙ୍କନ ବାକ୍ସ ଉଠାଇ ନେବାରେ ଅଣଛାତ୍ରଙ୍କର ପ୍ରମୁଖ ଭୂମିକା ରହିଛି। ୩ ଜଣ ଅଣଛାତ୍ର ଶିକ୍ଷକଙ୍କୁ ମାଡ଼ ମାରି ନାମାଙ୍କନ ରୁମ୍‌ରୁ ବାକ୍ସ ଉଠାଇ ନେଇଥିଲେ। ଏନେଇ ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନି। ଯଦି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆ ନଯାଏ ତେବେ କୁଳାଧିପତି, ପୁଲିସ କମିସନରଙ୍କୁ ଭେଟିବୁ। ଏବେ ଶିକ୍ଷକ ସଂଘ ନିର୍ବାଚନ ସ୍ଥଗିତ ରହିଛି। ଜାନୁଆରି ମାସରେ ନିର୍ବାଚନ ହେବ ବୋଲି ସେମାନେ ଦୃ‌ଢ଼କ୍ତି ପ୍ରକାଶ କରିଛନ୍ତି। ନାମାଙ୍କନ ବାକ୍ସ ନେଇଯାଇଥିବା ତିନି ଜଣ ଯୁବକଙ୍କ ନାମ ପଚାରିବାରୁ ସେମାନେ ମୁହଁ ଖୋଲି ନଥିଲେ। ଏପରିକି ଶିକ୍ଷକ-ଶିକ୍ଷକ ମଧ୍ୟରେ କୌଣସି ବିବାଦ ନଥିବା କହିଥିଲେ। ଏହାରି ଭିତରେ ଶିକ୍ଷକ-ଶିକ୍ଷକଙ୍କ ମଧ୍ୟରେ ଧସ୍ତାଧସ୍ତି ଓ କୁଳପତିଙ୍କୁ ଦୁର୍ବ୍ୟବହାର ଭିଡିଓ ଏବେ ଭାଇରାଲ୍‌ ହୋଇଛି। ତେବେ ସାମ୍ବାଦିକ ସମ୍ମିଳନୀରେ ଶିକ୍ଷକ ସଂଘର ସଭାପତି ‌ପ୍ରଫେସର ସନ୍ତୋଷ ତ୍ରିପାଠୀ ଅନୁପସ୍ଥିତ ରହିଥିଲେ। ଏନେଇ ସମ୍ପାଦକ ଶ୍ରୀ ପଣ୍ଡାଙ୍କୁ ପଚାରିବାରୁ ସେ କହିଲେ ସଭାପତି ଆମ ସହ ନାହାନ୍ତି।

ଶିକ୍ଷକମାନଙ୍କ ସାମ୍ବାଦିକ ସମ୍ମିଳନୀ ପରେ ଏବେ ବିବାଦ ଆହୁରି ଘନେଇଛି। ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଛାତ୍ରଗୋଷ୍ଠୀ ପକ୍ଷରୁ ଶିକ୍ଷକମାନଙ୍କୁ କଡ଼ା ଭାଷାରେ ସମାଲୋଚନା କରାଯାଇଛି। ଛାତ୍ର ନେତାମାନେ କହିଛନ୍ତି ଯେ ଶିକ୍ଷକମାନେ ପିଲାଙ୍କୁ ପଢ଼ାଇବେ ନା ରାଜନୀତି କରିବେ। ୭ ଦିନ ହେଲା କ୍ୟାମ୍ପସରେ ପାଠପଢ଼ା ହେଉନି। ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ବିକାଶ ଏକପ୍ରକାର ଠପ୍‌। ସେନେଇ କେହି ବି ମୁହଁ ଖୋଲୁନାହାନ୍ତି। କିଛି ଦିନ ତଳେ ବିଶ୍ବବିଦ୍ୟାଳୟର ପ୍ଲାଟିନମ୍‌ ଜୁବୁଲି ଉତ୍ସବ ପାଇଁ ଆୟୋଜିତ ଗଣଦୌଡ଼ରେ ‌ଅଣଛାତ୍ରଙ୍କୁ ସାମିଲ କରିଥିଲେ। ଏବେ ସେମାନଙ୍କୁ ତଡ଼ିବାକୁ କହିବା ହାସ୍ୟାସ୍ପଦ। କ୍ୟାମ୍ପସ ଅଶାନ୍ତ ରହୁଥିବାରୁ ପିଜି କାଉନସିଲ୍‌ ବୈଠକରେ ଏହି ଶିକ୍ଷକମାନେ ବସି ଛାତ୍ର ସଂସଦ ନିର୍ବାଚନ ବାତିଲ୍‌ କରୁଛନ୍ତି। ଛାତ୍ରଙ୍କ ଅଧିକାରକୁ କ୍ଷୁଣ୍ଣ କରାଯାଉଛି। ଏବେ ନିଜ ବେଳକୁ ନିୟମକୁ ଦଳି ଦେଇ ଶିକ୍ଷକ ସଂଘ ନିର୍ବାଚନ କରୁଛନ୍ତି। କୌଣସି ପ୍ରକାରେ ନିର୍ବାଚନ କରିବାକୁ ଦିଆଯିବ ନାହିଁ। ଜାନୁଆରିରେ ନିର୍ବାଚନ କଲେ କ୍ୟାମ୍ପସରେ ନିଆଁ ଜଳିବ। ଦିନରେ ଛାତ୍ର ସଂସଦ ନିର୍ବାଚନ କରି ଅପରାହ୍ଣରେ ଶିକ୍ଷକମାନେ ନିଜ ନିର୍ବାଚନ କରନ୍ତୁ। ଆମର କିଛି ବି କହିବାର ନାହିଁ ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର