ଏବେ ଚେତା ପଶିଲା : ଭୁବନପୁର ଗ୍ରାମରେ ଜିଲ୍ଲା ପଶୁ ସଂପଦ ବିଭାଗ ଅଧିକାରୀ ଦଳ

ବାଲିଅନ୍ତା : ବାଲିଅନ୍ତା ବ୍ଲକ ଅଧୀନ ଭୁବନପୁର ଗ୍ରାମରେ ଫାଟୁଆ ରୋଗରେ ଆକ୍ରାନ୍ତ ହୋଇ ୪ଟି କଅଁଳା ବାଛୁରୀଙ୍କ ମୃତ୍ୟୁ ହେବା ସହ ଦେଢ଼ଶହରୁ ଅଧିକ ସଂଖ୍ୟକ ଗୋରୁଗାଈ ଏବଂ ମଇଁଷି ଅସୁସ୍ଥ ହେବା ପରେ ଜିଲ୍ଲା ପଶୁ ସଂପଦ ବିଭାଗର ଚେତା ପଶିଛି। ଆଜି ଏସ୍‌ଡିଭିଓ ଡ. ହରେକୃଷ୍ଣ ସାହୁ, ଏଡିଭିଓ ଡ. ରଜତ ମହାପାତ୍ରଙ୍କ ସମେତ ବାଳକାଟି ପ୍ରାଣୀ ଚିକିତ୍ସା କେନ୍ଦ୍ରର ବିଭିଓ ସୁଧିର ସେନାପତି ଓ ବେଣୁପୁର ପ୍ରାଣୀ ଚିକିତ୍ସା କେନ୍ଦ୍ରର ବିଭିଓ ଏସ୍ ପାର୍ଥ ସାରଥୀ ପ୍ରମୁଖ ଗ୍ରାମରେ ପହଞ୍ଚି ସ୍ଥିତି ପରଖିବା ସହ ଗୋପାଳକମାନଙ୍କୁ ଆବଶ୍ୟକୀୟ ଔଷଧପତ୍ର ବଣ୍ଟନ କରିଥିଲେ। ଏହା ଛଡ଼ା ରୋଗ ନିରାକରଣ ନେଇ କିଛି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଉପରେ ଗୋପାଳକମାନଙ୍କ ସହ ଆଲୋଚନା କରିଥିଲେ। ତେବେ ଗତ ୧୦ଦିନ ଧରି ଗ୍ରାମରେ ତଦନ୍ତ ଦାୟିତ୍ବରେ ଥିବା ଅଧିକାରୀ ଦଳ ଉପସ୍ଥିତ ରହି ଗୋରୁଗାଈଙ୍କୁ ଚିକିତ୍ସା କରିବା ସହ ଖୁବ ଶୀଘ୍ର ଗ୍ରାମରେ ଏକ ଶିବିର ଆୟୋଜନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଜୁନ୍ ମାସରୁ ଅଗଷ୍ଟମାସ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ବ୍ଲକ ପଶୁ ସଂପଦ ବିକାଶ ବିଭାଗ ଜରିଆରେ ୨୦୧୧/୧୨ ଜନଗଣନା ଅନୁଯାୟୀ ମୋଟ ୧୧ଟି ପଶୁ ଚିକିତ୍ସା କେନ୍ଦ୍ରର ୨୨ ହଜାର ଗୃହପାଳିତ ପଶୁଙ୍କୁ ୩୦ ହଜାର ପ୍ରତିଷେଧକ ଟିକା ଦିଆଯାଇଥିଲା। ଏହା ସତ୍ତ୍ବେ ଗୋରୁଗାଈଙ୍କ ଠାରେ ପୁନର୍ବାର ଫାଟୁଆ ଦେଖାଦେବା ବିଭାଗ ପାଇଁ ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଅନ୍ୟପକ୍ଷରେ କଅଁଳା ବାଛୁରୀ ଓ ଗର୍ଭିଣୀ ଗାଈ ଏହି ତାଲିକାରୁ ମଧ୍ୟ ବାଦ ପଡ଼ିଥିବା ଜଣାପଡ଼ିଛି। ସ୍ଥାନୀୟ ଅଞ୍ଚଳରେ ଏତେ ଅଧିକ ସଂଖ୍ୟକ ଗୋମହିଷାଦିଙ୍କଠାରେ ଫାଟୁଆ ରୋଗ ଦେଖାଯାଇଥିବାରୁ ଔଷଧର ଗୁଣବତ୍ତାକୁ ନେଇ ଗୋପାଳକମାନେ ଉପୋରକ୍ତ ଅଧିକାରୀମାନଙ୍କୁ ପ୍ରଶ୍ନ କରିଥିଲେ। ଅଧିକାରୀମାନଙ୍କୁ ଦୀର୍ଘ ସମୟ ଧରି ଘେରି ଏ ସଂପର୍କରେ ପଚାରି ବୁଝିବା ସହ ବିଭାଗ ନିମ୍ନମାନର ପ୍ରତିଷେଧକ ଟିକା ଯୋଗାଇ ଥିବା ଅଭିଯୋଗ କରିଥିଲେ। ତେବେ ବିଦ୍ୟୁତ ଏବଂ ପଶୁ ଚିକିତ୍ସା କେନ୍ଦ୍ରରେ ଔଷଧ ସଂରକ୍ଷଣ ବ୍ୟବସ୍ଥା ଜନିତ ସମସ୍ୟା ଔଷଧୀୟ ଗୁଣବତ୍ତା ହ୍ରାସର ଏକ ପ୍ରମୁଖ କାରଣ ହୋଇପାରେ ବୋଲି ଜଣେ ବରିଷ୍ଠ ପ୍ରାଣୀ ଚିକିତ୍ସକ ନିଜର ନାମ ଗୋପନ ରଖି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର