ରାଜଧାନୀକୁବିପଦ! କୁଆଖାଇକୁ ଆସୁନି କାଠଯୋଡ଼ି ପାଣି

ବର୍ଷର ଅଧାରୁ ଅଧିକ ସମୟ, ଉଭୟ ନଦୀ ଶୁଖିଲା

ଭୁବନେଶ୍ୱର: କାଠଯୋଡ଼ି ନଦୀର ପାଣି ଆଉ କୁଆଖାଇକୁ ଆସୁନାହିଁ। ଜଳ ପ୍ରବାହ ତ କମିଛି। ଏହି ଦୁଇ ନଦୀର ସଂଯୋଗ ସ୍ଥଳରେ ଆଉ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଲାଣି। କୁଆଖାଇ ପାର୍ଶ୍ୱ ଉଚ୍ଚା ଥିବାରୁ କାଠଯୋଡ଼ି ନଦୀର ପାଣି ଆଉ ଏହି ନଦୀକୁ ଆସୁନାହିଁ। ପ୍ରାୟ ଅଧ କିମି ପର୍ଯ୍ୟନ୍ତ କୁଆଖାଇ ନଦୀର ପତନ କାଠଯୋଡ଼ିଠାରୁ ପ୍ରାୟ ୭ରୁ ୮ଫୁଟ୍‌ ଉଚ୍ଚାରେ ରହିଛି। କେବଳ ସେତିକି ନୁହେଁ, ବର୍ଷକୁ ୮ମାସରୁ ଅଧିକ ସମୟ ଧରି କୁଆଖାଇର ପ୍ରମୁଖ ଶାଖା ଦୟା ନଦୀ ମଧ୍ୟ ଶୁଖିଲା ପଡ଼ୁଛି।

କୁଆଖାଇରେ ଚେକ୍‌ ଡ୍ୟାମ୍‌ ପ୍ରସ୍ତାବ ଶୀତଳଭଣ୍ଡାରରେ, ନଗର ଉନ୍ନୟନ-ଜଳସଂପଦ ବିଭାଗ ମଧ୍ୟରେ ସମନ୍ଵୟ ନାହିଁ

ଏପରିସ୍ଥଳେ ନିକଟରେ ବିଧାନସଭାରେ ନିଜେ ନଗର ଉନ୍ନୟନ ଓ ଜଳସଂପଦ ବିଭାଗ ଦାୟିତ୍ୱରେ ଥିବା ମନ୍ତ୍ରୀ ନିରଂଜନ ପୂଜାରୀ ସୂଚାଇଛନ୍ତି, ଆଗକୁ ରାଜଧାନୀରେ ଜଳସଙ୍କଟ ସାଂଘାତିକ ହେବ। ପ୍ରଶ୍ନ ଉଠୁଛି, ଯଦି ସ୍ଥିତି ଏତେ ଗମ୍ଭୀର, କୁଆଖାଇ ଉପରେ ନଗର ଉନ୍ନୟନ ବିଭାଗର ପ୍ରସ୍ତାବିତ ଚେକ୍‌ ଡ୍ୟାମ୍‌ ନିର୍ମାଣ କରାଯାଉନି କାହିଁକି? କିଏ ବାଧକ ସାଜିଛି? ଜଣେ ମନ୍ତ୍ରୀ ଉଭୟ ବିଭାଗ ଦାୟିତ୍ୱରେ ଥିବା ବେଳେ ନଗର ଉନ୍ନୟନ ବିଭାଗର ଫାଇଲକୁ ଜଳସଂପଦ ବିଭାଗ ଅଟକାଇଦେବ? ଏଭଳି ଏକାଧିକ ପ୍ରଶ୍ନ ଏବେ ରାଜଧାନୀବାସୀଙ୍କୁ ଆନ୍ଦୋଳିତ କଲାଣି। ଜନସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବର୍ତମାନ ରାଜଧାନୀବାସୀଙ୍କୁ ଦୈନିକ ପ୍ରାୟ ୧୭୦ନିୟୁତ ଲିଟର ଜଳ ଆବଶ୍ୟକ ରହିଛି। ମହାନଦୀ, କୁଆଖାଇ ଓ ଦୟା ନଦୀ ସମେତ ବୋରୱେଲ ମାଧ୍ୟମରେ ଦୈନିକ ପ୍ରାୟ ୨୬୦ନିୟୁତ ଲିଟର ପାଣି ଯୋଗାଣ ହେଉଛି। ହେଲେ ଏଥିରୁ ପ୍ରାୟ ୮୦ରୁ ୯୦ନିୟୁତ ଲିଟର ପାଣି ନଷ୍ଟ ହେଉଛି। ଯେହେତୁ ବର୍ଷର ଅଧିକାଂଶ ସମୟରେ କୁଆଖାଇ ଶୁଖିଲା ରହୁଛି, ଏଣୁ ଏହି ନଦୀରେ ବାଲି ବନ୍ଧ କରି ଅଧା ଭୁବନେଶ୍ୱରକୁ ପାଣି ଯୋଗାଣ ହେଉଛି। ବ୍ୟବସ୍ଥା ଅନୁସାରେ, କୁଆଖାଇ ନଦୀରୁ ପଳାସୁଣି ଟ୍ରିଟମେଣ୍ଟ ପ୍ଲାଣ୍ଟ ମାଧ୍ୟମରେ ଦୈନିକ ୯୨ନିୟୁତ ଲିଟର ପାଣି ଯୋଗାଣ ହୋଇପାରିବ। ମାତ୍ର ଲୋକଙ୍କ ଆବଶ୍ୟକତାକୁ ମେଣ୍ଟାଇବା ଲାଗି ଏହି ପ୍ରକଳ୍ପ ମାଧ୍ୟମରେ ଦୈନିକ ପ୍ରାୟ ୧୦୮ନିୟୁତ ଲିଟର ପାଣି ଆବଣ୍ଟନ କରାଯାଉଛି। ସେହିପରି ଦୟା ନଦୀରୁ ଭୁଆସୁଣୀ ଟ୍ରିଟମେଣ୍ଟ ପ୍ଲାଣ୍ଟ ମାଧ୍ୟମରେ ଦୈନିକ ୧୫ନିୟୁତ ଲିଟର ପାଣି ଯୋଗାଣ କରାଯାଉଥିବା ବେଳେ ମୁଣ୍ଡୁଳି ପ୍ରକଳ୍ପ ଜରିଆରେ କର୍ତ୍ତୃପକ୍ଷ ୧୧୦ ନିୟୁତ ଲିଟର ଜଳ ଯୋଗାଣ କରୁଛନ୍ତି। ଏଠାରେ ୧୧୫ନିୟୁତ ଲିଟର ଜଳ ଯୋଗାଣ ହେବାର ବ୍ୟବସ୍ଥା ରହିଛି।

ଜନସ୍ୱାସ୍ଥ୍ୟ ବିଭାଗର କହିବା କଥା ହେଉଛି, ଧୀରେ ଧୀରେ କୁଆଖାଇ ଓ ଦୟାରେ ଜଳପ୍ରବାହ ଆଉ ହେଉନାହିଁ। ବର୍ଷର ପ୍ରାୟ ୮ମାସ ଏହି ଦୁଇ ନଦୀରୁ ପାଣି ଯୋଗାଇବା କଷ୍ଟକର ହୋଇପଡ଼ୁଛି। ଗ୍ରୀଷ୍ମ ୪ମାସ ପଳାସୁଣି ଟ୍ରିଟମେଣ୍ଟ ପ୍ଲାଣ୍ଟରୁ ପାଣି ଯୋଗାଇବା କାଠିକର ପାଠ। ଖାସ୍‌ ଏଥିପାଇଁ ପୁରୀ କେନାଲ ଉପରେ ନିର୍ଭର କରିବାକୁ ପଡ଼ୁଛି। ପ୍ରାଚୀ ଡିଭିଜନ୍‌ କାନପୁର ବ୍ୟାରେଜ୍‌ ଖୋଲି କୁଆଖାଇରେ ପାଣି ଛାଡ଼ିଲେ ରାଜଧାନୀବାସୀ ପାଣି ପାଉଛନ୍ତି। ନଚେତ୍‌ ସହିଦନଗର, ସତ୍ୟନଗର, ବମିଖାଲ, ଜୟଦେବ ବିହାର, ଚନ୍ଦ୍ରଶେଖରପୁର, ନୂଆପଲ୍ଲୀ, ଆଚାର୍ଯ୍ୟ ବିହାର, ବାଣୀବିହାର, ରସୁଲଗଡ଼ ଆଦି ଅଞ୍ଚଳରେ ଜଳ ସଙ୍କଟ ଭୟଙ୍କର ରୂପ ନେଇପାରେ। ନାମ ଗୋପନ ସର୍ତରେ ଜନସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି, କୁଆଖାଇରେ ୪୨ଫୁଟ ରିଡ୍ୟୁସ୍‌ ଲେଭେଲ୍‌ (ସମୁଦ୍ର ପତ୍ତନରୁ ୪୨ଫୁଟ ଉଚ୍ଚ)ରେ ପାଣି ରହିଲେ ପାଣି ଯୋଗାଣରେ କିଛି ଅସୁବିଧା ହେବନି। ମାତ୍ର ଅଧିକାଂଶ ସମୟରେ ୩୬ଫୁଟରୁ ତଳକୁ ଖସି ଆସୁଥିବାରୁ ଫୁଟବଲ୍‌ ପାଣି ଉଠାଉନି। ଏଥିପାଇଁ ହାଇଟେକ୍‌ କଲେଜ ନିକଟରେ କୁଆଖାଇରେ ଏକ ଚେକ୍‌ ଡ୍ୟାମ୍‌ କରିବାକୁ ପ୍ରାଚୀ ଡିଭିଜନ୍‌କୁ ୫ବର୍ଷ ତଳୁ କୁହାଯାଇଛି। ମାତ୍ର ଏହି ପ୍ରସ୍ତାବ ପ୍ରସ୍ତାବରେ ହିଁ ରହିଯାଇଛି। ଏହାର ପରିଣାମ ହେଲା, କୁଆଖାଇରେ ଯେତିକି ପାଣି ଛଡ଼ାଯାଉଛି ତାହା ସମୁଦ୍ରକୁ ବହି ଯାଉଛି ଓ ତା ପରେ ପରେ ଆରମ୍ଭ ହୋଇଯାଉଛି ଜଳସମସ୍ୟା। ପ୍ରତିବର୍ଷ ଅକ୍ଟୋବର ମାସ ପରେ ପ୍ରତି ୧୫ଦିନରେ ପୁରୀ କେନାଲର କାନପୁର ବ୍ୟାରେଜ୍‌ ନ ଖୋଲିଲେ ପଳାସୁଣି ଟ୍ରିଟମେଣ୍ଟ ପ୍ଲାଣ୍ଟରୁ ପାଣି ଯୋଗାଇବା ସମ୍ଭବ ହେଉନାହିଁ। ନଦୀରେ ବାଲି ବସ୍ତା ବନ୍ଧ କରି ପାଣି ଅଟକାଇବା ନିୟମିତ କାର୍ଯ୍ୟରେ ପରିଣତ ହୋଇଗଲାଣି। ଚଳିତବର୍ଷ ସ୍ଥିତି ଆଉ ଟିକେ ଗମ୍ଭୀର ରୂପ ଧାରଣ କରିଛି। କାନପୁର ବ୍ୟାରେଜ୍‌ ସବୁଦିନ ଖୋଲିବାକୁ କୁହାଯାଇଛି। ଏଥିରେ ଦୈନିକ ପ୍ରାୟ ୫୦ କ୍ୟୁସେକ୍‌ ପାଣି ଆସୁଛି। କିନ୍ତୁ ସବୁ ପାଣି ରଖି ହେଉନି। ପ୍ରାଚୀ ଡିଭିଜନ୍‌ର ଜଣେ ବରିଷ୍ଠ ଅଧିକାରୀଙ୍କୁ ଯୋଗାଯୋଗ କରାଯିବାରେ ସେ କହିଛନ୍ତି, କୁଆଖାଇରେ ଚେକ୍‌ ଡ୍ୟାମ୍‌ କରିବାକୁ ଆମର କୌଣସି ଯୋଜନା ନାହିଁ। ଯଦି ଜନସ୍ୱାସ୍ଥ୍ୟ ବିଭାଗର ପାଣି ଯୋଗାଣରେ ଅସୁବିଧା ହେଉଛି ତେବେ ସେମାନେ ଅର୍ଥ ଦେଲେ ଜଳସଂପଦ ବିଭାଗ ଚେକ୍‌ ଡ୍ୟାମ୍‌ ନିର୍ମାଣ କରିବାରେ କିଛି ଅସୁବିଧା ନାହିଁ। ତେବେ ଚେକ୍‌ ଡ୍ୟାମ୍‌ ପାଇଁ ଜଳସମ୍ପଦ ବିଭାଗ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନିଅନ୍ତି।

ଏଠାରେ ପ୍ରକାଶଥାଉ କି, କୁଆଖାଇ ନଦୀରେ ଜଳ ପ୍ରବାହ ନ ହେବା କାରଣରୁ ଏହାର ସିଧାସଳଖ ପ୍ରଭାବ ପଡୁଛି ଦୟା ଉପରେ। ବ୍ୟବସ୍ଥା ଅନୁସାରେ, ଦୟାରୁ ପୁରୁଣା ଭୁବନେଶ୍ୱର, କଳ୍ପନା, ରବି ଟକିଜ୍‌, ଲକ୍ଷ୍ମୀସାଗର ଆଦି ଅଞ୍ଚଳକୁ ଜଳଯୋଗାଣ ହୋଇଥାଏ। ଏଣୁ ସ୍ୱାଭାବିକ ଭାବେ ଏସବୁ ଅଞ୍ଚଳରେ ପିଇବା ପାଣି ସଙ୍କଟ ଦେଖାଯାଉଛି। ବୁଦ୍ଧିଜୀବୀ ମହଲର କହିବା କଥା ହେଉଛି, ନଗର ଉନ୍ନୟନ ମନ୍ତ୍ରୀ ହିସାବରେ ଶ୍ରୀ ପୂଜାରୀ ଯେଉଁ ସମସ୍ୟାର ସାମ୍ନା କରୁଛନ୍ତି, ଜଳସଂପଦ ମନ୍ତ୍ରୀ ହିସାବରେ ତାର ସମାଧାନର ରାସ୍ତା ମଧ୍ୟ ତାଙ୍କ ପାଖରେ ହିଁ ରହିଛି। ବିଭିନ୍ନ ନଦୀ ଉପରେ ଏକାଧିକ ବ୍ୟାରେଜ୍‌ ନିର୍ମାଣ ଲାଗି ସରକାର ଯୋଜନା କରୁଥିବା ବେଳେ କୁଆଖାଇ ପାଇଁ କାହିଁକି ଯୋଜନା ହେଉନାହିଁ? ଯଦି ନଗର ଉନ୍ନୟନ ବିଭାଗ ଏ ସଂକ୍ରାନ୍ତରେ କିଛି ବର୍ଷ ତଳୁ ପ୍ରସ୍ତାବ ଦେଇଥିବା ଅଧିକାରୀ କହୁଛନ୍ତି, ତେବେ ଜଳସଂପଦ ବିଭାଗ ଏହା ଉପରେ ଠୋସ୍‌ ପଦକ୍ଷେପ ନେବାରେ ଅସୁବିଧା କେଉଁଠି? ନିଜେ ମନ୍ତ୍ରୀ ଚାହିଁଲେ, ଉଭୟ ବିଭାଗର ଅଧିକାରୀଙ୍କ ଉପସ୍ଥିତିରେ ଏ ସମସ୍ୟା ସମାଧାନ କରିପାରିବେନି କି? ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର