ନିଅାଁ ଲାଗିଲେ ଦାୟୀ କିଏ ?

କ୍ୟାପିଟାଲ ହସ୍ପିଟାଲରେ ଅଧିକାଂଶ ଅଗ୍ନି ନିର୍ବାପକ ଯନ୍ତ୍ର ଅଚଳ, ଅଚଳକୁ ଚିହ୍ନଟ କରିଛନ୍ତି, ଗ୍ୟାସ୍‌ ଭରି ନାହାନ୍ତି

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଅଧିକାଂଶ ଅଗ୍ନି ନିର୍ବାପକ ଯନ୍ତ୍ର ଅଚଳ ହୋଇପଡ଼ିଛି। ସେଥିରେ ନିଆଁଲିଭା ଗ୍ୟାସ୍‌ ନାହିଁ। ହସ୍ପିଟାଲ କର୍ତୃପକ୍ଷ ଅଚଳ ହୋଇ ପଡ଼ିଥିବା ଯନ୍ତ୍ରଗୁଡ଼ିକୁ ଚିହ୍ନଟ ମଧ୍ୟ କରିଛନ୍ତି। ମାତ୍ର ଏ ପର୍ଯ୍ୟନ୍ତ ସେସବୁ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଗତକାଲି ଏସ୍‌ସିବି ମେଡିକାଲର ଟ୍ରମା କେୟାର୍‌ରେ ସଟ ସର୍କିଟ୍‌ ଯୋଗୁଁ ନିଆଁ ଲାଗିବା ଭଳି ଯଦି କ୍ୟାପିଟାଲ ହସ୍ପିଟାଲରେ ନିଆଁ ଲାଗି କୌଣସି କ୍ଷୟକ୍ଷତି ହୁଏ ତେବେ ଏଥିପାଇଁ କିଏ ଦାୟୀ ରହିବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କ୍ୟାପିଟାଲ ହସ୍ପିଟାଲର ଏମ୍‌ସିଏଚ୍‌ ବିଲ୍‌ଡିଂକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ବିଲ୍‌ଡିଂ ବହୁତ ପୁରୁଣା। ୧୫ରୁ ଅଧିକ ବହିର୍ବିଭାଗ ସମେତ ଆଇସିୟୁ, ଏସ୍‌ଏନ୍‌ସିୟୁ, ଅସ୍ତ୍ରୋପଚାର ଗୃହ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ରହିଛି ହସ୍ପିଟାଲରେ। ପ୍ରତ୍ୟେକ ଦିନ ଶହ ଶହ ଲୋକ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ବେଳେ ଶହ ଶହ ଲୋକ ଅନ୍ତର୍ବିଭାଗରେ ଆଡମିସନ୍‌ ହୋଇ ରହୁଛନ୍ତି। ଏମ୍‌ସିଏଚ୍‌ ବିଲ୍‌ଡିଂ ସଂପୂର୍ଣ୍ଣଭାବେ ଅଗ୍ନି ନିର୍ବାପକ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ଏହାସହ ଏସ୍‌ଏନ୍‌ସିୟୁ ଓ ଓପିଡି ବ୍ଲକ୍‌ରେ ସ୍ମୋକ ଡିଟେକ୍ଟର୍‌ ସମେତ ଫାୟାର ସାଇରନ୍‌ ଲଗାଯାଇଛି। ମାତ୍ର ହସ୍ପିଟାଲରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ସଂପୂର୍ଣ୍ଣଭାବେ ସୁଦୃଢ଼ ହୋଇପାରି ନାହିଁ। ଏବେ ବି ହସ୍ପିଟାଲର ଅଧିକାଂଶ ସ୍ଥାନ ନିଅାଁ ପାଇଁ ସମ୍ବେଦନଶୀଳ ହୋଇ ରହିଛି। କ୍ୟାପିଟାଲ୍‌ ହସ୍ପିଟାଲରେ ନିଆଁ ଲିଭାଇବା ପାଇଁ ୭୦ରୁ ଅଧିକ ଅଗ୍ନି ନିର୍ବାପକ ଯନ୍ତ୍ର ରହିଛି। ଆଇସିୟୁ ସମେତ ଅସ୍ତ୍ରୋପଚାର ଗୃହ ଓ ବିଭିନ୍ନ ଓ୍ଵାର୍ଡରେ ଏହାକୁ ଲଗାଯାଇଛି। ଅଗ୍ନି ନିର୍ବାପକ ଯନ୍ତ୍ରକୁ ବିପଦ ସମୟରେ ବ୍ୟବହାର କରିବା ପାଇଁ ହସ୍ପିଟାଲରେ ମୁତୟନ ହୋଇଥିବା ସୁରକ୍ଷା କର୍ମୀ ଓ ଷ୍ଟାଫ୍‌ ନର୍ସମାନଙ୍କୁ ତାଲିମ ଦିଆଯାଇଛି। ଅଗ୍ନିଶମ ବିଭାଗ ପକ୍ଷରୁ ସ୍ୱତନ୍ତ୍ରଭାବେ ଏଥିପାଇଁ ତାଲିମ ଦିଆଯାଉଛି। ଗତ ଜାନୁଆରି ମାସରେ ହସ୍ପିଟାଲର କର୍ମଚାରୀମାନଙ୍କୁ ଅଗ୍ନିସେବା ତାଲିମ ପ୍ରଦାନ କରାଯାଇଥିଲା। ଏସବୁ ସେତ୍ୱ ହସ୍ପିଟାଲରେ ଲାଗିଥିବା ଅଧିକାଂଶ ଅଗ୍ନିସେବା ଯନ୍ତ୍ରଗୁଡ଼ିକ ଅଚଳ ହୋଇପଡ଼ିଛି। କିନ୍ତୁ ଏ ସଂପର୍କରେ ହସ୍ପିଟାଲର ବରିଷ୍ଠ ଅଧିକାରୀମାନେ ମୁହଁ ଖୋଲିବାକୁ ନାରାଜ। ପ୍ରସଙ୍ଗକୁ ଏଡ଼ାଇ ଚାଲିଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ହସ୍ପିଟାଲରେ ୨୦ରୁ ଅଧିକ ଅଗ୍ନି ନିର୍ବାପକ ଯନ୍ତ୍ରରେ ଗ୍ୟାସ୍‌ ନାହିଁ। କମ୍ପାନି ପକ୍ଷରୁ ଏହି ଯନ୍ତ୍ର ଲଗାଯିବା ସମୟରେ ଯନ୍ତ୍ରରେ ଗ୍ରିନ୍‌ ବା ସବୁଜ ସିଗନାଲ୍‌ ରହିଥିବା ବେଳେ ଏବେ ତାହା ନାଲି ରଂଗର ହୋଇଗଲାଣି। ଏଥିରେ ତୁରନ୍ତ ଗ୍ୟାସ୍‌ ଭରିବାର ଆବଶ୍ୟକତା ରହିଛି। ମାତ୍ର ହସ୍ପିଟାଲ କର୍ତୃପକ୍ଷ ଚୁପ୍‌ ବସିଛନ୍ତି। ଅଗ୍ନି ନିର୍ବାପକ ଯନ୍ତ୍ର ଲଗାଇବା ପାଇଁ ଟେଣ୍ଡର୍‌ ଜରିଆରେ କମ୍ପାନି ଚୟନ କରାଯାଇଛି। ମାତ୍ର ରକ୍ଷଣାବେକ୍ଷଣ ଠିକଣା ଢଙ୍ଗରେ କରାଯାଉ ନାହିଁ। ସମ୍‌ ହସ୍ପିଟାଲରେ ନିଅାଁ ଲାଗିବା ପରେ ରାଜ୍ୟ ସରକାରଙ୍କ ସମେତ ହସ୍ପିଟାଲ କର୍ତୃପକ୍ଷ ସତର୍କ ହୋଇ ଉଠିଥିଲେ। ମାତ୍ର ଏବେ ସବୁକିଛି ପୂର୍ବଭଳି ହୋଇଯାଇଛି। କ୍ୟାପିଟାଲ ହସ୍ପିଟାଲର ବରିଷ୍ଠ ଅଧିକାରୀମାନେ ଏ ସଂପର୍କରେ ମୁହଁ ଖୋଲିବାକୁ ମନା କରି ଦେଇଛନ୍ତି।

ସମ୍ବନ୍ଧିତ ଖବର