ଶେଷ ହେଲା ଚଳଚ୍ଚିତ୍ର, ଧାରାବାହିକ ସ୍କ୍ରିନିଂ: କିଏ ପିନ୍ଧିବ ଜୟଦେବ ପୁରସ୍କାର ମୁକୁଟ?

ବିଚାରକୁ ଆସିଥିଲା କିଛି ସେନ୍‌ସର ପ୍ରମାଣପତ୍ର ନଥିବା ଚଳଚ୍ଚିତ୍ର

ଭୁବନେଶ୍ବର: ଏଥର କିଏ ପିନ୍ଧିବ ଜୟଦେବ ପୁରସ୍କାର ମୁକୁଟ? କେଉଁ ଚଳଚ୍ଚିତ୍ର ହେବ ଶ୍ରେଷ୍ଠ ଚଳଚ୍ଚିତ୍ର? କେଉଁ ଧାରାବାହିକ ଜିତିବ ଶ୍ରେଷ୍ଠ ପୁରସ୍କାର? ଚଳଚ୍ଚିତ୍ର ଓ ଧାରବାହିକପ୍ରେମୀଙ୍କ ମଧ୍ୟରେ ଏହାକୁ‌ ନେଇ ଉତ୍କଣ୍ଠା ଲାଗି ରହିଥିବା ବେଳେ ଆପାତତଃ ଆଉ ୪ରୁ ୫ଦିନ ମଧ୍ୟରେ ଏହା ଉପରୁ ପରଦା ଉଠିବ। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ରାଜ୍ୟ ଚଳଚ୍ଚିତ୍ର ଏବଂ ଧାରାବାହିକ ପୁରସ୍କାର ପାଇଁ ଚୟନ ପ୍ରକ୍ରିୟା ଶେଷ ହୋଇଛି। ଚଳଚ୍ଚିତ୍ର ପାଇଁ ଫିଚର୍‌ ଓ ଅଣ ଫିଚର୍‌ ବର୍ଗରେ ମୋଟ୍‌ ୧୮ଟି ଚଳଚ୍ଚିତ୍ର ଆସିଥିଲା। ବିଶିଷ୍ଟ ସଂଗୀତ ନିର୍ଦେଶକ ପ୍ରଫୁଲ୍ଲ କରଙ୍କ ଅଧ୍ୟକ୍ଷତାରେ ଗଠିତ ୬ ଜଣିଆ କମିଟି ଇତିମଧ୍ୟରେ ୧୭ଟି ଚଳଚ୍ଚିତ୍ରକୁ ଦେଖି ଚୂଡ଼ାନ୍ତ ନମ୍ବର ପ୍ରଦାନ କରି ସାରିଛନ୍ତି। ଜୁରି କମିଟି ଗଠନ ହେବା ପରେ ଚଳଚ୍ଚିତ୍ର ‘କଥା ଦେଲି ମଥା ଛୁଇଁ’ର ପ୍ରଯୋଜକ ଶ୍ରୀଧର ମାର୍ଥା ଚୟନ କମିଟିରେ ବିବାଦୀୟ ବ୍ୟକ୍ତି ଥିବା ନେଇ ଅଭିଯୋଗ ଆଣିବା ସହ ନିଜ ନିର୍ମିତ ଚଳଚ୍ଚିତ୍ରକୁ ପ୍ରତ୍ୟାହାର କରିନେଇଥିବାରୁ ସଂସ୍କୃତି ବିଭାଗ ତାଙ୍କ ଆବେଦନକୁ ଗ୍ରହଣ କରିନେଇଛି। ତେଣୁ ଚଳଚ୍ଚିତ୍ରଟି ବିଚାର ପ୍ରକ୍ରିୟାରେ ସାମିଲ୍ ହୋଇନାହିଁ।

ଗୁରୁତ୍ବପୂର୍ଣ୍ଣ ବିଷୟ ଯେ ଚୟନ ପ୍ରକ୍ରିୟାକୁ ଆସିଥିବା କିଛି ଅଣଫିଚର ଚଳଚ୍ଚିତ୍ର ସେନ୍‌ସର ପ୍ରମାଣପତ୍ର ପାଇ ନଥିବାରୁ ବିଚାର ପ୍ରକ୍ରିୟାରୁ ବାଦ୍‌ ପଡ଼ିଛି। ଓଡ଼ିଆ ଚଳଚ୍ଚିତ୍ର ନିୟମ ମୁତାବକ ଫିଚର୍‌ ହେଉ ଅବା ଅଣଫିଚର୍‌ ଚଳଚ୍ଚିତ୍ର, ଯଦି ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ଫିଲ୍ମସ ସାର୍ଟିଫିକେସନ୍‌ (ସିବିଏଫ୍‌ସି)ରୁ ସେନ୍‌ସର ପ୍ରମାଣପତ୍ର ପାଇ ନଥିବେ, ତେବେ ସେଇ ଚଳଚ୍ଚିତ୍ର ଚୟନ ପ୍ରକ୍ରିୟାରୁ ବାଦ୍‌ ପଡ଼ିବ। ତେଣୁ ନିୟମ ମୁତାବକ କିଛି ଅଣଫିଚର୍‌ ଚଳଚ୍ଚିତ୍ରକୁ ବାଦ୍‌ ଦିଆଗଲା। କିନ୍ତୁ ଯେଉଁ ଚଳଚ୍ଚିତ୍ର ନିର୍ମାତାମାନେ ନିଜର ଚଳଚ୍ଚିତ୍ର ଚୟନ ପ୍ରକ୍ରିୟାକୁ ଆଣିଥିଲେ, ସେତେବେଳେ ସେନ୍‌ସର ପ୍ରମାଣପତ୍ର ନଥିବାରୁ କାହିଁକି ସେମାନଙ୍କୁ‌ ସେଇ ସମୟରେ ଜଣାଇ ଦିଆଗଲା ନାହିଁ, ସେନେଇ ପ୍ରଶ୍ନ ଉଠିଛି। ଚଳଚ୍ଚିତ୍ର ପ୍ରଯୋଜକମାନେ କିଛି ନିର୍ଦିଷ୍ଟ ଦେୟ (ଫେରିପାଇ ହେବନାହିଁ) ଦେଇ ଚଳଚ୍ଚିତ୍ରର କପି ଦେଇଥିବାରୁ ଏ ଦିଗ ପ୍ରତି ଦୃଷ୍ଟି ଦେବା ଉଚିତ୍‌ ଥିଲା ବୋଲି ଜଣେ ଚଳଚ୍ଚିତ୍ର ସମୀକ୍ଷକ କହିଛନ୍ତି। ସେହିପରି ଘନଶ୍ୟାମ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ୨୦୧୭ଟେଲି ପୁରସ୍କାର ପାଇଁ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ମୋଟ୍‌ ୧୮ଟି ଧାରାବାହିକ ଏହି ବିଚାର ପ୍ରକ୍ରିୟାକୁ ଆସିଥିବା ବେଳେ ବିଚାରକମାନେ ଆସନ୍ତାକାଲି ବିଭାଗକୁ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିବେ ବୋଲି ଜଣାପଡ଼ିଛି। ଆସନ୍ତା ୪-୫ ଦିନ ମଧ୍ୟରେ ପୁରସ୍କାର ଘୋଷଣା ହେବ ଏବଂ ମାର୍ଚ ୨ ଓ ୩ ତାରିଖରେ ପୁରସ୍କାର ଉତ୍ସବ ଆୟୋଜିତ ହେବ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର