୧୯୪୫: ବ୍ରିଟିଶ୍‌ ସରକାର ଅମଳର ଶେଷ ନିର୍ବାଚନ

0

୧୯୪୫ ମସିହାରେ ଯେଉଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ତାହା ଥିଲା ବ୍ରିଟିଶ୍‌ ସରକାର ଅମଳର ଶେଷ ନିର୍ବାଚନ। ନବନିର୍ବାଚିତ କେନ୍ଦ୍ରୀୟ ବ୍ୟବସ୍ଥାପକ ସଭା ସ୍ବାଧୀନତା ପରବର୍ତ୍ତୀ ଭାରତ ପାଇଁ ନୂଆ ସମ୍ବିଧାନ ପ୍ରଣୟନ ନିମନ୍ତେ ଶାସନ ବିଧାୟକ ସଭା ଗଠନ କରିଥିଲା।

ସ୍ବାଧୀନତା ପୂର୍ବର ଭାରତରେ ବ୍ରିଟିଶ ସରକାର ଶେଷଥର ପାଇଁ ୧୯୪୫ ଡିସେମ୍ବରରେ ନିର୍ବାଚନ କରାଇଥିଲା। ଏହି ଷଷ୍ଠ ସାଧାରଣ ନିର୍ବାଚନର ଗୁରୁତ୍ବପୂର୍ଣ୍ଣ ଦିଗ ହେଲା, ନବନିର୍ବାଚିତ କେନ୍ଦ୍ରୀୟ ବ୍ୟବସ୍ଥାପକ ସଭା ହିଁ ସ୍ବାଧୀନତା ପରବର୍ତ୍ତୀ ଭାରତ ପାଇଁ ନୂଆ ସମ୍ବିଧାନ ପ୍ରଣୟନ ନିମନ୍ତେ କନଷ୍ଟିଚ୍ୟୁଏଣ୍ଟ ଆସେଂବ୍ଲି ବା ଶାସନ ବିଧାୟକ ସଭା ଗଠନ କରିଥିଲା। ୧୯୪୫ର ଏହି ନିର୍ବାଚନରେ କଂଗ୍ରେସ ଏକକ ସଂଖ୍ୟାଗରିଷ୍ଠ ହୋଇ ନେତାଜୀଙ୍କ ବଡ଼ଭାଇ ତଥା ଜାତୀୟତାବାଦୀ ନେତା ଶରତ ଚନ୍ଦ୍ର ବୋଷଙ୍କୁ ନେତୃତ୍ବ ଦେଇଥିଲା। ମୋଟ ୧୦୨ଟି ଆସନରୁ କଂଗ୍ରେସ ୫୯ଟି ଆସନ ପାଇଥିବା ବେଳେ ମହମ୍ମଦ ଅଲ୍ଲି ଜିନ୍ନାଙ୍କ ମୁସ୍‌ଲିମ୍ ଲିଗ୍ ସମସ୍ତ ମୁସ୍‌ଲିମ୍ ଆସନ ଜିଣି ୩୦ଟି ଆସନ ଅକ୍ତିଆର୍ କରିଥିଲା। ଯଦିଓ ଏହି ନିର୍ବାଚନରେ କଂଗ୍ରେସ ଢେର ଅଧିକ ଆସନ ଜିଣି ନିରଙ୍କୁଶ ସଂଖ୍ୟଗରିଷ୍ଠତା ହାସଲ କରିଥିଲା, ମୁସ୍‌ଲିମ୍ ଲିଗ୍ ପାଇଁ ଏହା ଏକରକମ ମନସ୍ତାତ୍ତ୍ବିକ ବିଜୟ ଥିଲା। କାରଣ ସେହି ନିର୍ବାଚନରେ ଜିନ୍ନା ସମସ୍ତ ମୁସଲମାନ ଗ୍ରୁପ୍‌କୁ ଏକାଠି କରିବାରେ ସଫଳ ହୋଇଥିଲେ। କଂଗ୍ରେସ ଓ ମୁସ୍‌ଲିମ ଲିଗ୍‌ ଭଳି ଦୁଇଗୋଷ୍ଠୀ ମଧ୍ୟରେ ଏତେ ବଡ଼ ବିଭେଦ ଦୃଷ୍ଟିରୁ ଦେଶ ଅଖଣ୍ଡ ରହିଲେ ଅସ୍ଥିରତା ସୃଷ୍ଟି ହେବା ଆଶଙ୍କାରେ ବିଭାଜନ ଆସନ୍ନ ହୋଇଉଠିଲା। ଜିନ୍ନା ଏହାର ପୂରା ଫାଇଦା ଉଠାଇବାକୁ ଚେଷ୍ଟା କଲେ। ଏହାକୁ ଆଳକରି ମୁସଲମାନ ଅଧ୍ୟୁଷିତ ଅଞ୍ଚଳଗୁଡ଼ିକୁ ନେଇ ପୃଥକ୍ ରାଷ୍ଟ୍ରଗଠନ ଦାବିରେ ଲାଗିପଡ଼ିଲେ।

ଦେଶର ସଂଘୀୟ ବ୍ୟବସ୍ଥାକୁ ନେଇ ବିଧିବଦ୍ଧ ପ୍ରକ୍ରିୟା ଜାଣିବାକୁ ହେଲେ ସ୍ବାଧୀନତା ପୂର୍ବର ଏହି ଶେଷ ନିର୍ବାଚନର ପୃଷ୍ଠଭୂମି ଉପରେ ଦୃଷ୍ଟି ପକାଇବା ଉଚିତ। ୧୯ ସେପ୍ଟେମ୍ବର ୧୯୪୫ରେ ତତ୍କାଳୀନ ବଡ଼ଲାଟ (ଭାଇସରୟ) ଲର୍ଡ ୱାଭେଲ ଘୋଷଣା କଲେ ଯେ ଡିସେମ୍ବର ୧୯୪୫ ଓ ଜାନୁଆରି ୧୯୫୬ରେ ଦେଶରେ କେନ୍ଦ୍ରୀୟ ବ୍ୟବସ୍ଥାପିକା ଓ ପ୍ରାଦେଶିକ ବିଧାନସଭାଗୁଡ଼ିକର ନିର୍ବାଚନ ହେବ। ତେବେ ସେ ଏହା ମଧ୍ୟ ସ୍ପଷ୍ଟ କଲେ ଯେ ନିର୍ବାଚନ ପରେ ଏକ କାର୍ଯ୍ୟନିର୍ବାହୀ ପରିଷଦ (ଏକ୍‌ଜୁକୁଟିଭ୍ କାଉନ୍‌ସିଲ) ଗଠିତ ହେବ। ଦେଶପାଇଁ ଏକ ସମ୍ବିଧାନ ପ୍ରଣୟନ ସଭା ବା ଶାସନ ବିଧାୟକ ସଭା (କନ୍‌ଷ୍ଟିଚ୍ୟୁଏଣ୍ଟ ଆସେଂବ୍ଲି) ମଧ୍ୟ ଗଠନ କରାଯିବ। ଯଦିଓ ୧୯୩୫ ଆକ୍ଟ ଅନୁସାରେ ଦେଶରେ ଏକ ସଂଘୀୟ ଢାଞ୍ଚା କରାଯିବାର ପ୍ରସ୍ତାବ ରହିଥିଲା, ଏହା ପରବର୍ତ୍ତୀ ସାଧାରଣ ନିର୍ବାଚନ(୧୯୪୫)ରେ ବ୍ରିଟିସ ସରକାର ତାକୁ କାର୍ଯ୍ୟକାରୀ କରାଇପାରିଲେ ନାହିଁ। କାରଣ, ସରକାର ଭାବିଲେ, ଦେଶରେ ବହୁସଂଖ୍ୟାରେ ଗଡ଼ଜାତ (ଦେଶୀୟ) ରାଜ୍ୟ ଥିବାରୁ ଏହା ସମ୍ଭବ ହେବନାହିଁ। ତେଣୁକରି ୧୯୩୫ ଆକ୍ଟ ଅନୁସାରେ କେନ୍ଦ୍ରୀୟ ବ୍ୟବସ୍ଥାପିକାର ନିବାର୍ଚନ କରାନଯାଇ ପୂର୍ବର ସେଇ ୧୯୧୯ ଆକ୍ଟ ଅନୁସାରେ କରାଗଲା। ତେଣୁ ପ୍ରସ୍ତାବିତ ୩୭୫ ଆସନ ବଦଳରେ ସେଇ ପୁରୁଣା ୧୦୨ ଆସନରେ ନିର୍ବାଚନ ହେଲା। ପ୍ରଥମ ଥର ପାଇଁ କଂଗ୍ରେସ ଦଳ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା (୫୯ ଆସନ)। କେନ୍ଦ୍ରୀୟ ବ୍ୟବସ୍ଥାପିକାରେ କଂଗ୍ରେସର ନେତୃତ୍ବ ନେଲେ ନେତାଜୀଙ୍କ ବଡ଼ଭାଇ ତଥା ଜାତୀୟତାବାଦୀ ନେତା ଶରତ ଚନ୍ଦ୍ର ବୋଷ। ଶରତ ଚନ୍ଦ୍ର ୧୯୩୬ରେ ବଂଗ ପ୍ରଦେଶ କଂଗ୍ରେସ କମିଟିର ସଭାପତି ହେବା ସହ ୧୯୪୭ ଯାଏ ଏଆଇସିସିର ସଦସ୍ୟ ରହିଥିଲେ। ଗାନ୍ଧିଜୀଙ୍କ ଡାକରାରେ ୧୯୪୨ର ଭାରତଛାଡ଼ ଆ‌େନ୍ଦାଳନରେ ଝାସ ଦେବା ସହ ସାନଭାଇ ସୁଭାଷ ଚନ୍ଦ୍ର ବୋଷଙ୍କ ଇଣ୍ଡିଆନ୍ ନ୍ୟାସ୍‌ନାଲ ଆର୍ମିର ମଧ୍ୟ ଜଣେ ଦୃଢ଼ ସମର୍ଥକ ଥିଲେ। ୧୯୪୬ରେ ବଡ଼ଲାଟଙ୍କ ଅଧ୍ୟକ୍ଷତାରେ ତଥା ନେହେରୁ ଓ ପଟେଲଙ୍କ ନେତୃତ୍ବରେ ଗଠିତ ଅନ୍ତରୀଣ ସରକାର(କାର୍ଯ୍ୟନିର୍ବାହୀ ପରିଷଦ)ରେ ଶରତ ସଦସ୍ୟ ହୋଇ ପୂର୍ତ୍ତ, ଖଣି ଓ ଶକ୍ତି ବିଭାଗ ଦାୟିତ୍ବରେ ରହିଥିଲେ। ହିନ୍ଦୁ ଓ ମୁସ୍‌ଲିମ୍ ସଂଖ୍ୟାଗରିଷ୍ଠ ଅଞ୍ଚଳକୁ ପୃଥକ୍ ପୃଥକ୍ କରି ବେଙ୍ଗଲ୍‌କୁ ଦୁଇଟି ରାଜ୍ୟରେ ବିଭାଜନ କରିବାର କ୍ୟାବିନେଟ୍ ମିସନ୍ ପ୍ଲାନ୍‌କୁ ସେ ବିରୋଧ କରୁଥିଲେ। ଅଖଣ୍ଡ ବେଙ୍ଗଲ ଚାହୁଥିବା ଶରତ ଏ ନେଇ ଗାନ୍ଧିଜୀ ଓ ଜିନ୍ନାଙ୍କ ସମର୍ଥନ ମଧ୍ୟ ଲାଭ କରିଥିଲେ। ହେଲେ କଂଗ୍ରେସ ଦଳର ଭିନ୍ନ ମତ ଦୃଷ୍ଟିରୁ ସେ ଏଆଇସିସିରୁ ଇସ୍ତଫା ଦେଲେ। ସ୍ବାଧୀନତା ପରବର୍ତ୍ତୀ ସମୟରେ ସାନଭାଇ ସୁଭାଷଙ୍କ ଫର୍‌ୱାର୍ଡ଼ ବ୍ଲକ୍‌କୁ ନେତୃତ୍ବ ଦେବା ସହ ସୋସାଲିଷ୍ଟ ରିପବ୍ଲିକାନ୍ ପାର୍ଟି ମଧ୍ୟ ସେ ଗଠନ କରିଥିଲେ। ୧୯୫୦ରେ ତାଙ୍କର ମୃତ୍ୟୁ ହୋଇଥିଲା।

୧୯୪୫ ନିର୍ବାଚନ ଫଳାଫଳ

ଦଳ                                ଆସନ             ନେତା
ଭାରତୀୟ ଜାତୀୟ କଂଗ୍ରେସ       ୫୯         ଶରତ ଚନ୍ଦ୍ର ବୋଷ
ମୁସ୍‌ଲିମ୍‌ ଲିଗ୍‌                       ୩୦         ମହମ୍ମଦ ଅଲ୍ଲି ଜିନ୍ନା
ଅକାଳି ଦଳ                            ୨          ……..
ସ୍ବାଧୀନ                                ୩          …..
ଇଉରୋପିଆନ୍‌                        ୮         ଯୋଶେଫ ଗ୍ରିଫିଥ୍‌ସ
ସମୁଦାୟ                          ୧୦୨           ……….

ସମ୍ବନ୍ଧିତ ଖବର

Leave A Reply

Your email address will not be published.