ଅନଶନ ପୂର୍ବରୁ ରେଷ୍ଟୁରାଣ୍ଟ୍‌ରେ କଂଗ୍ରେସ ନେତାମାନେ ଛୋଲେ-ଭଟୋରେ ଖାଉଥିଲେ ବୋଲି ଅଭିଯୋଗ ଆଣିଲେ ବିଜେପି ନେତା

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ସୋମବାର ରାଜଘାଟରେ ହୋଇଥିବା ଦଳର ଏକ ଦିନିକିଆ ଅନଶନକୁ ନେଇ ବିବାଦ ଉପୁଜିଛି। ଜଣେ ବିଜେପି ନେତା ଅଭିଯୋଗ ଆଣିଛନ୍ତି ଯେ କଂଗ୍ରେସ ଦଳର ସଦସ୍ୟମାନେ ରାଜଘାଟରେ ଅନଶନରେ ବସିବା ପୂର୍ବରୁ ଏକ ରେଷ୍ଟୁରାଣ୍ଟରେ ଖାଦ୍ୟ ଖାଇଛନ୍ତି। ସେ ପ୍ରମାଣ ସ୍ୱରୂପ ଟୁଇଟର୍‌ରେ କଂଗ୍ରେସ ସଦସ୍ୟମାନେ ଖାଉଥିବା ବେଳର ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ନୂଆଦିଲ୍ଲୀର ଏକ ରେଷ୍ଟୁରାଣ୍ଟ ମଧ୍ୟରେ କଂଗ୍ରେସ ନେତା ଅଜୟ ମାକେନ, ହରୁନ ୟୁସୁଫ୍‌, ଏବଂ ଅରବିନ୍ଦର ସିଂହ ଲଭଲି ପ୍ରମୁଖ ଖାଉଥିଲେ ବୋଲି ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମଦନ ଲାଲ ଖୁରାନାଙ୍କ ପୁଅ ତଥା ବିଜେପି ନେତା ଅରିସ୍‌ ଖୁରାନା ଅଭିଯୋଗ ଆଣି ଟୁଇଟର୍‌ରେ ଫଟୋ ସେୟାର କରିଛନ୍ତି।

ସେ କହିଛନ୍ତି କି ଅନ୍ୟ କଂଗ୍ରେସ ସମର୍ଥକମାନେ ଅଖିଆ ଅପିଆ ରାଜଘାଟରେ ଅନଶନ କରିବାକୁ ଧାଇଁ ଆସିଥିବା ବେଳେ ଏଠାରେ ବରିଷ୍ଠ ନେତାମାନେ ଆରାମରେ ବସି ରେଷ୍ଟୁରାଣ୍ଟ ଭିତରେ ଛୋଲେ ଭଟୋରେର ମଜା ନେଉଛନ୍ତି।

ଏହି ଟୁଇଟ୍‌ରେ ପ୍ରତିକ୍ରିୟା ଦେଖାଇ କଂଗ୍ରେସ ନେତା ଲଭଲି କହିଛନ୍ତି, ‘ଏହି ଫଟୋଟି ହେଉଛି ସକାଳ ୮.୩୦ ସମୟର। ଆମର ଅନଶନ ୧୦.୩୦ରୁ ୪.୩୦ ପର୍ଯ୍ୟନ୍ତ ଥିଲା। ଏହା ଉପବାସ ଅନଶନ(ହଙ୍ଗର ଷ୍ଟ୍ରାଇକ୍‌) ନଥିଲା।’ ସେ ବିରକ୍ତ ପ୍ରକାଶ କରି ଆହୁରି ବି କହିଛନ୍ତି କି ‘ଏହା ହେଉଛି ବିଜେପିର ସମସ୍ୟା। ସେ ଦେଶକୁ ଠିକ୍‌ ଭାବେ ଚଳାଇବା ଛାଡ଼ି ଆମ ଖାଇବା ଉପରେ ଦୃଷ୍ଟି ନିକ୍ଷେପ କରୁଛି।’

 

ସମ୍ବନ୍ଧିତ ଖବର