ବୁଲେଟ୍‌ ଟ୍ରେନ୍‌ର ସମାଲୋଚକମାନେ ଶଗଡ଼ ବ୍ୟବହାର କରନ୍ତୁ: ପ୍ରଧାନମନ୍ତ୍ରୀ ମୋଦି

ଆମୋଦ (ଭାରୁଚ): ଅହମଦାବାଦ-ମୁମ୍ବାଇ ବୁଲେଟ୍‌ ଟ୍ରେନ୍‌ ଚଳାଚଳକୁ ସମାଲୋଚନା କରୁଥିବା ବ୍ୟକ୍ତିଙ୍କୁ ପାଲଟା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର ଦିନ ସେ କହିଛନ୍ତି ଯେ ଏହି ପ୍ରକଳ୍ପକୁ ବିରୋଧ କରୁଥିବା କଂଗ୍ରେସ ଏବଂ ଅନ୍ୟ ବିରୋଧୀମାନେ ଯାତାୟାତ ପାଇଁ ଶଗଡ଼ ବ୍ୟବହାର କରନ୍ତୁ।

ଭାରୁଚ ନିକଟସ୍ଥ ଆମୋଦ ଠାରେ ଏକ ରାଲିରେ ଉଦ୍‌ବୋଧନ ଦେଇ ଏ କଥା କହିଛନ୍ତି ପ୍ରଧାନମନ୍ତ୍ରୀ। ସେହି ବାଟ ଦେଇ ବୁଲେଟ୍‌ ଟ୍ରେନ୍‌ ଯିବା ଆସିବା କରିବ। ସେ କହିଥିଲେ କି, ଜାପାନ ଠାରୁ ସଫ୍‌ଟ୍‌ ଲୋନ୍‌ରେ ଅଣାଯାଇ ଆରମ୍ଭ ହେଉଥିବା ଏହି ୧ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ଯାତାୟାତକୁ ଦ୍ରୁତତର କରିବା ସହ ବହୁ କର୍ମସଂସ୍ଥାନ ମଧ୍ୟ ସୃଷ୍ଟି କରିବ। ଯେଉଁମାନେ ବୁଲେଟ୍‌ ଟ୍ରେନ୍‌କୁ ବିରୋଧ କରୁଛନ୍ତି, ସେମାନେ ବଳଦ ଗାଡ଼ିରେ ଯାତାୟାତ କରି ପାରନ୍ତି। ଆମେ ଆମ ସୁବିଧାନୁସାରେ କାମ କରିବୁ, ତୁମେ ତୁମ ସୁବିଧା ଅନୁସାରେ କର।

କଂଗ୍ରେସ ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପକୁ କାହିଁକି ସମାଲୋଚନା କରୁଛି ତାହା ମଧ୍ୟ ମୋଦି କହିଥିଲେ। ସେ କହିଲେ ଯେ ବଡ଼ ଘୋଷଣା କରି କଂଗ୍ରେସ ଏହି ପ୍ରକଳ୍ପକୁ ଆରମ୍ଭ କରି ପାରି ନ ଥିଲା। ୨୦୧୨ରେ ନୂଆଦିଲ୍ଲୀ ଠାରେ ଡକ୍ଟର ମନମୋହନ ସିଂହ ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପ ଘୋଷଣା କରିଥିଲେ। କିନ୍ତୁ ତାଙ୍କ ସରକାର ତାଙ୍କ ସରକାର ସଫ୍‌ଟ୍‌ ଲୋନ୍‌ ପାଇଁ ଜାପାନ ସହ ବୁଝାମଣା କରି ପାରି ନ ଥିଲା। କିନ୍ତୁ, ବିଜେପି କ୍ଷମତାକୁ ଆସିବା ପରେ ଋଣ ପାଇବାରେ ସମର୍ଥ ହୋଇଛି ଏବଂ କାମ ଆରମ୍ଭ ମଧ୍ୟ କରିଛି।

କଂଗ୍ରେସକୁ ବିକାଶ ବିରୋଧୀ ବୋଲି ଅଭିହିତ କରି ମୋଦି କହିଛନ୍ତି, କଂଗ୍ରେସ ସହ ମୋର ଏକମାତ୍ର ସମସ୍ୟା ହେଉଛି, ସେ ସବୁବେଳେ ବିକାଶମୂଳକ ପ୍ରକଳ୍ପର ବିରୋଧ କରୁଛି। କାରଣ ସେମାନେ ଏହାକୁ ଘୋଷଣା କରି ମଧ୍ୟ ପ୍ରଣୟନ କରି ପାରି ନାହାନ୍ତି।

ସମ୍ବନ୍ଧିତ ଖବର