ନବୀନଙ୍କ ଗଡ଼ରେ ନବାଗତଙ୍କ ଟକ୍କର : ପ୍ରଥମ ଥର ଲାଗି ନିର୍ବାଚନ ଲଢ଼ୁଥିବା ୩ ପ୍ରାର୍ଥୀଙ୍କ ଭିତରେ ହେବ ଜୋରଦାର ଲଢ଼େଇ LatestLeadingଜନାଦେଶ ଓଡ଼ିଶା By Sambad Digital Last updated Apr 13, 2019 ସେୟାର ଭୁବନେଶ୍ୱର( ସୁବ୍ରତ ଦାସ) : ଆସ୍କା ଲୋକସଭା ନିର୍ବାଚନମଣ୍ଡଳୀ ଏବେ ଦୁଲୁକିଛି। ଏଠାରେ ଭୋଟଗ୍ରହଣ ଆଉ ୫ ଦିନ ପରେ । ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କର ଏହା ଗଡ଼ ଏବଂ ସେ ଆଜି ଏ ଅଂଚଳରେ ମାରାଥନ୍ ପ୍ରଚାର କରିଛନ୍ତି। ଅନ୍ୟପକ୍ଷରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମଧ୍ୟ ପୋଲସରାରେ ନିର୍ବାଚନ ପ୍ରଚାର କରିଯାଇଛନ୍ତି। Sambad is now on WhatsApp Join and get latest news updates delivered to you via WhatsApp Join Now ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ଏଥର ବିଜୁ ଜନତା ଦଳ ପ୍ରାର୍ଥୀ ହୋଇଛନ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନେତ୍ରୀ ପ୍ରମିଳା ବିଷୋଇ। ତାଙ୍କ ବିପକ୍ଷରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ କରିଛି ଗଂଜାମ ଜିଲ୍ଲାର ଟାଣୁଆ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ କନ୍ୟା ଅନୀତା ପ୍ରିୟଦର୍ଶିନୀଙ୍କୁ। ଅନ୍ୟ ପକ୍ଷରେ କଂଗ୍ରେସ ଏଥର ସିପିଆଇକୁ ଆସନ ବୁଝାମଣା କ୍ରମରେ ଏହି ଆସନଟି ଛାଡ଼ି ଦେଇଛି। ଏଠାରୁ ଲଢ଼ୁଛନ୍ତି ସିପିଆଇର ଲଢ଼ୁଆ ଛାତ୍ର ତଥା ଯୁବନେତା ରାମକୃଷ୍ଣ ପଣ୍ଡା। ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜୟ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଇଁ ବ୍ୟକ୍ତିଗତ ମର୍ଯ୍ୟାଦାର ପ୍ରଶ୍ନ। ନବୀନ ୧୯୯୭ ମସିହାରେ ରାଜନୀତିରେ ପ୍ରବେଶ କରିବା ପରେ ଏହି ନିର୍ବାଚନ ମଣ୍ଡଳୀରୁ ଲୋକସଭାକୁ ପ୍ରଥମେ ନିର୍ବାଚିତ ହୋଇଥିଲେ ଏବଂ ରାଜ୍ୟରେ କ୍ଷମତା ଗାଦିରେ ବସିବା ପର୍ଯ୍ୟନ୍ତ ସେ ଲୋକସଭାରେ ଏହି ଆସନକୁ ପ୍ରତିନିଧିତ୍ୱ କରିଥିଲେ। ୨୦୦୦ ମସିହାରେ ଏହି ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ହିଞ୍ଜିଳି ବିଧାନସଭା ଆସନରୁ ସେ କ୍ରମାଗତ ୪ଥର ଜିତିଛନ୍ତି ଏବଂ ଏଥର ୫ ଥର ପାଇଁ ଲଢ଼ୁଛନ୍ତି। ସେଥିପାଇଁ ଆସ୍କା ଲୋକସଭା ଆସନ ଜିତିବା ନବୀନଙ୍କ ପାଇଁ ଗୁରୁତ୍ୱ ବହନ କରେ। ନବୀନ ଆଜି ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଂଚଳରେ ମାରାଥନ୍ ପ୍ରଚାର କରିବା ସାଂଗକୁ ଦୀର୍ଘ ୨୨ କିଲୋମିଟର ରୋଡ ସୋ କରିଛନ୍ତି। ‘ଭାରତୀୟ ଜନତା ପାର୍ଟିର ଇଂଜିନ କିଏ’ ବୋଲି ପ୍ରଶ୍ନ ପଚାରି ସେ ଗୁଗ୍ଲି ଫୋପାଡ଼ିଛନ୍ତି। ଆସ୍କା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କର ଅଂଚଳ ବୋଲି ସ୍ମରଣ କରାଇ ଦେଇ ସେ ସ୍ଥାନୀୟ ଲୋକମାନଙ୍କ ସହ ଭାବଗତ ସଂପର୍କକୁ ଅଧିକ ଦୃଢ଼ କରିଛନ୍ତି। ଏଥିସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନେତ୍ରୀ ପ୍ରମିଳା ବିଷୋଇଙ୍କୁ ଏଥର ପ୍ରାର୍ଥୀ କରି ମହିଳା ସଶକ୍ତୀକରଣ ପାଇଁ ଆଗ୍ରହୀ ବୋଲି ଏକ ବାର୍ତ୍ତା ଦେଇଛନ୍ତି। ଅନ୍ୟପକ୍ଷରେ ଭାରତୀୟ ଜନତା ପାର୍ଟି ଅବିିଭକ୍ତ ଗଂଜାମ ଜିଲ୍ଲାର ଜଣେ ଟାଣୁଆ ନେତା ରାମକୃଷ୍ଣ ପଟ୍ଟନାୟକ ତଥା ତାଙ୍କର ଶିକ୍ଷୟିତ୍ରୀରୁ ସାଂସଦ ବନିଥିବା ପତ୍ନୀ କୁମୁଦିନୀ ପଟ୍ଟନାୟକଙ୍କର କନ୍ୟା ଅନୀତା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରି ଏହି ପରିବାରର ଲୋକସଂପର୍କରୁ ଫାଇଦା ଉଠାଇବା ପାଇଁ ଉଦ୍ୟମ କରିଛି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ପୋଲସରାଠାରେ ନିର୍ବାଚନ ପ୍ରଚାର କରି ବିଜୁ ଜନତା ଦଳ ସରକାର ବିରୋଧରେ ବଷୋଦ୍ଗାର କରିଛନ୍ତି। ଏଠାରୁ ଦଳୀୟ ପ୍ରାର୍ଥୀ ଜିତିବାର ବହୁ ସମ୍ଭାବନା ରହିଛି ବୋଲି ଭାରତୀୟ ଜନତା ପାର୍ଟିର ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର ସମ୍ବାଦ-ଡ଼ଟ୍-ଇନଙ୍କୁ ଫୋନ୍ ଯୋଗେ କହିଛନ୍ତି। photo by : India.com କଂଗ୍ରେସ ଦଳ ଏଥର ସିପିଆଇକୁ ସମର୍ଥନ କରି ଏହି ଆସନଟି ଛାଡ଼ି ଦେଇଛିି । ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ୱାଳ ଏ ଅଂଚଳରେ ପ୍ରଚାର କରିଯାଇଛନ୍ତି। ସିପିଆଇ ରାଷ୍ଟ୍ରୀୟ ସାଂପାଦିକା ଅମର୍ଜିତ କୌର୍ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ଧରି ପୋଲସରା ଓ ଆସ୍କା ଅଂଚଳରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। ‘ଯୁବକମାନଙ୍କ ମଧ୍ୟରେ ଆମ ଦଳର ପ୍ରାର୍ଥୀଙ୍କ ପାଇଁ ଦେଶ ସମର୍ଥନ ପରିଲକ୍ଷିତ ହେଉଛି’ ବୋଲି ସିପିଆଇ ରାଜ୍ୟ ସଂପାଦକ ଦିବାକର ନାୟକ ସମ୍ବାଦ-ଡ଼ଟ୍-ଇନ କୁ କହିଛନ୍ତି। ‘ତେଣେ ବିଜୁ ଜନତା ଦଳ ପକ୍ଷରୁ ଜଣେ ଅଳ୍ପ ପାଠୁଆ ମହିଳାଙ୍କୁ ପ୍ରାର୍ଥୀ କରାଯାଇଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରେ ବହୁ ପାଠ ପଢ଼ୁଆ ବୋହୂ ଅଛନ୍ତି। ସେମାନଙ୍କୁ ପ୍ରାର୍ଥୀ କରାଯାଇଥିଲେ ସେମାନେ ଲୋକସଭାରେ ଭଲ ଭାବେ ମହିଳା ଓ ସ୍ଥାନୀୟ ସମସ୍ୟା ଉପସ୍ଥାପନ କରିପାରିଥାନ୍ତେ ବୋଲି ଯୁବକମାନେ ଭାବୁଛନ୍ତି’ ବୋଲି ଶ୍ରୀ ନାୟକ ପ୍ରକାଶ କରିଛନ୍ତି।