ଏକ୍‌ଜିଟ୍‌ ପୋଲ୍‌ : କର୍ଣ୍ଣାଟକରେ ଝୁଲା ବିଧାନସଭା!; କାହାରିକୁ ସ୍ପଷ୍ଟ ବହୁମତ ମିଳିବାର ସମ୍ଭାବନା ନାହିଁ

ବେଙ୍ଗାଲୁରୁ : କର୍ଣ୍ଣାଟକରେ କୌଣସି ନିର୍ଦିଷ୍ଟ ଦଳକୁ ଆବଶ୍ୟକ ସଂଖ୍ୟାଗରିଷ୍ଠତା ମିଳିବ ନାହିଁ। ଝୁଲା ବିଧାନସଭା ହେବ। କଂଗ୍ରେସ ଏବଂ ବିଜେପି ମଧ୍ୟରେ କଡ଼ା ଟକ୍କର ହେବ। ଆଜି ରାଜ୍ୟ ବିଧାନସଭା ପାଇଁ ମତଦାନ ଶେଷ ହେବା ପରେ ବିଭିନ୍ନ ସଂସ୍ଥା ପକ୍ଷରୁ ପ୍ରକାଶିତ ଏକଜିଟ୍‌ ପୋଲ୍‌ ସର୍ଭେରେ ଏଭଳି ପୂର୍ବାନୁମାନ କରାଯାଇଛି। ଅଧିକାଂଶ ସଂସ୍ଥାଙ୍କ ରିପୋର୍ଟ ଅନୁଯାୟୀ ବିଜେପି ସର୍ବାଧିକ ଆସନ ହାସଲ କରିବ। ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡ଼ାଙ୍କ ଜେଡିଏସ୍‌ କିଙ୍ଗ୍‌ ମେକରର ଭୂମିକା ନେବ। ଉକ୍ତ ଦଳ ଯାହାକୁ ସମର୍ଥନ କରିବ ସେହି ଦଳ ସରକାର ଗଠନ କରିବ। ଏଭଳି ପୂର୍ବାନୁମାନ ପ୍ରକାଶ ପାଇବା ପରେ ରାଜ୍ୟରେ ରାଜନୈତିକ ଗତିବିଧି ତୀବ୍ର ହୋଇଛି। ଜେଡିଏସ୍‌ର ସମର୍ଥନ ହାସଲ ଉଦ୍ଦେଶ୍ୟରେ ଉଭୟ ବିଜେପି ଏବଂ କଂଗ୍ରେସ ଉଦ୍ୟମ ଆରମ୍ଭ କରିଦେଇଛନ୍ତି।

୨୨୪ ସଭ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭାର ୨୨୨ ଆସନ ଲାଗି ଆଜି ମତଦାନ ହୋଇଛି। ମତଦାନ ଗତବର୍ଷ ତୁଳନାରେ କମ ରହିଛି। ଗତବର୍ଷ ୭୧.୪ ଭାଗ ମତଦାନ ହୋଇଥିବା ବେଳେ ଏଥର ୭୦ ଭାଗ ମତଦାନ ହୋଇଛି।

ରାଜ୍ୟ ବିଧାନସଭାରେ ଏବେ କଂଗ୍ରେସର ୧୨୨, ବିଜେପିର ୪୦ ଏବଂ ଜେଡିଏସର ୪୦ ବିଧାୟକ ଅଛନ୍ତି। ସରକାର ଗଠନ ଲାଗି ୧୧୩ ଆସନ ଆବଶ୍ୟକ ଥିବା ବେଳେ ଏଥର କୌଣସି ଦଳ ନିଜ ଦମରେ ଏତେ ସଂଖ୍ୟକ ଆସନ ପାଇବା ସମ୍ଭାବନା କ୍ଷୀଣ ବୋଲି ସର୍ଭେ ସଂସ୍ଥା ପକ୍ଷରୁ କୁହାଯାଇଛି। ତେବେ ଆସନ୍ତା ୧୫ ତାରିଖରେ ଭୋଟଗଣତି ହେବ ଏବଂ ପୂର୍ବାହ୍ନ ସୁଦ୍ଧା ସ୍ଥିତି ସ୍ପଷ୍ଟ ହୋଇଯିବ।

ଟାଇମ୍‌ସ ନାଓ-ଭିଏମ୍‌ଆର୍‌ ଏକଜିଟ୍‌ ପୋଲ ଅନୁଯାୟୀ କଂଗ୍ରେସ ସବୁଠାରୁ ବଡ଼ ଦଳ ହେବ। କଂଗ୍ରେସକୁ ରାଜ୍ୟରେ ୯୦ରୁ ୧୦୩ ଆସନ ମିଳିବ ବୋଲି ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ବିଜେପି ୮୦ରୁ ୯୩ ଆସନ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିବ। ଜେଡିଏସ୍‌କୁ ୩୧ରୁ ୩୯ ଆସନ ମିଳିବା ସମ୍ଭାବନା ରହିଛି। ଇଣ୍ଡିଆ ଟୁଡେ-ଏକ୍ସିସ ଏକ୍‌ଜିଟ୍‌ ପୋଲ୍‌ରେ କଂଗ୍ରେସ ରାଜ୍ୟରେ ସଂଖ୍ୟାଗରିଷ୍ଠତା ହାସଲ କରିବ ବୋଲି କୁହାଯାଇଛି। ଏହା ମୁତାବକ କଂଗ୍ରେସ ସର୍ବାଧିକ ୧୦୬ରୁ ୧୧୬ ଆସନ ହାସଲ କରିବ। ବିଜେପିକୁ ୭୯ରୁ ୯୨ ଆସନ ମିଳିବା ଅନୁମାନ କରାଯାଇଛି। ଜେଡିଏସ୍‌କୁ ୨୨ରୁ ୩୦ ସିଟ୍‌ ମିଳିବା ସମ୍ଭାବନା ରହିଛି। ସେହିଭଳି ଏବିପି-ସି ଭୋଟର୍‌ ଏକ୍‌୍‌ଜିଟ ପୋଲ ମୁତାବକ ବିଜେପି ସବୁଠାରୁ ବଡ଼ ଦଳ ହେବା ସମ୍ଭାବନା ରହିଛି। ବିଜେପିକୁ ୯୭ରୁ ୧୦୯ ଆସନ ମିଳିବ ଏବଂ କଂଗ୍ରେସ ୮୭ରୁ ୯୯ ଆସନ ମଧ୍ୟରେ ସୀମିତ ରହିବ। ଜେଡିଏସ୍‌କୁ ୨୧ରୁ ୩୦ ଆସନ ମିଳିବ ବୋଲି ଅନୁମାନ କରାଯାଇଛି।

ଟୁଡେଜ୍‌ ଚାଣକ୍ୟ ଏକ୍‌ଜିଟ୍‌ ପୋଲ ଅନୁସାରେ ବିଜେପିକୁ ୧୦୬ ସିଟ୍‌ ମିଳିବାର ସମ୍ଭାବନା ରହିଛି। କଂଗ୍ରେସକୁ ୭୫ ଏବଂ ଜେଡିଏସ୍‌୍‌କୁ ୩୭ ଆସନ ମିଳିବ ବୋଲି କୁହାଯାଇଛି। ରିପବ୍ଲିକ୍‌ ଟିଭି ଏକ୍‌୍‌ଜିଟ୍‌ ପୋଲ ମୁତାବକ ବିଜେପିକୁ ୯୫ରୁ ୧୧୪ ଆସନ ମିଳିବ। ଅନ୍ୟପକ୍ଷରେ କଂଗ୍ରେସ ୭୩ରୁ ୮୨ ଆସନ ଏବଂ ଜେଡିଏସ୍‌ ୩୨ରୁ ୪୩ ଆସନ ପାଇବ ବୋଲି ଅନୁମାନ କରାଯାଇଛି।

ଚଳିତ ବର୍ଷ ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଆସନ୍ତା ବର୍ଷ ପ୍ରାରମ୍ଭରେ ଲୋକସଭା ନିର୍ବାଚନ ହେବାର ସମ୍ଭାବନା ରହିଛି। ଏହାପୂର୍ବରୁ କର୍ଣ୍ଣାଟକ ନିର୍ବାଚନ ଫଳାଫଳ ଜାତୀୟ ରାଜନୀତି ଦୃଷ୍ଟିରୁ ଗୁରୁତ୍ୱ ବହନ କରୁଛି।

ସମ୍ବନ୍ଧିତ ଖବର