ନୂଆଦିଲ୍ଲୀ: ଆସନ୍ତା ୧୬ ତାରିଖରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ବିଧିବଦ୍ଧ ଭାବେ ଦଳର ନେତୃତ୍ୱ ସମ୍ଭାଳିବେ ବୋଲି ଜଣାଯାଇଛି। ଦୀର୍ଘ ୧୭ ବର୍ଷ ଧରି କଂଗ୍ରେସର ମଙ୍ଗ ଧରିଥିବା ମା’ ସୋନିଆ ଗାନ୍ଧୀଙ୍କ ଠାରୁ ରାହୁଲ ଆସନ୍ତା ଶନିବାର ଦଳର ଅଧ୍ୟକ୍ଷ ଦାୟିତ୍ୱଭାର ଗ୍ରହଣ କରିବେ। ତେବେ ଆସନ୍ତାକାଲି ଏ ସମ୍ପର୍କରେ ଔପଚାରିକ ଘୋଷଣା ହେବ ବୋଲି ଆଲୋଚନା ହେଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଥାଉ କି, କଂଗ୍ରେସର ଏହି ସର୍ବୋଚ୍ଚ ପଦବିର ନିର୍ବାଚନ ପାଇଁ ରାହୁଲ ହିଁ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି। ତେବେ ଔପଚାରିକତା ଦୃଷ୍ଟିରୁ ଆସନ୍ତାକାଲି ଦଳର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ(ସିଇଏ)ଅଧ୍ୟକ୍ଷ ମୁଲାପାଲ୍ଲି ରାମଚନ୍ଦ୍ରନ୍ ଏବଂ ସଦସ୍ୟ ମଧୁସୂଦନ ମିସ୍ତ୍ରି ଓ ଭୁବନେଶ୍ୱର କୁମାର ଏ ସମ୍ପର୍କରେ ଘୋଷଣା କରିବେ। ଏହା ପରେ ରାହୁଲଙ୍କ ଦାୟିତ୍ୱ ଗ୍ରହଣ ସମ୍ପର୍କରେ ତାରିଖ ଧାର୍ଯ୍ୟ କରାଯିବ। ତେବେ ଆସନ୍ତା ୧୬ ତାରିଖରେ ହିଁ ସୋନିଆ ଏବଂ ଦଳର ବରିଷ୍ଠ ନେତୃମଣ୍ଡଳୀଙ୍କ ଉପସ୍ଥିତିରେ ରାହୁଲଙ୍କୁ ଦଳର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତି ସମ୍ପର୍କିତ ପ୍ରମାଣପତ୍ର ପ୍ରଦାନ କରାଯିବ ବୋଲି ବିଶେଷ ସୂତ୍ରରୁ ଜଣାଯାଇଛି।
ଆସନ୍ତା ୧୮ ତାରିଖରେ ହିମାଚଳପ୍ରଦେଶ ଏବଂ ଗୁଜରାଟ ବିଧାନସଭା ନିର୍ବାଚନର ଭୋଟଗଣତି ହେବାକୁ ଥିବା ବେଳେ ଏହାର ଦୁଇ ଦିନ ପୂର୍ବରୁ ରାହୁଲଙ୍କୁ ଦଳର ଅଧ୍ୟକ୍ଷ ଆସନରେ ଅଧିଷ୍ଠାନ କରାଇବାକୁ ବରିଷ୍ଠ ଦଳୀୟ ନେତାମାନେ ଚାହୁଥିବା ଶୁଣାଯାଉଛି। ଦଳର ପୁରୁଖା ଏବଂ ତରୁଣ ନେତାଙ୍କ ମଧ୍ୟରେ ତାଳମେଳ ରଖି ଗୁଜରାଟ ନିର୍ବାଚନ ପ୍ରଚାରରେ ପ୍ରମୁଖ ଭୂମିକା ତୁଲାଇଥିବା ରାହୁଲଙ୍କ ଏହି ଗୁରୁ ଦାୟିତ୍ୱ ୨୦୧୯ ସାଧାରଣ ନିର୍ବାଚନ ପାଇଁ ଦଳକୁ ନୂତନ ମାର୍ଗଦର୍ଶନ କରାଇବ ବୋଲି ଅନେକ ଆଶା ରଖିଛନ୍ତି।