ପିଲାଦିନେ ଜରିଗୋଟାଳିି ଥିଲେ ଚଣ୍ଡିଗଡ଼ର ମେୟର

ଚଣ୍ଡିଗଡ଼: ଜୀବନର ଗତିପଥ କାହା ପାଇଁ କେମିତି ଏହା ସତରେ ଆକଳନ କରିବା ବଡ଼ କଷ୍ଟ। ତେବେ ଆମେ ଆଜି ଏପରି ଜଣେ ରାଜନେତାଙ୍କ ଜୀବନ ସମ୍ପର୍କରେ ଆଲୋଚନା କରୁଛୁ, ଯିଏ ଦିନକୁ ଦୁଇଓଳି ଦାନ ଗଣ୍ଡାଏ ଯୋଗାଡ଼ କରିବା ପାଇଁ ଚଣ୍ଡିଗଡ଼ର ରାଜରାସ୍ତା ଠାରୁ ଆରମ୍ଭ କରି ଗଳିକନ୍ଦି ଯାଏ ବୁଲି ବୁଲି ଜରି ଗୋଟାଉଥିଲେ। ହେଲେ ସେ ଏବେ ଚଣ୍ଡିଗଡ଼ର ପ୍ରଥମ ନାଗରିକ ବା ମେୟର। କର୍ତ୍ତବ୍ୟପ୍ରତି ସମର୍ପିତ ଏହି ବିଜେପି ରାଜନେତା ଜଣକ ହେଉଛନ୍ତି ୪୬ ବର୍ଷ ବୟସ୍କ ରାଜେଶ କାଲିଆ।
ରାଜେଶ କାଲିଆ ବାଲ୍ମୀକି ସମ୍ପ୍ରଦାୟର ଲୋକ। ତାଙ୍କ ବାପା କୁନ୍ଦନ ଲାଲ ଜଣେ ସୁଇପର ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ଭାଇ ଏବେ ବି ଜଣେ ସୁଇପର ଭାବେ କାଯ୍ୟ କରନ୍ତି ।ପିଲାଦିନେ ନିଜ ପେଟ ପୋଷିବା ପାଇଁ ରଜେଶ କାଲିଆ ଜରି ଗୋଟାଳିଭାବେ କାମ କରୁଥିଲେ। ନିକଟରେ ୨୭ଟି ଭୋଟରରୁ ୧୬ ପାଇ ଚଣ୍ଡିଗଡ଼ର ମେୟର ଆସନରେ ବସିଥିବା ଶ୍ରୀ କାଲିଆ ନିଜ ଜୀବନର ସଂଘର୍ଷ ସମ୍ପର୍କରେ କହନ୍ତି ଯେ,ସ୍କୁଲରୁ ଫେରିବା ପରେ ସେ ତାଙ୍କ ଭାଇଙ୍କ ସହିତ ଅଳିଆ ଗଦା ବୁଲି ବୁଲି ଜରି ଗୋଟାଉଥିଲେ। ଏଥିରେ ସେ ତାଙ୍କ ପରିବାରର ଗୁଜୁରାଣ ମେଣ୍ଟାଇବାର ସାହାଯ୍ୟ କରୁଥିଲେ। ଏହି କାର୍ଯ୍ୟ ତାଙ୍କୁ ଅଭିଜ୍ଞ କରିଛି । ଜୀବନ ସଂଘର୍ଷକୁ ସେ ଅତି ନିକଟରୁ ଅନୁଭବ କରିଥିବାରୁ ଆଗାମୀ ଦିନରେ ଯେ କୌଣସି ସମସ୍ୟା ଆସିଲେ ମଧ୍ୟ ତାକୁ ସାମ୍‌ନା କରିବା ପାଇଁ ତାଙ୍କ ଭିତରେ ଆତ୍ମବିଶ୍ୱାସ ରହିଛି।

ହରିଆନାର ସୋନପତ ଜିଲ୍ଲାର ଆହୁଲାନା ଗାଁର ମୂଳ ବାସିନ୍ଦା ଶ୍ରୀ କାଲିଆ ୧୯୭୭ ମସିହାରେ ସପରିବାର ଚଣ୍ଡିଗଡ଼ ଚାଲି ଆସିଥିଲେ। ସେଠାରେ ସେ ଜରି ଗୋଟାଇବା କାମ କରି ତାଙ୍କ ପରିବାରର ଆର୍ଥିକ ସହାୟତା କରୁଥିଲେ। ତେବେ ବଡ଼ ହେଲା ପରେ ମଧ୍ୟ କେବେ ସେ ମେୟର ହେବେ ବୋଲି ଭାବି ନ ଥିଲେ। ତେବେ ୧୯୮୪ରେ ସେ ବିଜେପି ଓ ଆରଏସଏସରେ ଯୋଗ ଦେଇଥିିଲେ। ବିଜେପି ହିଁ ତାଙ୍କୁ ଆଜି ମେୟର ପଦବିରେ ବସାଇଛି ବୋଲି କହିବା ସହିତ ଶ୍ରୀ କାଲିଆ କହିଛନ୍ତି ଯେ ଦେଶରେ ବିଜେପି ହେଉଛି ଏକମାତ୍ର ଦଳ ଯେଉଁ ଦଳ ଜଣେ ଚାହା ବିକାଳିକୁ ପ୍ରଧାନମନ୍ତ୍ରୀ ଓ ଜଣେ ଜରି ଗୋଟାଳିକୁ ମେଅର ପଦରେ ବସାଇ ପାରେ।

ସମ୍ବନ୍ଧିତ ଖବର