ଗଜରାଜ ବିପଦରେ : ହାତୀ ମୃତ୍ୟୁ ପାଇଁ ଦାୟୀ କିଏ?

1 121

ଝାରସୁଗୁଡାର ଅଭିଶପ୍ତ ବାଗଡ଼ିହି ରେଞ୍ଜ୍‌
ଝାରସୁଗୁଡ଼ା : ଝାରସୁଗୁଡ଼ା ବନଖଣ୍ଡ ହାତୀଙ୍କ ପାଇଁ ଅଭିଶପ୍ତ ଅଞ୍ଚଳ ପାଲଟି ଯାଇଛି। ଗତ ୨୦୧୭ ସେପ୍ଟେମ୍ବରରୁ ଆଜି ପଯ୍ୟର୍ନ୍ତ ୭ଟି ହାତୀଙ୍କ ମୃତ୍ୟୁ ଘଟିଲାଣି। ସବୁଠାରୁ ଆଶ୍ୱଯ୍ୟର୍ର କଥା ହେଲା ବାଗଡ଼ିହି ରେଞ୍ଜ୍‌ର ଏହି ସ୍ଥାନରେ ଗତ ସେପ୍ଟେମ୍ବର ୨୯ରେ ଗୋଟିଏ ପିଲା ହାତୀର ମୃତ୍ୟୁ ଘଟିଥିଲା। ରେଳ ବିଭାଗ କେବୁଲ ବିଛା କାମ ପାଇଁ ଖୋଳିଥିବା ଗାତରେ ପଡ଼ି ହାତୀର ମୃତ୍ୟୁ ଘଟିଥିଲା। ଏହାର ଠିକ୍‌ ୨୪ ଦିନ ପରେ ଠିକ୍‌ ସେହି ସ୍ଥାନରେ ସେହି ଗାତରେ ଆଉ ଏକ ପିଲା ହାତୀର ମୃତ୍ୟୁ ହୋଇଥିବାବେଳେ ଗାତରୁ ତା’ର ଛୁଆକୁ ଉଦ୍ଧାର କରିବାକୁ ଉଦ୍ୟମ କରୁଥିବା ବଡ଼ ମାଈ ହାତୀ ଉପରେ ଯାଇଥିବା ୧୧ କେଭି ବିଦ୍ୟୁତ ତାର ଲାଗିଯାଇ ତାର ମଧ୍ୟ ମୃତ୍ୟୁ ଘଟିଥିଲା। ଏହାର ୫ ମାସ ପରେ ସେହି ସ୍ଥାନରେ ସୋମବାର ରାତିରେ ୪ ହାତୀଙ୍କ ମୃତ୍ୟୁ ଘଟିଛି।

୪ ହାତୀର ମୃତ୍ୟୁ ପାଇଁ ଦାୟୀ କିଏ?
ଗତ ସେପ୍ଟେମ୍ବର ଓ ଅକ୍ଟୋବରରେ ଏହି ସ୍ଥାନରେ ୩ ହାତୀଙ୍କ ମୃତ୍ୟୁରେ କାହାରିକୁ ଦାୟୀ କରାଯାଇ ନାହିଁ। ସେତେବେଳେ ଏହି ଘଟଣା ପରେ ରେଳ ବିଭାଗ ଓ ବିଦ୍ୟୁତ ବିଭାଗ ମଧ୍ୟରେ କାଦୁଅ ଫିଙ୍ଗା ପରେ ସମସ୍ତେ ନିରବ ରହିଯାଇଥିଲେ। ବନ ବିଭାଗ ମଧ୍ୟ ଏହା ଉପରେ କୌଣସି ତତ୍ପରତା ନଦେଖାଇ କେବଳ ଜଣେ ଅଧେ ଗାର୍ଡ଼ଙ୍କୁ ବଦଳି କରି ନିଜ ମୁଣ୍ଡରୁ ଦୋଷ ଖସାଇ ଦେଲା। ତେବେ ସୋମବାର ରାତି ଘଟଣାରେ କାହାକୁ ଦାୟୀ କରାଯିବ ସେ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। ବନ ବିଭାଗ ଦାୟୀ ନା ରେଳ ବିଭାଗ ଦାୟୀ ସେ ନେଇ ଆରମ୍ଭ ହୋଇଛି ଯୁକ୍ତିିତର୍କ।

ହାତୀ ସୁରକ୍ଷା ପାଇଁ ଉଦ୍ୟମ ନାହିଁ
ବାରମ୍ବାର ଏହି ଗୋଟିଏ ସ୍ଥାନରେ ହାତୀମାନେ ମୃତ୍ୟୁମୁଖରେ ପଡ଼ୁଥିଲେ ମଧ୍ୟ ବନ ବିଭାଗ ଓ ରେଳବାଇର ଚେତା ପଶିନାହିଁ। ୨୪ ଦିନ ଅନ୍ତରରେ ୩ ହାତୀ ମରିଯିବା ପରେ ମଧ୍ୟ ବିଭାଗୀୟ ଅଧିକାରୀ ଆଖି ବନ୍ଦ କରି ରହିବା, ଏହି ଲାଇନ୍‌ରେ ଟ୍ରେନ୍‌ ଚାଳକଙ୍କୁ ସତର୍କ ନକରିବା ଯୋଗୁଁ ପୁଣି ୪ ହାତୀ ଅକାରଣରେ ମରିଯାଇଥିବା କୁହାଯାଉଛି। ଏହା ଏକ ହାତୀ ଅତିକ୍ରମଣ ପଥ ବୋଲି ବନ ବିଭାଗ ଜାଣି ମଧ୍ୟ ଅପାରଗତା ପ୍ରଦର୍ଶନ କରିଛି ବୋଲି ସାଧାରଣରେ ଅଭିଯୋଗ ହେଉଛି। ବନ ବିଭାଗ ହେଉ କି ରେଳ ବିଭାଗ କେହି ଏହି ରାସ୍ତାରେ ସତର୍କ ସୂଚନା ଜାରି କରି ନାହାନ୍ତି। ଗୋଟିଏ ସ୍ଥାନରେ ମଧ୍ୟ ସୂଚନା ଫଳକ ଦିଆଯାଇନାହିଁ। ଝାରସୁଗୁଡ଼ା ଡିଏଫ୍‌ଓ ଗତ ୨୩.୧୦.୧୭ ଚିଠି ନମ୍ବର ୩୫୫୧(୨)ରେ ଚକ୍ରଧରପୁର ଓ ସମ୍ବଲପୁର ଡିଆର୍‌ଏମ୍‌ଙ୍କୁ ହାତୀଙ୍କ ଚଲାପଥ ଯୋଗୁଁ ଝାରସୁଗୁଡ଼ା, ବାଗଡ଼ିହି, ବ୍ରଜରାଜନଗର, ବେଲେପାହାଡ ରେଞ୍ଜର ବିଭିନ୍ନ ସ୍ଥାନରେ ଟ୍ରେନ୍‌ ବେଗ କମାଇବା ଓ ଲମ୍ବା ହର୍ଣ୍ଣ ଦେବାକୁ ଅନୁରୋଧ କରି ଚୁପ୍‌ ରହିଯାଇଥିଲେ।

କରମଣ୍ଡଳ ନେଇଥିଲା ୬ ହାତୀଙ୍କ ଜୀବନ
ବ୍ରହ୍ମପୁର :୨୦୧୨ ମସିହା ଡିସେମ୍ବର ୨୯ ତାରିଖ। ସମୟ ରାତି ପ୍ରାୟ ୧୨ଟା ୪୩। ହାଓଡ଼ା-ଚେନ୍ନାଇ ଅପ୍‌ କରମଣ୍ଡଳ ଏକ୍ସପ୍ରେସ୍‌ ଦ୍ରୁତ ଗତିରେ ମାଡ଼ି ଚାଲିଥାଏ। ଏହି ସମୟରେ ଏକ ୫ଟିକିଆ ହାତୀପଲ ଗଂଜାମ-ହୁମ୍ମା ଷ୍ଟେସନ୍‌ ନିକଟ ସୁବଳୟା ଗ୍ରାମରୁ ଝିଙ୍କାରିଆ ପାହାଡ଼଼ ଆଡେ ଯାଉଥିଲେ। ରେଳ ଲାଇନ୍‌ ପାର ହେଉଥିବା ବେଳେ କରମଣ୍ଡଳ ସେମାନଙ୍କୁ ଧକ୍କା ଦେଇଥିଲା। ରମ୍ଭାଠୁ ଦୁଇ କିଲୋମିଟର ଦୂର ଶତ୍ରୁସୋଲ ଲେବୁଲ୍‌ କ୍ରସିଂ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟି଼ିଥିଲା। ଏହି ଦୁର୍ଘଟଣାରେ ୫ଟି ଯାକ ହାତୀ କଟି ଯାଇଥିଲେ। ମୃତ ହାତୀଙ୍କ ମଧ୍ୟରେ ଗୋଟିଏ ଦନ୍ତାହାତୀ, ୩ଟି ମାଈହାତୀ ଓ ଗୋଟିଏ ୪ ବର୍ଷ ବୟସର ଛୁଆ ମାଈ ହାତୀ ରହିଛି। ସେମାନଙ୍କ ମଧ୍ୟରେ ଥିବା ଗର୍ଭବତୀ ମାଈ ହାତୀଟି କଟି ଯାଇ ତା ପେଟରୁ ଛୁଆହାତୀଟି ବାହାରି ଆସିଥିଲା। ରେଳଲାଇନ୍‌ ରକ୍ତରଂଜିତ ହୋଇଯାଇଥିଲା। ପାଖଆଖରେ ମାଂସ ଟୁକୁଡା, ହାତୀଙ୍କ ଦେହାବଶେଷ ବିଛାଡ଼ି ହୋଇ ପଡିଥିଲା। ସେତେବେଳେ ଏଭଳି ଘଟଣା ସାରା ରାଜ୍ୟକୁ ଥରାଇ ଦେଇଥିଲା।

ଆଲୋଚନାରେ ରହିଗଲା ନିଷ୍ପତ୍ତି
ବନ ବିଭାଗ-ରାଜ୍ୟ ପ୍ରଶାସନ ପକ୍ଷରୁ ଦୁର୍ଘଟଣାର ବର୍ଷକ ପୂର୍ବରୁ ଉଚ୍ଚସ୍ତରୀୟ ବୈଠକରେ ଗୁରୁତ୍ଵପୂର୍ଣ ନିଷ୍ପତ୍ତି ନିଆ ଯାଇଥିଲା। ନିଷ୍ପତ୍ତି ହୋଇଥିଲା ଯେ, ରେଳ ବିଭାଗ ଉଚ୍ଚ କର୍ତୃପକ୍ଷଙ୍କ ସହ ଆଲୋଚନା କରି ହାତୀ ବିଚରଣ କରୁଥିବା ଏବଂ ନୂଆ କରିଡର୍‌ ଯେଉଁ ବାଟେ ହାତୀ ରେଳପଥ ଅତିକ୍ରମ କରୁଛନ୍ତି, ସେ ସ୍ଥାନରେ ରାତିରେ ଦ୍ରୁତଗାମୀ ଟେନ୍‌ଗୁଡ଼ିକର ବେଗ ନିୟନ୍ତ୍ରଣ କରାଯିବ। କିନ୍ତୁ ଏହା ପ୍ରକୃତରେ ଯେ କାର୍ଯ୍ୟରେ ପରିଣତ ହୋଇନଥିଲା । ଫଳରେ, ପାଞ୍ଚଟି ହାତୀ ସହ ଏକ ହାତୀ ଶାବକଙ୍କ ଶୋଚନୀୟ ମୃତ୍ୟୁ ଘଟିଥିଲା।

୨୦୧୭ରେ ଝାଡ଼ଖଣ୍ଡରେ ୪୦ ହାତୀ ମୃତ
ଆଗ୍ରା : ଝାଡ଼ଖଣ୍ଡରେ ରେଳ ଦୁର୍ଘଟଣାରେ ସର୍ବାଧିକ ହାତୀ ମୃତ୍ୟୁ ହୋଇଥିବା ରିପୋର୍ଟ କରାଯାଇଛି। ଗତ ୨୦୧୭ ମସିହାରେ ଝାଡ଼ଖଣ୍ଡରେ କେବଳ ଟ୍ରେନ୍‌ ଦୁର୍ଘଟଣାରେ ୪୦ ହାତୀଙ୍କର ମୃତ୍ୟୁ ହୋଇଥିଲା। ରେଳଧାରଣା ଅତିକ୍ରମ କରୁଥିବା ସମୟରେ ରେଳ ଦୁର୍ଘଟଣାର ଶିକାର ହୋଇ ହାତୀମାନଙ୍କର ମୃତ୍ୟୁ ହେଉଥିବାରୁ ଅଧିକାରୀମାନେ ଝାଡ଼ଖଣ୍ଡର ଅଧିକାଂଶ ସ୍ଥାନରେ ଟ୍ରେନ୍‌ ଗୁଡ଼ିକର ସ୍ପିଡ୍‌ ଲିମିଟ୍‌ କରିଦେଇଥିଲେ। ସେହିପରି ଆସାମ୍‌ର ନାଗାଓଁ ଜିଲ୍ଲାରେ ଚଳିତ ବର୍ଷ ଫେବ୍ରୁଆରି ମାସରେ ରେଳ ଦୁର୍ଘଟଣାରେ ୪ ହାତୀଙ୍କର ମୃତ୍ୟୁ ହୋଇଥିଲା। ନାଗାଓଁ ଜିଲ୍ଲା ସ୍ଥିତ ହାଓ୍ଵାଇପୁର ରେଳ ଷ୍ଟେସନ୍‌ରେ ଏକ ଦ୍ରୁତଗାମୀ ଗୌହାଟି- ସିଲଚାର ପାସେଞ୍ଜର ଟ୍ରେନ୍‌ ଦ୍ୱାରା ଧକ୍କା ଖାଇ ୪ ହାତୀଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଏକ ହାତୀ ଗୁୁରୁତର ଆହତ ହୋଇଥିଲା। ତେବେ ଆସାମ୍‌ରେ ଦୁର୍ଘଟଣା ହେତୁ ହାତୀମାନଙ୍କର ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଛି।

ଆସାମ ଜଙ୍ଗଲ ବିଭାଗର ତଥ୍ୟ ଅନୁଯାୟୀ ୨୦୧୬ ମସିହାରେ ଆସାମ୍‌ରେ ୧୧୦ ହାତୀଙ୍କ ମୃତ୍ୟୁ ହୋଇଥିବାବେଳେ ୨୦୧୫ ମସିହାରେ ଏହି ସଂଖ୍ୟା ଥିଲା ୧୧୮। ରେଳ ଦୁର୍ଘଟଣା, କୃଷକମାନଙ୍କ ଦ୍ୱାରା ବିଦ୍ୟୁତାଘାତର ଶିକାର ହାତୀ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ପ୍ରମୁଖ କାରଣ ବୋଲି ଜଙ୍ଗଲ ବିଭାଗର ରିପୋର୍ଟରୁ ଜଣାଯାଇଛି।

ସମନ୍ଵୟ ଓ ସଂରକ୍ଷଣ ଯୋଜନାକୁ ବେଖାତିର

୨୦୧୧-୧୨ରୁ ଆଜି ପର୍ଯ୍ୟନ୍ତ, ୭ ବର୍ଷ ମଧ୍ୟରେ ଓଡ଼ିଶାରେ ଟ୍ରେନ୍‌ ଦୁର୍ଘଟଣାରେ ୨୨ଟି ହାତୀର ମୃତ୍ୟୁ ହେଲାଣି। ଏହାକୁ ‘ହାତୀଙ୍କ ଗଣହତ୍ୟା’ ବୋଲି ରେଳବାଇକୁ ଆକ୍ଷେପ କରିଛନ୍ତି ଓଡ଼ିଶା ବନ୍ୟଜନ୍ତୁ ସମିତି ସଂପାଦକ ବିଶ୍ୱଜିତ ମହାନ୍ତି। ୨୦୧୨-୧୩ ବର୍ଷରେ ସର୍ବାଧିକ ଏହାର ଅଧା ସଂଖ୍ୟକ ହାତୀ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଡିସେମ୍ବର ୨୦୧୨ରେ ଗଂଜାମ ଜିଲ୍ଲା ରମ୍ଭା ରେଂଜ୍‌ରେ ଦ୍ରୁତଗାମୀ କରମଣ୍ଡଳ ଏକ୍ସପ୍ରେସ ୫ଟି ହାତୀକୁ ଦଳି ଦେଇଥିଲା। ଏହାର ୪ ମାସ ପରେ ଏପ୍ରିଲ ୨୦୧୩ରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଂଜ୍‌ରେ ୪ଟି ହାତୀର ମୃତ୍ୟୁ ହୋଇଥିବା ବେଳେ ହାତୀଙ୍କ ଅତିକ୍ରମଣ ପଥକୁ ଅଭିଶପ୍ତ କରିଥିବା ବ୍ୟସ୍ତବହୁଳ ମୁମ୍ବାଇ-ହାଓ୍ଵାଡା ରେଳପଥର ସମ୍ବଲପୁର ଜିଲ୍ଲା ଗଡ଼ପୋଷ ନିକଟ ପାହାଡ଼ କଟା ରେଳ ଧାରଣାରେ ସେହି ଗୀତାଂଜଳି ଏକ୍ସପ୍ରେସର ଧକ୍କାର ଏକ ମାଈ ହାତୀର ମୃତ୍ୟୁ ହୋଇଥିଲା। ୮-୧୦ଟି ହାତୀ ରେଳ ଧାରଣା ଅତିକ୍ରମଣ କରୁଥିବା ବେଳେ ଏପରି ଘଟିଥିଲା।

ଏହି ବର୍ଷ ହାତୀ ଗଣହତ୍ୟା ଭଳି ଟ୍ରେନ ଦୁର୍ଘଟଣା ପରେ ପିସିସିଏଫ, ଓଡ଼ିଶା ବନ୍ୟଜନ୍ତୁ ସଂରକ୍ଷଣର ମୁଖ୍ୟ ତତ୍ତ୍ୱାବଧାରକ, ବନ୍ୟଜନ୍ତୁ ସମିତିର ଏକ ଉଚ୍ଚସ୍ତରୀୟ କମିଟି ୫ ସୂତ୍ରୀ କାର୍ଯ୍ୟପନ୍ଥା ଅବଲମ୍ବନ ସଂପର୍କରେ ସୁପାରିସ୍‌ କରିଥିଲା। ଏହାକୁ ଏଯାଏ ଅଣଦେଖା କରାଯାଉଛି। ବିଶେଷ କରି ଓଡ଼ିଶାରେ ଏଯାଏ ୧୪ଟି ହାତୀ କରିଡର ଚିହ୍ନଟ ହୋଇଥିବା ବେଳେ ଏହାର କାର୍ଯ୍ୟକାରିତା ଫେଲ୍‌ ମାରିଛି। ଯା’ଫଳରେ ହାତୀ ସଂରକ୍ଷଣ ଯୋଜନା ମଧ୍ୟ ଅଣଦେଖା କରି ଦିଆଯାଇଥିବା ବନ୍ୟଜନ୍ତୁ ସଂରକ୍ଷଣ ବିଶେଷଜ୍ଞ ରଂଜିତ ପଟ୍ଟନାୟକ ଅଭିଯୋଗ କରିଛନ୍ତି।

ବେଗ ନିୟନ୍ତ୍ରଣ କରୁଛି କିଏ: ନିୟମାନୁସାରେ, ରେଳ ମଣ୍ଡଳ ସ୍ତରରେ ଟ୍ରେନର ବେଗ ନିୟନ୍ତ୍ରଣ କରାଯାଇଥାଏ। ଝାରସୁଗୁଡ଼ାରୁ ମୁମ୍ବାଇ-ହାଓ୍ଵାଡ଼ା ରେଳପଥ ଚକ୍ରଧରପୁର ମଣ୍ଡଳ ଅଧୀନରେ ନୟନ୍ତ୍ରିତ ହେଉଥିବା ବେଳେ ଏହା ରାଜ୍ୟ ବାହାରେ ଥିବାରୁ ବେଗ ନିୟନ୍ତ୍ରଣ ହୁଏତ ଅପହଞ୍ଚ ହୋଇଥାଇପାରେ ବୋଲି ଅଭିଯୋଗ ହେଉଛି। ମଣ୍ଡଳ କାର୍ଯ୍ୟାଳୟରୁ ଗାର୍ଡ-ଚାଳକଙ୍କ ସମନ୍ଵୟ ମଧ୍ୟରେ ବେଗ ନିୟନ୍ତ୍ରଣ ପଦ୍ଧତି କାର୍ଯ୍ୟକାରୀ ହୋଇଥାଏ। ସୋମବାର ଭୋରରେ ଏହି ପଦ୍ଧତି କାର୍ଯ୍ୟରେ ଲଗା ଯାଇଥିଲା କି ନାହିଁ ସେନେଇ ତଦନ୍ତ ହେବା ଆବଶ୍ୟକ।

ଅନ୍ୟପକ୍ଷରେ ହାତୀ ସୁରକ୍ଷା ନେଇ ପାଟ୍ରୋଲିଂର ଅଭାବ, ସ୍ୱତନ୍ତ୍ର ସ୍କ୍ଵାଡ୍‌ର ପରିଚାଳନା ଅଭାବ ପାଇଁ ହାତୀ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ହାତୀ-ମଣିଷ ମଧ୍ୟରେ ମୁହାଁମୁହିଁ ଘଟଣା ବୃଦ୍ଧି ପାଉଛି। ରାଜ୍ୟର ଅନ୍ୟ ଜିଲ୍ଲା ତୁଳନାରେ ଜଙ୍ଗଲ ସ୍ଥିତି ଠିକ ଥିଲେ ବି ସମ୍ବଲପୁର ଜିଲ୍ଲାରେ ପ୍ରାୟ ୧୦ ପ୍ରତିଶତ ମୁହାଁମୁହିଁ ଘଟଣା ଯୋଗୁଁ କ୍ଷୟକ୍ଷତି ବଢ଼ିଛି। ଗତବର୍ଷ ହାତୀ ଗଣନା ରିପୋର୍ଟ ଅନୁସାରେ ହାତୀ ସଂଖ୍ୟା ଓଡ଼ିଶାରେ ବଢ଼ିଥିଲେ ମଧ୍ୟ ବିଗତ ଗୋଟିଏ ଦଶନ୍ଧୀକୁ ଆକଳନ କଲେ ଦନ୍ତା ହାତୀର ସଂଖ୍ୟା କମିଛି। ୨୦୦୨ରେ ୯୦ଟି ଦନ୍ତା ହାତୀ ମଧ୍ୟରୁ ୨୦୧୭ରେ ଏହା ୨୬କୁ ଖସି ଆସିଛି। ସେହିପରି ୨୦୦୨ରେ ମୋଟ ୪୩୦ଟି ହାତୀ ମଧ୍ୟରୁ ସମ୍ବଲପୁର ଜିଲ୍ଲାରେ ୪୩୦ଟି ହାତୀ ଥିବା ବେଳେ ଏହା ୨୦୧୭ରେ ୧୮୩କୁ ଖସି ଆସିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

14 − 12 =

  1. Gobind Narayan Agrawal says

    Chief Secretary being foirner