କରତିଆ ସେବା ଓ କରତି ସାହି

0 39

ପଣ୍ଡିତ ରଥଶର୍ମାଙ୍କ ରଥସେବା ବିବରଣୀର କ୍ରମ- ୧୦ରେ ‘କରତିଆ ନାୟକ’ ସେବାର ଉଲ୍ଲେଖ ଅଛି। କିନ୍ତୁ ଅନ୍ୟ ବିବରଣୀରେ ଏହାକୁ କେବଳ ‘କରତିଆ’ ବୋଲି ଉଲ୍ଲେଖ କରାଯାଇଛି। ଶ୍ରୀମନ୍ଦିର ସ୍ୱତ୍ଵଲିପିର ସେବାକ୍ରମ- ୯୧ରେ ମଧ୍ୟ ଏହାକୁ କେବଳ ‘କରତିଆ’ କୁହାଯାଇଛି।

ଶ୍ରୀ ରଥଶର୍ମା ଏହି ସେବାର ବିବରଣୀ ଦେଇ ଲେଖିଛନ୍ତି, ‘‘କାଠପଟା ଚିରିବା କରତି ସାହି ବାସିନ୍ଦା। ହାତ କରତିଆ ଗୋଷ୍ଠୀ ପ୍ରଧାନ।’’ ଏଥିରୁ ସ୍ପଷ୍ଟ ସୂଚିତ ଯେ ଏହି କରତିଆ ହାତ କରତରେ କାଠ ଚିରନ୍ତି। ‘କରତିଆ ନାୟକ’ ହେଉଛନ୍ତି ସେମାନଙ୍କର ନାୟକ ବା ପ୍ରଧାନ।

ରଥ-ଛତିଶା ନିଯୋଗର କ୍ରମ- ୧୬ ଭାବରେ ଏହି ସେବା ଓ ସେବକଙ୍କୁ ସ୍ଥାନିତ କରାଯାଇ ପାରିବ।

୧୬. କରତିଆ- ଶ୍ରୀମନ୍ଦିର ସ୍ୱତ୍ଵଲିପିରେ ଥିବା ଉଲ୍ଲେଖ ଅନୁସାରେ, ଏହି ସେବକ ନିଜେ କରତି କାମ କରନ୍ତି ଏବଂ ଅନ୍ୟ କରତିଆଙ୍କୁ କାମ କରିବା ନିମନ୍ତେ ଯୋଗାଇ ଦିଅନ୍ତି। ବଂଶାନୁକ୍ରମିକ ଭାବରେ ସେବା କରୁଥିଲେ ମଧ୍ୟ ଏ ଶାଢ଼ିବନ୍ଧା ସେବକ ନୁହନ୍ତି ଏବଂ କାମରେ ତ୍ରୁଟି କଲେ ଅନ୍ୟ କରତିଆ ନିଯୁକ୍ତ ହୋଇ ପାରିବେ ବୋଲି ସ୍ୱତ୍ଵଲିପିରେ ଉଲ୍ଲେଖ ଅଛି। ଏହି ସେବା ନିମନ୍ତେ କୌଣସି ସନନ୍ଦ ନାହିଁ ବା ଜମି ଖଞ୍ଜା ହୋଇନାହିଁ ବୋଲି ମଧ୍ୟ ସ୍ୱତ୍ଵଲିପିରେ ସୂଚିତ ହୋଇଛି। କେତେକ ବିବରଣୀରେ ଏମାନଙ୍କୁ ଭୋଇ ସେବକଙ୍କର ଅନ୍ତର୍ଭୁକ୍ତ କରାଯାଇଥିଲେ ମଧ୍ୟ, ଏମାନେ ମହାରଣା ସେବକ ବୋଲି ଜଣାଯାଏ।

ସେବାର ବିବରଣୀ ଅନୁସାରେ- ପଣା ସଂକ୍ରାନ୍ତି (ମହାବିଷୁବ ସଂକ୍ରାନ୍ତି)ଠାରୁ ଏହି ସେବକ ରଥର ପଟା ଚିରଟକାମ ଆରମ୍ଭ କରିଥାଆନ୍ତି। କିନ୍ତୁ ଏବେ ରାମନବମୀ ଦିନଠାରୁ କରତ କଳରେ ରଥପାଇଁ କାଠ ବା ପଟା ଚିରଟ କରାଯାଉଥିବାରୁ, କରତିଆ ସେବା ବସ୍ତୁତଃ ଆଉ ନାହିଁ ବୋଲି କେତେକ ଲେଖକ ବିବରଣୀ ଦେଇଛନ୍ତି। କିନ୍ତୁ ଏହି ସେବା ଏବେ ବି ପ୍ରଚଳିତ ଅଛି।

ସ୍ୱତ୍ଵଲିପି ଅନୁସାରେ ଏହି ସେବକ ପ୍ରଥମ ତୁମ୍ବ କାଟିବା ଦିନ ଶ୍ରୀନଅରରୁ ଅନ୍ନ, ଅଙ୍ଗବସ୍ତ୍ର (ଗାମୁଛା) ଓ ଲଡୁ ପାଇଥାନ୍ତି। ଅକ୍ଷୟ ତୃତୀୟାର ରଥ ଅନୁକୂଳ ଓ ଭଉଁରି ଦିନର ଚକଡେରାରେ ମଧ୍ୟ ଏହି ସେବକ ଶାଢ଼ି ଓ ଅବଢ଼ା ମହାପ୍ରସାଦ ପାଆନ୍ତି।

ଏ ପ୍ରସଙ୍ଗରେ ସ୍ମରଣଯୋଗ୍ୟ ଯେ ବୈଶାଖ ଶୁକ୍ଳ ତୃତୀୟା ବା ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣର ଅନୁକୂଳ ହେବାପରେ, ତାହାର ପରଦିନ, ଅର୍ଥାତ୍‌ ବୈଶାଖ ଶୁକ୍ଳ ଚତୁର୍ଥୀରେ ରଥର ତୁମ୍ବ ନିର୍ମାଣ କାମ ଆରମ୍ଭ ହୋଇଥାଏ। ତୁମ୍ବ ନିମନ୍ତେ କାଠକୁ ଗଡ଼ କରି କାଟି ଏହି ସେବକ ଯୋଗାଇଥାଆନ୍ତି।

ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ ଏହି ସେବକଙ୍କର ଅନ୍ୟ ଗୁରୁତ୍ଵପୂର୍ଣ୍ଣ ସେବା ମଧ୍ୟ ରହିଛି। ତାହା ହେଉଛି ଶ୍ରୀଜଗନ୍ନାଥଙ୍କ ‘ବାହୁଟ’ କାଠ ଚିରଟ। ବଉଳ କାଠର ଏହି ‘ବାହୁଟ’ ହେଉଛି ଶ୍ରୀଜଗନ୍ନାଥଙ୍କ ପହଣ୍ଡି ପୂର୍ବରୁ ତାଙ୍କ ଶ୍ରୀଭୁଜର ସୁରକ୍ଷାପାଇଁ ଶ୍ରୀଭୁଜରେ ଶକ୍ତ ଭାବରେ ଭିଡ଼ା ଯାଉଥିବା କାଠଦଣ୍ଡ। ନିଷ୍ଠାର ସହିତ, ମୁହଁରେ ତୁଣ୍ଡି ବାନ୍ଧି ଓ ପାଦରେ କନାରେ ତିଆରି ଗୋଡ଼ବନ୍ଧା (ମୋଜା) ପିନ୍ଧି, କରତିଆ ସେବକ ସେହି କାର୍ଯ୍ୟ ଭକ୍ତିର ସହ କରିଥାଆନ୍ତି।

ଏ ସଂପର୍କରେ ଆଉ ଏକ ରୋଚକ ତଥ୍ୟ ହେଉଛି, ପୁରୀରେ ଏହି କରତିଆ ସେବକଙ୍କ ନାମାନୁସାରେ ଗୋଟିଏ ସାହି ଅଛି। ଏହି କରତିଆ ସାହି ଶ୍ରୀମନ୍ଦିର ସନ୍ନିକଟ ଦୋଳମଣ୍ଡପ ସାହିର ଅନ୍ତର୍ଗତ।

-ଅସିତ ମହାନ୍ତି

ସମ୍ବନ୍ଧିତ ଖବର

Leave A Reply

Your email address will not be published.