ରଥଭୋଗ: ‘ଆହୁଡ଼ା’ ପନ୍ତି ଓ ‘ବାହୁଡ଼ା’ ପନ୍ତି

0 109

ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଓ ବାହୁଡ଼ା ଯାତ୍ରାର ଗୋଟିଏ ବିଶେଷ ଅନୁଷ୍ଠାନ ହେଉଛି ‘ପନ୍ତି ଭୋଗ’। ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଅନୁସାରେ ‘ପନ୍ତି’ର ଅର୍ଥ ପଥ ଏବଂ ‘ପନ୍ତିଭୋଗ’ ହେଉଛି ପଥଭୋଗ। ଦେବପ୍ରତିମା ଗ୍ରାମଦାଣ୍ଡରେ ବିଜେ କଲାବେଳେ ପ୍ରତ୍ୟେକ ଗୃହସ୍ଥର ସାମନା ଦାଣ୍ଡରେ କିଛିକ୍ଷଣ ରହି, ସେହି ଗୃହସ୍ଥର ଘର, ପିଣ୍ଡା ବା ଦାଣ୍ଡରେ ବଢ଼ା ହୋଇଥିବା ଯେଉଁ ଭୋଗ ବା ନୈବେଦ୍ୟ ଗ୍ରହଣ କରନ୍ତି ତାହା ପନ୍ତିଭୋଗ। କିନ୍ତୁ ଶ୍ରୀଜଗନ୍ନାଥାଦି ଦେବତାଙ୍କୁ ମନ୍ଦିରରେ ବା ମନ୍ଦିର ବାହାରେ ଯେଉଁ ଭୋଗ ଅର୍ପଣ କରାଯାଏ ତାହା ପନ୍ତିଭୋଗ। ଏ ଦୃଷ୍ଟିରୁ ଶ୍ରୀଜଗନ୍ନାଥଙ୍କ ଭୋଗ ପରମ୍ପରାରେ ଏହାର ଅର୍ଥ ଅଧିକ ବ୍ୟାପକ।

ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥାଦି ଦେବତାଙ୍କୁ ଯେଉଁ ପନ୍ତିଭୋଗର ନୈବେଦ୍ୟ ବଢ଼ାଯାଏ, ସେଥିପାଇଁ ପୂଜାପଣ୍ଡା ସେବକ ମୁରୁଜ ପକାଇ ସୀମାରେଖା ନିର୍ଦ୍ଧାରଣ କରନ୍ତି। ତାହାକୁ ‘ପନ୍ତିକାଟିବା’ କୁହାଯାଏ। ଭୋଗନୈବେଦ୍ୟ ତାହା ମଧ୍ୟରେ ବଢ଼ାଯାଏ। ପନ୍ତିବଡୁ ସେବକ ଏହି କୋଠଭୋଗ ବାଢ଼ିଥାଆନ୍ତି। ମୁରୁଜରେ କଟା ହୋଇଥିବା ସୀମା ମଧ୍ୟରେ ଯେଉଁ ଭୋଗ ବଢ଼ାଯାଏ, ତାହା ମହାପ୍ରସାଦ ହୋଇଥାଏ। କିନ୍ତୁ ରଥ ପନ୍ତିଭୋଗରେ ସେପରି କରାଯାଇ ନଥାଏ। ରଥଟଣା ସମୟରେ ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ଥିବା ବିଭିନ୍ନ ମଠ, ଆଶ୍ରମ ବା ପୀଠମାନଙ୍କ ପକ୍ଷରୁ ରଥାରୂଢ଼ ଠାକୁରମାନଙ୍କୁ ପନ୍ତିଭୋଗ ନିବେଦିତ ହୋଇଥାଏ। ଏହା ସାଧାରଣତଃ ସର୍ପାମଣୋହି ବିଧିରେ, ଦୁଇ ହାତରେ ଧରି, ଉତ୍ସର୍ଗ ମୁଦ୍ରାରେ ଉପରକୁ ଟେକି ସମର୍ପଣ କରାଯାଇଥାଏ। ଏହାକୁ ପଥଭୋଗ କୁହାଯାଇପାରେ। କିନ୍ତୁ ରଥ ଉପରେ ହେଉଥିବା ପନ୍ତିଭୋଗ ଶ୍ରୀମନ୍ଦିରର ବଡୁସୁଆର ସେବକମାନଙ୍କ ଦ୍ଵାରା ପ୍ରସ୍ତୁତ ଭୋଗ।

ଠାକୁରମାନଙ୍କୁ ରଥ ଉପରେ ପନ୍ତିଭୋଗ ସମର୍ପଣ ହେବାର ଏହି ବିଧି ପ୍ରାଚୀନ କାଳରୁ ରହିଆସିଛି। ଏପରିକି ତିନିରଥ ଯାଇ ବଳଗଣ୍ଡିଠାରେ ରହୁଥିବାବେଳେ ସେଠାର ମାଜଣାଜାଗାଠାରେ ଏହି କୋଠଭୋଗ ପ୍ରସ୍ତୁତ ହୋଇ ରଥରେ ଠାକୁରଙ୍କୁ ଲାଗି ହେଉଥିଲା। ଏବେ ସେଠାରେ ଆଉ କୋଠଭୋଗ ପ୍ରସ୍ତୁତ ହେଉ ନଥିଲେ ମଧ୍ୟ, ଏହି ବାହାର ରୋଷଚୂଲିର ଭଗ୍ନାବଶେଷ ରହିଛି। ପୂର୍ବେ ଜଗନ୍ନାଥବଲ୍ଲଭ ମଠ ପରିସର, ଚାଉଳିଆ ମଠ ଓ ଦଶାବତାର ମଠ ପରିସରରେ ମଧ୍ୟ ଏପରି କୋଠଭୋଗ ପ୍ରସ୍ତୁତ ହେଉଥିବା ଜଣାଯାଏ।

ଷୋଡ଼ଶ ଶତାବ୍ଦୀର ‘ଚୈତନ୍ୟ ଚରିତାମୃତ’ରେ ମଧ୍ୟ ଏପରି ଭୋଗର ସ୍ପଷ୍ଟ ସୂଚନା ମିଳେ। ସେଥିରେ କୁହାଯାଇଛି-
‘‘ଚଲିୟା ଅଇଲା ରଥ ବଳଗଣ୍ଡି ସ୍ଥାନେ
ଜଗନ୍ନାଥ ରଥ ରାଖି ଦେଖେ ଡାହିନେ-ବାମେ
x x x
ସେହି ସ୍ଥାନେ ଭୋଗ ଲାଗେ ଆଛୟେ ନିୟମ
କୋଟି ଭୋଗ ଜଗନ୍ନାଥ କରେ ଆସ୍ୱାଦନ।’’

ଊନବିଂଶ ଶତାବ୍ଦୀର ଭିକାରି ପଟ୍ଟନାୟକଙ୍କ ‘ରଥ ଚକଡ଼ା’ରେ ମଧ୍ୟ, ସେତେବେଳେ ରଥରେ ଶୀତଳ ଭୋଗ ଲାଗୁଥିବାର ବର୍ଣ୍ଣନା ଅଛି। ଗୋଟିଏ ରୋଚକ ପଦରେ ଅତି ସୁନ୍ଦର ଭାବରେ କୁହାଯାଇଛି-
‘‘ଯାଉ ରଥ ଯାଉ ବଳଗଣ୍ଡିଠି ଥାଉ
ଉଆ ଚାଉଳ ଖଣ୍ଡନଡ଼ିଆ
ଟାଉ ଟାଉ କରି ଖାଉ।’’

କିନ୍ତୁ ଠାକୁରମାନେ ସପ୍ତଦିନ ବ୍ୟାପୀ ଶ୍ରୀଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ଅବସ୍ଥାନ କରୁଥିବାବେଳେ, ଅନେକ ପ୍ରକାରର ଭୋଗ ସେମାନଙ୍କୁ ଅର୍ପିତ ହୋଇଥାଏ। ତାହାକୁ ‘ପର୍ବ ଯାତ୍ରା ଭୋଗ’ କୁହାଯାଏ।

ଶ୍ରୀମନ୍ଦିର ସ୍ୱତ୍ଵଲିପି ଅନୁସାରେ, ପୂର୍ବରୁ ରଥ ଉପରେ ସକାଳ, ମଧ୍ୟାହ୍ନ ଓ ସନ୍ଧ୍ୟା ଧୂପରେ ଅନେକ ପ୍ରକାରର ନିସଙ୍ଖୁଡ଼ି ପିଠା ନୈବେଦ୍ୟ ରୂପେ ଅର୍ପିତ ହେଉଥିଲା। କିନ୍ତୁ ୧୯୩୦ ମସିହା ପରଠାରୁ ଅନେକ ଭୋଗ ବନ୍ଦ ହୋଇଯାଇଛି। ଏବେ ବାହାର ରୋଷରେ ପ୍ରସ୍ତୁତ ହୋଇ ଶ୍ରୀଜଗନ୍ନାଥଙ୍କ ଚନ୍ଦନଯାତ୍ରାରେ କେଳି ଓ ମାଣ୍ଡୁଅ ଭୋଗ ହେଉଥିବାବେଳେ, ରଥଭୋଗରୁ ତାହା ବିଲୁପ୍ତ ହୋଇଯାଇଛି।

ତେବେ ଏ ସଂପର୍କରେ ଆଉ ଏକ ରୋଚକ ସୂଚନା ମିଳେ। ଶୀଗୁଣ୍ଡିଚାଯାତ୍ରା ଓ ବାହୁଡ଼ା ଯାତ୍ରା ଅବସରରେ ରଥାରୂଢ଼ ଠାକୁରଙ୍କୁ ଯେଉଁସବୁ ଭୋଗ ଅର୍ପଣ କରାଯାଏ, ତାହାର ନାମ ଭିନ୍ନ ଭିନ୍ନ। ଶ୍ରୀଗୁଣ୍ଡିଚା ଯାତ୍ରାର ରଥଭୋଗକୁ ‘ଆହୁଡ଼ା ପନ୍ତି’ କୁହାଯିବାବେଳେ, ବାହୁଡ଼ାଯାତ୍ରାର ରଥଭୋଗକୁ ‘ବାହୁଡ଼ା ପନ୍ତି’ କୁହାଯାଏ।

-ଅସିତ ମହାନ୍ତି

ସମ୍ବନ୍ଧିତ ଖବର

Leave A Reply

Your email address will not be published.