କୋଟିଏ ଟଙ୍କାରେ ନିଲାମ ହେବ ଟାଇଟନିକ୍‌ ଜାହାଜରୁ ମିଳିଥିବା ଚିଠି, ନିଜ ମାଆଙ୍କୁ ଲେଖିଥିଲେ ଜଣେ ଯାତ୍ରୀ!

ବୃହତ୍‌ ପାଣି ଜାହାଜ ଟାଇଟନିକ୍‌ ବୁଡ଼ି ଯାଇ ସେଥିରେ ମୃତ୍ୟୁ ବରଣ କରିଥିବା ଜଣେ ଯାତ୍ରୀ ଲେଖିଥିବା ଶେଷ ଚିଠି ଖଣ୍ଡକୁ ୧ କୋଟି ୮୦୪ ହଜାର ୧ ଶହ ଦଶ ଟଙ୍କାର ନିଲାମ ଡକାଯିବ ବୋଲି ଶୁକ୍ରବାର ପ୍ରକାଶ ପାଇଛି। ଏହି ଚିଠିଟି ଜାହାଜ ମଧ୍ୟରେ ମୃତ୍ୟୁ ବରଣ କରିଥିବା ଜଣେ ଯାତ୍ରୀଙ୍କ ଶରୀରରୁ ମିଳିଥିଲା।

ଚିଠିଟି ଲେଖିଥିଲେ ଫାଷ୍ଟ୍‍ କ୍ଲାସ୍‌ ପାସେଞ୍ଜର ଆଲେକଜାଣ୍ଡାର୍‌ ଓସ୍କାର ହୋଲ୍‌ଭର୍ସନ। ୧୯୧୨ ମସିହା ଏପ୍ରିଲ୍‌ ୧୩ ତାରିଖରେ ଏହି ଚିଠିଟି ଆଲେକ୍‌ଜାଣ୍ଡାର ତାଙ୍କ ମାଆଙ୍କୁ ଲେଖିଥିଲେ। ଦୁର୍ଘଟଣା ଘଟିବାର ପୂର୍ବ ଦିନ ଆଲେକଜାଣ୍ଡାର୍‌ ଏହି ଚିଠିଟିରେ ଲେଖିଥିଲେ ଯେ ଯଦି ସବୁ ଠିକ୍‌ ହୁଏ ତେବେ ନ୍ୟୁୟର୍କରେ ସେ ବୁଧବାର ପହଞ୍ଚିବେ।

ଆଲେକଜାଣ୍ଡାର ଜଣେ ବ୍ୟବସାୟୀ। ସେ ତାଙ୍କ ପତ୍ନୀ ମ୍ୟାରି ଆଲିସ୍‌ ସହିତ ଉକ୍ତ ଜାହାଜରେ ଯାତ୍ରା କରୁଥିଲେ। ଯାହାଜ ଦୁର୍ଘଟଣାରେ ଆଲେକଜାଣ୍ଡର୍‌ ପ୍ରାଣ ହରାଇଥିବା ବେଳେ ବଞ୍ଚି ଯାଇଥିଲେ ପତ୍ନୀ ମ୍ୟାରି ଆଲିସ୍‌।

ତେବେ, ସେ ମୁହୂର୍ତ୍ତରେ ଆଲେକଜାଣ୍ଡର୍‌ ଲେଖିଥିବା ସେହି ଚିଠିଟିକୁ ଏବେ ତାଙ୍କ ବଂଶଜ ନିଲାମ ଡାକିବାର ନିଷ୍ପତ୍ତି ନେଇଛନ୍ତି। ଏହି ଚିଠିଟିରେ ଆଲେକଜାଣ୍ଡାର ଜାହାଜରେ ତାଙ୍କ ସହ ଘଟିଥିବା ଅନୁଭୂତିକୁ ଲେଖିଛନ୍ତି।

ଉଲ୍ଳେଖଯୋଗ୍ୟ, ଟାଇଟନିକ୍‌ ହେଉଛି ଏକ ବୃହତ୍‌ ପାଣି ଜାହାଜ। ୧୯୧୨ ମସିହାରେ ସାଉଥ୍‌ଆମ୍ପଟନ୍‌ରୁ ନ୍ୟୁୟର୍କ ଯାତ୍ରା କରୁଥିବା ବେଳେ ଜାହାଜଟି ବୁଡ଼ି ୧,୫୦୦ ଲୋକ ପ୍ରାଣ ହରାଇଥିଲେ। ଏହି ଦୁର୍ଘଟଣାକୁ ନେଇ ହଲିଉଡ୍‌ରେ ଏକ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ ହୋଇ ବହୁ ପ୍ରସିଦ୍ଧି ଲାଭ କରିଛି।

ସମ୍ବନ୍ଧିତ ଖବର