ଘରେ ପୋଷା ପ୍ରାଣୀ ରଖିଛନ୍ତି କି? ଏହି ସବୁ ରୋଗ ହେବାର ଆଶଙ୍କା ରହିଛି

କୁକୁର, ବିଲେଇ ଭଳି ପ୍ରାଣୀ ପୋଷିବାକୁ ଅନେକ ଭଲପାଆନ୍ତି। ଏମିତି ବି ଅନେକ ଅଛନ୍ତି, ଯେଉଁମାନେ ପଶୁ ପାଳନ୍ତି, ଅଥଚ, ଭଲ ଭାବେ ଯତ୍ନ ନିଅନ୍ତିନାହିଁ। ପୋଷା ଜନ୍ତୁ ରୁଗ୍‌ଣ ହେଲେ, ତାହା ଦ୍ୱାରା ମଣିଷ ମଧ୍ୟ ଆକ୍ରାନ୍ତ ହୋଇପାରେ। ପୋଷା ପ୍ରାଣୀଙ୍କ ମାଧ୍ୟମରେ ହେବାର ଆଶଙ୍କା ଥିବା ପାଞ୍ଚଟି ରୋଗ ବାବଦରେ ଜାଣନ୍ତୁ।

ସାଲ୍‌ମୋନେଲା: ଏହି ଜୀବାଣୁ ପ୍ରାଣୀଙ୍କ ମାଧ୍ୟମରେ ମଣିଷକୁ ଆକ୍ରାନ୍ତ କରିପାରେ। ପ୍ରାଣୀ ସାଲ୍‌ମୋନେଲା ଦ୍ୱାରା ଆକ୍ରାନ୍ତ ହେଲେ ବି ସୁସ୍ଥ ରହେ; ରୋଗର ଲକ୍ଷଣ ହଠାତ୍‌ ପ୍ରକାଶ ପାଏନାହିଁ। ତା’ର ଲୋମ ମାଧ୍ୟମରେ ଜୀବାଣୁ ମଣିଷ ଦେହକୁ ଯାଏ। ତେଣୁ, ପୋଷା ଜନ୍ତୁ ସଂସ୍ପର୍ଶରେ ଆସିବା ପରେ ସର୍ବଦା ସାବୁନରେ ହାତ ଧୁଅନ୍ତୁ।

ରିଙ୍ଗ୍‌ଓ୍ଵର୍ମ: ଏହା ଏକ ପ୍ରକାରର କବକ ବା ଫଙ୍ଗସ୍‌। ପୋଷା ପ୍ରାଣୀ ଏହା ଦ୍ୱାରା ଆକ୍ରାନ୍ତ ଥିଲେ, ଏବଂ ଚିକିତ୍ସା କରା ନ ଗଲେ, ଏହା ମଣିଷ ଶରୀରକୁ ଯାଇପାରେ। ଏହା ପ୍ରଭାବରେ ଚର୍ମରେ ନାଲି ରଙ୍ଗର ମୁଦି ଭଳି ଦାଗ ହୁଏ। ଠିକ୍‌ ସମୟରେ ଚିକିତ୍ସା କରା ନ ଗଲେ ପ୍ରବଳ କଣ୍ଡୁ ହୁଏ। ଘାଆ ବି ହୋଇଯାଇପାରେ।

Shutterstock

ବିଲେଇ ଆଞ୍ଚୁଡ଼ା ରୋଗ: ବିଲେଇ ଆଞ୍ଚୁଡ଼ିଲେ ବେଳେ ବେଳେ ମାରାତ୍ମକ ରୋଗ ହୋଇପାରେ। ଏହାର ଲକ୍ଷଣସବୁ ସାଧାରଣ ଥଣ୍ଡା ସହ ସମାନ। ତେବେ, ଥଣ୍ଡାଠାରୁ ଭୟଙ୍କର। ତେଣୁ, ବିଲେଇ ଆଞ୍ଚୁଡ଼ିଲେ ସଙ୍ଗେ ସଙ୍ଗେ ସାବୁନ ଲଗାଇ, ଉଷୁମ ପାଣିରେ ଧୁଅନ୍ତୁ ଏବଂ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।

ଲାଇମ୍‌ ଡିଜିଜ୍‌: ପୋଷା ଜନ୍ତୁ ଲୋମରେ ରହୁଥିବା ପରଜୀବୀ ପୋକ(ଟିକ୍‌ସ) ଦ୍ୱାରା ମଣିଷ ଲାଇମ୍‌ର ଶିକାର ହୋଇପାରେ। ଏହି ରୋଗ ହେଲେ ଜ୍ୱର ହୁଏ, ଆଣ୍ଠୁ-ଗଣ୍ଠିରେ ଯନ୍ତ୍ରଣା ହୁଏ।

ଟକ୍‌ସୋପ୍ଲାଜ୍‌ମୋସିସ୍‌: ବିଲେଇ ମାଧ୍ୟମରେ ଏହି ରୋଗ ମଣିଷକୁ ଆକ୍ରାନ୍ତ କରେ। ଗର୍ଭବତୀ ମହିଳା ଏହି ରୋଗର ଶିକାର ହେବା, ବିପଜ୍ଜନକ।

ସମ୍ବନ୍ଧିତ ଖବର