ଚାପକୁ ଆଲିଙ୍ଗନ କରିବୁ

-ଏବି ଡି’ଭିଲିୟର୍ସ-

ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମ ସାରା ବିଶ୍ବର ଅନ୍ୟତମ ଶ୍ରେଷ୍ଠ କ୍ରିକେଟ୍ ପଡ଼ିଆର ମାନ୍ୟତା ଲାଭ କରିଛି। ଗୁରୁବାର ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ତା’ର ପ୍ରଥମ ଘରୋଇ ମ୍ୟାଚ୍‌ରେ ଏଠାରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ। ଘରୋଇ ପରିବେଶ ସହ ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷ ପରାଜୟ ପାଇଁ ଆମେ ଚାପରେ ରହିବୁ। ଆମ ପାଇଁ ଏହା ଅବଶ୍ୟ ଏକ ବଡ଼ ଅସୁବିଧା ନୁହେଁ। ଚାପକୁ ଆମେ ସବୁବେଳେ ଆଲିଙ୍ଗନ କରି ଆସିଛୁ। ଏଥିଲାଗି ଚଳିତ ସପ୍ତାହରେ ଗ୍ୟାରି କର୍ଷ୍ଟନଙ୍କ ମାର୍ଗଦର୍ଶନରେ ଆମେ କଠିନ ପରିଶ୍ରମ କରିଛୁ। କ୍ରିକେଟ୍ କୌଶଳ ଅପେକ୍ଷା ଶାରୀରିକ ଦକ୍ଷତା ଉପରେ ଆମେ ଅଧିକ ଧ୍ୟାନ ଦେଇଛୁ। ଦଳଗଠନର ଏହା ଏକ ପୁରୁଣା ଉପାୟ। ଯାହାକୁ ମୁଁ ପସନ୍ଦ କରେ। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଆମ ଦଳରେ ବଡ଼ ଧରଣର ପରିବର୍ତନ ସମ୍ଭାବନା କମ୍ ରହିଛି। ଆମେ ଚେନ୍ନାଇରେ ଦକ୍ଷତା ମୁତାବକ ‌କ୍ରିକେଟ୍ ଖେଳି ନଥିଲୁ। ହେଲେ ସନ୍ତୁଳନ ଠିକ୍ ଥିଲା ବୋଲି ମୋର ହୃଦୟଙ୍ଗମ ହେଉଛି। ଦଳର ଚୟନରେ ସ୍ଥିରତା ରହିଲେ ହିଁ ଆଇପିଏଲ୍ ଭଳି ଲମ୍ବା ପ୍ରତିଯୋଗିତାରେ ଦଳୀୟ ଲକ୍ଷ୍ୟ ଗତିଶୀଳ ହୋଇଥାଏ। ସାଂପ୍ରତିକ ପରିସ୍ଥିତିରେ ସ୍ଥିରତା ଏବଂ ଗତିଶୀଳତା ଆମ ପାଇଁ ଏକାନ୍ତ ଅପରିହାର୍ଯ୍ୟ। ମୁମ୍ବାଇକୁ ହରାଇ ପାରିଲେ ଆମେ ଏହା ହାସଲ କରିନେବୁ ବୋଲି ଭାବୁଛି। ୨୦୧୯ ଆଇପିଏଲର ମନୋରଞ୍ଜନ ଭରା ଶୁଭାରମ୍ଭ ହୋଇଛି। ଆନ୍ଦ୍ରେ ରସେଲ ସନରାଇଜର୍ସ ବିପକ୍ଷରେ ମାତ୍ର ୧୯ ବଲ୍‌ରୁ ୪୯ ରନ୍ ସଂଗ୍ରହ କରି କୋଲକାତା ନାଇଟ୍ ରାଇଡର୍ସକୁ ରୋମାଞ୍ଚକର ବିଜୟ ଉପହାର ଦେଇଛନ୍ତି। ରବିଚନ୍ଦ୍ରନ୍‌ ଅଶ୍ବିନଙ୍କ ମଙ୍କଡିଂ ଅଧ୍ୟାୟ ମଧ୍ୟ ବେଶ୍ ଚର୍ଚିତ ହୋଇଛି। ବଟଲରଙ୍କ ପାଇଁ ମୁଁ ଦୁଃଖିତ। କାରଣ ସେ ରନ୍ ନେବାକୁ ଚେଷ୍ଟା କରୁ ନଥିଲେ। ଅଶ୍ବିନ ବି କିଛି ଭୁଲ କରି ନଥିଲେ। ସେ ନିୟମ ଭିତରେ ହିଁ କାର୍ଯ୍ୟ କରୁଥିଲେ। ଏହା ଏକ ବିତର୍କିତ ବିଷୟ। ଧାରା ୪୧.୧୬ରେ ସ୍ପଷ୍ଟତା ରହିବା ଦରକାର। ନନ୍‌ଷ୍ଟ୍ରାଇକରଙ୍କୁ ରନ୍ ଆଉଟ୍ କରିବା ନିୟମ ସଙ୍ଗତ କି ନାହିଁ ସେ ନିଷ୍ପତ୍ତି କେହି ଜଣେ ନେବା ଉଚିତ। ଚଳିତ ଆଇପିଏଲ୍‌ରେ ଉଚ୍ଚମାନର କ୍ରିକେଟ୍ ଦେଖିବାକୁ ମିଳୁଛି। ପ୍ରତିଦ୍ବନ୍ଦ୍ବିତା ମଧ୍ୟ ତୀବ୍ରତର ହେବାରେ ଲାଗିଛି। ଆମ ପାଖରେ ଟେବୁଲର ଶୀର୍ଷରେ ରହିବା ଲାଗି ଦଳ ଅଛି। କଠିନ ପରିଶ୍ରମର ଫଳ ଆମକୁ ମିଳିବ ବୋଲି ‌ମୋର ପୂର୍ଣ୍ଣ ବିଶ୍ବାସ ରହିଛି।

ସମ୍ବନ୍ଧିତ ଖବର