ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଭାରତ୍ତୋଳନରେ ଦୀପକ ଲାଠର୍‌ଙ୍କୁ କାଂସ୍ୟ ପଦକ

ନୂଆଦିଲ୍ଲୀ: ପୁରୁଷ ବିଭାଗର ୬୯ କେ. ଜି. ଭାରତ୍ତୋଳନ ପ୍ରତିଯୋଗିତାରେ କାଂସ୍ୟ ପଦକ ହାସଲ କରି ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ତରୁଣ ଦୀପକ ଲାଠର୍‌ ଭାରତର ପଦକ ସଂଖ୍ୟା ୪କୁ ବୃଦ୍ଧି କରିଛନ୍ତି। ଚତୁବାର୍ଷିକ କ୍ରୀଡ଼ାରେ ପ୍ରଥମ ଥର ପାଇଁ ଅଂଶ ଗ୍ରହଣ କରି ହରିୟାନା ଅନ୍ତର୍ଗତ ଶାଦିପୁର ଗଁ’ର ୧୮ ବର୍ଷିୟ ତରୁଣ ସାମଗ୍ରିକ ଉଦ୍ୟମରେ ୨୯୫ କେ. ଜି. ଉତ୍ତୋଳନ କରିଛନ୍ତି। ଶୁକ୍ରବାର ଦିନ କ୍ୟାରାରା ସ୍ପୋର୍ଟସ୍‌ ଆଣ୍ଡ୍‌ ଲିଜର୍‌ ସେଣ୍ଟର୍‌ ଠାରେ ସେ ସ୍ନାଚ୍‌ରେ ୧୩୬ କେ. ଜି. ଏବଂ କ୍ଲିନ୍‌ ଆଣ୍ଡ୍‌ ଜର୍କରେ ୧୫୯ କେ. ଜି. ଉତ୍ତୋଳନ କରିଛନ୍ତି।

ଏକଦା ପୁଣେ ଆର୍ମି ସ୍ପୋର୍ଟ ଇନ୍‌ଷ୍ଟିଚ୍ୟୁଟ୍‌ର ଡ୍ରାଇଭର୍‌ ଭାବେ ତାଲିକାଭୁକ୍ତ ହୋଇଥିବା ଦୀପକ ଦୁଇ ବର୍ଷ ତଳେ ସାମୋଆ ଠାରେ ରାଜ୍ୟଗୋଷ୍ଠୀ ଯୁବ କ୍ରୀଡ଼ାରେ ରେକର୍ଡ ଭାଙ୍ଗିଥିଲେ। ସ୍ନାଚ୍‌ ଇଭେଣ୍ଟ୍‌ରେ ୧୩୨ କେ. ଜି. ଏବଂ ୧୩୬ କେ. ଜି. ଉତ୍ତୋଳନ କରି ପଦକ ପାଇବାକୁ ଯାଉଥିବା ବେଳେ ତୃତୀୟ ଉଦ୍ୟମରେ ୧୩୮ କେ. ଜି. ଭାର ଉତ୍ତୋଳନ କରିବାରେ ବିଫଳ ହୋଇ ଦ୍ୱିତୀୟ ସ୍ଥାନକୁ ଖସି ଆସିଥିଲେ।

କୃଷକ ପରିବାରରେ ଜାତ ଦୀପକ ୯ ବର୍ଷ ବୟସରୁ ଭାର ଉତ୍ତୋଳନ କରି ଆସୁଛନ୍ତି। ବିଲ ହଳ କରିବାବେଳେ ପିଠିରେ ବଳଦଙ୍କ ଦାନା ଭରା ଅଖା ଉଠାଇ ବୋହି ନେବା ଦେଖି ତାଙ୍କ ବାପା ବିଜେନ୍ଦର ତାଙ୍କ ବଳ କଥା ଜାଣି ପାରିଥିଲେ। ୨୦୦୮ରେ ହରିୟାନାର ବିଭିନ୍ନ ସ୍ଥାନରେ ଏସ୍‌ଆଇ ଦ୍ୱାରା ପରିଚାଳିତ ପରୀକ୍ଷାମୂଳକ ଇଭେଣ୍ଟ୍‌ରେ ଦୀପକ ଭାଗ ନେଇ ଆୟୋଜକମାନଙ୍କ ମନ ଜିଣି ପାରିଥିଲେ।

ସମ୍ବନ୍ଧିତ ଖବର