ଆଇପିଏଲ୍‌ ୧୨: ଦିଲ୍ଲୀକୁ ୦୫ ଓ୍ଵିକେଟରେ ପରାସ୍ତ କଲା ହାଇଦ୍ରାବାଦ୍‌

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୬ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲସ୍‌କୁ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ଗୁରୁବାର ୦୫ ଓ୍ଵିକେଟରେ ପରାସ୍ତ କରିଛି। ଦ୍ୱାଦଶ ସଂସ୍କରଣର ଆରମ୍ଭରୁ ଭଲ ଫର୍ମରେ ଥିବା ସନରାଇଜର୍ସ ହାଇଦ୍ରାବାଦ ୧୮.୫ ଓଭରରେ ୦୫ ଓ୍ଵିକେଟ ହରାଇ ୧୩୧ ରନ୍‌ କରିଛି। ଏହି ବିଜୟର ସହିତ ହାଇଦ୍ରାବାଦ ଚଳିତ ଆଇପିଏଲରେ ୩ଟି ମ୍ୟାଚ୍‌ ଜିତି ୬ ପଏଣ୍ଟ ହାସଲ କରିଛି।

ହାଇଦ୍ରାବାଦ୍‌ ପ୍ରଥମ ଓ୍ଵିକେଟରେ ଜନି ବେୟାରଷ୍ଟୋ (୪୮ ରନ୍‌, ୨୮ ବଲ, ୯ ଚୌକା ଓ ୧ ଛକା)ଙ୍କୁ ହରାଇଥିଲା। ରାହୁଲ ତେେଓ୍ଵଟିଆଙ୍କ ଦ୍ୱାରା ଆଉଟ୍‌ ହେବାର ଅଳ୍ପ ସମୟ ପରେ ଡାଭିଡ ଓ୍ଵାର୍ଣ୍ଣର (୧୦ ରନ, ୧୮ ବଲ) ରାବାଡାଙ୍କ ଦ୍ୱାରା ଆଉଟ୍‌ ହୋଇ ପାଭଲିଅନ୍‌ ଫେରିଥିଲେ। ଦ୍ୱିଲ୍ଲୀ କ୍ୟାପିଟାଲସ୍‌ର ୩ୟ ଶିକାର ମନୀଷ ପାଣ୍ଡେ ଓ ୪ର୍ଥ ଶିକାର ବିଜୟ ଶଙ୍କର ହୋଇଥିଲେ। ମନୀଷ ୧୦ ରନ କରି ଈଶାନ୍ତ ଓ ବିଜୟ ଶଙ୍କର ୧୬ ରନ୍‌ କରି ଅକ୍ଷର ପଟେଲଙ୍କ ଦ୍ୱାରା ଆଉଟ୍‌ ହୋଇଥିଲେ।

ପ୍ରଥମ ଇନିଂସରେ ହାଇଦ୍ରାବାଦ୍‌ର ଖେଳାଳିମାନେ ଦିଲ୍ଲୀ କ୍ୟାପିଟାଲସ୍‌କୁ ବଡ଼ ସ୍କୋର କରିବାକୁ ସୁଯୋଗ ଦେଇ ନ ଥିଲେ। ଟସ୍‌ ଜିଣି ହାଇଦ୍ରାବାଦ୍‌ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ଦିଲ୍ଲୀ ବ୍ୟାଟିଂ କରିଥିଲା । ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ଵିକେଟ ହରାଇ ଦିଲ୍ଲୀ ୧୨୯ ରନ୍‌ ସଂଗ୍ରହ କରିବା ପରେ ହାଇଦ୍ରାବାଦ୍‌କୁ ୧୩୦ ରନ୍‌ ଟାର୍ଗେଟ ମିଳିଥିଲା। ମହମ୍ମଦ ନାବି ଓ ଭୁବନେଶ୍ୱର କୁମାର ୨-୨ ଓ୍ଵିକେଟ ନେଇଥିବା ବେଳେ ସିର୍ଦ୍ଧାର୍ଥ କାଉଲ, ରସିଦ୍‌ ଖାନ୍‌ ଓ ସନ୍ଦୀପ ଶର୍ମା ୧-୧ ଓ୍ଵିକେଟ ନେଇଥିଲେ।

ଅଧିନାୟକ ଶ୍ରେୟସ ଆୟାର ଏକ ମାତ୍ର ଖେଳାଳି ଯିଏ କି ୪୧ଟି ବଲ ସମ୍ମୁଖୀନ ହୋଇ ୪୩ ରନ୍‌ କରିଥିଲେ। ରସିଦ୍‌ ଖାନ୍‌ଙ୍କ ଦ୍ୱାରା ଆଉଟ୍‌ ହୋଇ ପାଭଲିଅନ୍‌ ଫେରିଯିବା ପରେ ଦିଲ୍ଲୀର ସ୍କୋର ଏକ ନିଦ୍ଧିଷ୍ଟ ଲକ୍ଷ୍ୟରେ ପହଂଚି ପାରି ନଥିଲା। ଆୟାରଙ୍କ ବ୍ୟତୀତ ଅକ୍ଷର ପଟେଲ ୨୩ ରନ୍‌ ଓ କ୍ରିସ ମୋରିସ ୧୭ ରନ୍‌ କରିଥିଲେ। ଦିଲ୍ଲୀ ନିଜର ସ୍କୋର ୧୪ ରନ୍‌ରେ ପୃଥ୍ଵୀ ସ, ୩୬ ରନ୍‌ଷର ଶିଖର ଧାଓ୍ଵନ, ୫୨ ରନ୍‌ରେ ଋଷଭ ପନ୍ତ, ୬୧ ରନ୍‌ରେ ରାହୁଲ ତେଓ୍ଵାଟିଆ, ୭୫ ରନ୍‌ରେ କୋଲିନ ଇନ୍‌ଗ୍ରାଙ୍କୁ ହରାଇଥିଲା।

ଦିଲ୍ଲୀର ଆଇପିଏଲ-୧୨ରେ ଘରୋଇ ପଡିଆରେ ଏହା ହେଉଛି ୩ୟ ମ୍ୟାଚ୍‌। କୋଟଲାରେ ବିଗତ ୨ ମ୍ୟାଚରୁ ଗୋଟିଏରେ ବିଜୟ ଏବଂ ଅନ୍ୟଟିରେ ପରାଜୟ ସ୍ୱୀକାର କରିବାକୁ ପଡ଼ିଛି। ଦିଲ୍ଲୀର ପ୍ରଦର୍ଶନରେ ନିରନ୍ତରତା କମ ଦେଖିବାକୁ ମିଳିଛି। ବିଗତ ମ୍ୟାଚରେ ଦିଲ୍ଲୀ ୧୭ ବଲ ଖେଳି ମାତ୍ର ୮ ରନ କରିଥିଲା। ଏହାରି ମଧ୍ୟରେ ଦିଲ୍ଲୀ ୭ଟି ମୂଲ୍ୟବାନ ଓ୍ଵିକେଟ ହରାଇଥିଲା। ଅନ୍ୟପକ୍ଷରେ ହାଇଦ୍ରାବାଦ ଟିମ୍‌ ଏକ ବଡ଼ ଲକ୍ଷ୍ୟ ନେଇ ମ୍ୟାଚ୍‌ ଖେଳୁଛି। ମାତ୍ର ଗୋଟିଏ ମ୍ୟାଚରେ ହାରିବାକୁ ମଧ୍ୟ ପଡ଼ିଛି।

ସମ୍ବନ୍ଧିତ ଖବର