ଭାରତୀୟଙ୍କ ଅଭ୍ୟାସ ଆରମ୍ଭ

ଭୁବନେଶ୍ୱର: ହକି ବିଶ୍ୱ ଲିଗ୍‌ ଫାଇନାଲ୍‌ ଲାଗି ଭାରତୀୟ ଦଳ ବେଙ୍ଗାଲୁରୁରୁ ଜାତୀୟ ପ୍ରଶିକ୍ଷଣ ଶିବିର ସାରି ବୁଧବାର ଭୁବନେଶ୍ୱରରେ ପହଞ୍ଚିଥିଲା। ମନପ୍ରୀତ ସିଂହ ନେତୃତ୍ୱରେ ଆସିଥିବା ୧୮ ଜଣିଆ ଭାରତୀୟ ଦଳ ଗୁରୁବାରଠୁ କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି। ସକାଳ ୯.୩୦ରେ ଏଠାରେ ପହଞ୍ଚି ପ୍ରାୟ ଏକ ଘଣ୍ଟା ଧରି ଅଭ୍ୟାସ କରିଥିଲେ। ପୁଣି ଥରେ ସଂଧ୍ୟ ୫ ଟାରେ ମଧ୍ୟ ପଡ଼ିଆରେ ପହଞ୍ଚି ଅଭ୍ୟାସ କରିଥିଲେ। ଭାରତୀୟ ଦଳ ୭ ଦିନ ଆଗରୁ ଏଠାରେ ପହଞ୍ଚଯାଇଛି। ଅନ୍ୟ ଦଳଗୁଡ଼ିକ ୨୮ ତାରିଖ ମଧ୍ୟରେ ପହଞ୍ଚିଯିବେ। ସବୁଦଳ ପହଞ୍ଚିବା ପରେ ଅଭ୍ୟାସ ପାଇଁ ଦଳଗୁଡ଼ିକ ପାଇଁ ସମୟ ସାରଣୀ ପ୍ରସ୍ତୁତ ହେବ। ଏଥିପାଇଁ ଆଗୁଆ ଆସି ଭାରତ ପଡ଼ିଆକୁ ଭଲ ଭାବରେ ପରଖିବାକୁ ସମୟ ପାଇଯାଇଛି। ଏଥିସହ ୩ ଓଡ଼ିଆ ତାରକା ଦୀପ୍‌ସାନ୍‌ ତିର୍କି, ବୀରେନ୍ଦ୍ର ଲାକ୍ରା, ଅମିତ ରେହିଦାସଙ୍କ ସହ ଓଡ଼ିଶାରେ କାର୍ଯ୍ୟରତ ସୂରଜ କେର୍‌କେରା ଏହି ଦଳରେ ରହିଥିବାରୁ ଦର୍ଶକ ସମର୍ଥନ ଭାରତକୁ ଅଧିକ ମିଳିବା ଆଶା ରହିଛି। ଦର୍ଶକ ସମର୍ଥନ ସହ ପୂର୍ବରୁ ଅଭ୍ୟାସ ଆରମ୍ଭ କରିଥିବାରୁ ଦଳ ଟ୍ରଫି ଜିତିବ ବୋଲି ଦୃଢ଼ତାର ସହ ପ୍ରଶିକ୍ଷକ ଜୋଏଡ୍‌ ମାରିନ୍‌ ଏବଂ ଅଧିନାୟକ ମନ୍‌ପ୍ରୀତ୍‌ କହିଛନ୍ତି।

୧୩୦ ସ୍ୱେଛାସେବୀ, ୪୨ ଚାଳକ, ୨୦ ବଲ୍‌ବଏ

ବିଶ୍ୱ ହକି ଲିଗ୍‌ ଫାଇନାଲ୍‌କୁ ସଫଳତାର ସହ ଶେଷ କରିବା ଲାଗି ଅନ୍ତର୍ଜାତୀୟ ହକି ମହାସଂଘ, ହକି ଇଣ୍ଡିଆ ଏବଂ ରାଜ୍ୟ ସରକାର ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ବିଶେଷ କରି ଖେଳାଳି ଏବଂ ଅଧିକାରୀଙ୍କୁ ନେବା ଆଣିବା ଲାଗି ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି। ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଏବଂ କ୍ରୀଡ଼ା ବିଭାଗର ମିଳିତ ଉଦ୍ୟମରେ ପ୍ରସ୍ତୁତି ଚାଲିଛି। ପ୍ରତିଯୋଗିତା ଲାଗି ୨୨ ବସ୍‌ ଏବଂ ୨୦ ଇନୋଭା ଚାଳକଙ୍କୁ ନିଯୁକ୍ତି ଦିଆଯାଇଛି। ଷ୍ଟାଡିୟମରୁ ହୋଟେଲକୁ ଯିବା ଆସିବା ରାସ୍ତାକୁ ନେଇ ସେମାନଙ୍କ ପାଇଁ ଏକ କର୍ମଶାଳାର ମଧ୍ୟ ଆୟୋଜନ କରାଯାଇଥିଲା। ପ୍ରଚାର ଏବଂ ପ୍ରସାର ପାଇଁ ବସ୍‌ଗୁଡ଼ିକୁ ଗୁରୁବାର ଷ୍ଟାଡିୟମ୍‌ ପରିସରରେ ପ୍ରତିଯୋଗିତାର ଲୋଗୋ ଏବଂ ଷ୍ଟିକରରେ ସଜା ଯାଉଥିବର ଦେଖିବାକୁ ମିଳିଥିଳା। ସେହିଭଳି ପ୍ରତିଯୋଗିତା ସମୟରେ ୧୩୦ ଜଣ ସ୍ୱେଚ୍ଛାସେବୀଙ୍କ ସହ ୨୦ ଜଣ ବଲ୍‌ ବଏ କାର୍ଯ୍ୟରେ ନିୟୋଜିତ ହେବେ ବୋଲି ଜଣା ପଡ଼ିଛି। ସମାନ୍ତରାଳ ଭାବେ ସ୍ୱେଚ୍ଛାସେବୀ, ବଲ୍‌ବଏ, ପତାକାଧାରୀଙ୍କ ପାଇଁ ପ୍ରଶିକ୍ଷଣ ମଧ୍ୟ ଚାଲିଛି।

ଫ୍ଲଡ୍‌ ଲାଇଟ୍‌ର ସଫଳ ପରୀକ୍ଷଣ

ଭୁବନେଶ୍ୱର: ଗୁରୁବାର କଳିଙ୍ଗ ଷ୍ଟାଡିୟମ୍‌ ହକି କଂପ୍ଲେକ୍ସରେ ଲାଗିଥିବା ଫ୍ଲଡ୍‌ ଲାଇଟର ସଫଳ ପରୀକ୍ଷଣ ହୋଇଥିଲା। ଏହି ଅବସରରେ ବଜାଜ କଂପାନି, ହକି ଇଣ୍ଡିଆ, ଇଡକୋ ଏବଂ ପ୍ରସାରଣକାରୀ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସବୁକିଛି ଠିକ୍‌ ଠାକ୍‌ ଥିବା ପରୀକ୍ଷା ପରେ ଜଣା ପଡ଼ିଥିଲା।

ସମ୍ବନ୍ଧିତ ଖବର