ଜାତୀୟ କନିଷ୍ଠ କବାଡ଼ି: ସାଇକୁ ଦ୍ୱିମୁକୁଟ

କଟକ: ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଜାତୀୟ କନିଷ୍ଠ କବାଡ଼ି ପ୍ରତିଯୋଗିତାର ଉଭୟ ବାଳକ ଓ ବାଳିକା ବିଭାଗରେ ବିଜେତା ହୋଇଛି। ଶୁକ୍ରବାର ସଂଧ୍ୟାରେ ଜବାହାରଲାଲ୍‌ ନେହେରୁ ଇନ୍‌ଡୋର୍‌ ଷ୍ଟାଡିୟମରେ ଖେଳାଯାଇଥିବା ବାଳକ ବିଭାଗ ଫାଇନାଲ୍‌ ମ୍ୟାଚରେ ସାଇ ୩୯-୨୭ରେ ଉତ୍ତରପ୍ରଦେଶକୁ ଏବଂ ବାଳିକା ଫାଇନାଲ୍‌ରେ ସାଇ ୩୬-୨୭ରେ ହରିଆନାକୁ ପରାସ୍ତ କରି ଏହି ସଫଳତା ପାଇଛି। ଉଭୟ ବିଭାଗରେ ପ୍ରଥମ ରାଉଣ୍ଡରୁ ସାଇ ଆଗରେ ରହିଥିଲା। ବାଳକରେ ପ୍ରଥମ ରାଉଣ୍ଡରେ ସାଇ ୨୧-୧୩ ଓ ବାଳିକାରେ ୨୪-୧୧ରେ ଆଗୁଆ ରହି ବିପକ୍ଷ ଦଳକୁ ଚାପରେ ରଖିଥିଲେ। ଉଦ୍‌ଯାପନୀ ସମାରୋହରେ ରାଜ୍ୟପାଳ ଡକ୍ଟର ଏସ୍‌ସି ଜମିର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଭୟ ଉଭୟ ବିଜେତା ଓ ଉପ ବିଜେତାଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ଏମାନଙ୍କ ବ୍ୟତୀତ ବାଳକ ବିଭାଗର ତୃତୀୟରେ ରହିଥିବା ତାମିଲନାଡୁ ଓ ମହାରାଷ୍ଟ୍ର ଏବଂ ବାଳିକାରେ ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶ ମିଳିତ ତୃତୀୟ ସ୍ଥାନରେ ରହିଥିଲେ। ଓଡ଼ିଶାର ବାଳକ ଓ ବାଳିକା ଦଳ ଗୁରୁବାରଠୁ ପ୍ରି-କ୍ୱାର୍ଟର ଫାଇନାଲ୍‌ରୁ ବାଦ୍‌ ପଡ଼ିଥିଲେ।

ଦୀର୍ଘ ୩୩ ବର୍ଷ ପରେ ଓଡ଼ିଶାରେ ଜାତୀୟ କବାଡ଼ି ପ୍ରତିଯୋଗିତା ଆୟୋଜନ କରିବାରେ ରାଜ୍ୟ ସଂଘର ଏହି ପଦକ୍ଷେପକୁ ରାଜ୍ୟପାଳ ପ୍ରଶଂସା କରିଥିଲେ। କିଛି ମାସ ତଳେ ଜଗତପୁରରେ ଜାତୀୟ ରୋଇଂ ଏବଂ ବର୍ତ୍ତମାନ ଜାତୀୟ କବାଡ଼ି କଟକରେ ସମ୍ପନ୍ନ ହୋଇଛି। ଏହାବ୍ୟତୀତ ଭୁବନେଶ୍ୱରରେ ଏସୀୟ ଦୌଡ଼କୁଦ ଏବଂ ହକି ବିଶ୍ୱ ଲିଗ୍‌ ଫାଇନାଲ୍‌ ଆୟୋଜିତ ହୋଇଥିଲା। ଓଡ଼ିଶା ଏବେ ଏକ କ୍ରୀଡ଼ା ହବ୍‌ରେ ପରିଣତ ହେଲାଣି ବୋଲି ରାଜ୍ୟପାଳ କହିଛନ୍ତି। ଭାରତରେ ପ୍ରତ୍ୟେକ କ୍ରୀଡ଼ା ପାଇଁ ପ୍ରତିଭା ଭରପୁର ଅଛନ୍ତି। ବିଶେଷକରି ଗ୍ରାମାଞ୍ଚଳ କ୍ଷେତ୍ରରେ ପ୍ରତିଭାବାନ୍‌ ଖେଳାଳି ଅନେକ ମାତ୍ରାରେ ଅଛନ୍ତି। ତେଣୁ ଚୟନକର୍ତ୍ତାମାନେ ସେହି ଅଞ୍ଚଳରୁ ବି ଭଲ ଖେଳାଳିଙ୍କୁ ଚିହ୍ନଟ କରିବା ଦରକାର ଏବଂ ସେମାନଙ୍କୁ ପର୍ଯ୍ୟାପ୍ତ ସୁଯୋଗ ଦେବା ଆବଶ୍ୟକ ଥିବା ରାଜ୍ୟପାଳ ଡକ୍ଟର ଜମିର କହିଛନ୍ତି।

ଉଦ୍‌ଯାପନୀ ସମାରୋହରେ ରାଜ୍ୟ କ୍ରୀଡ଼ା ସଚିବ ବିଶାଲ କୁମାର ଦେବ, ଶିଳ୍ପପତି ଅକ୍ଷୟ କୁମାର ପରିଜା, ସର୍ବଭାରତୀୟ କବାଡ଼ି ମହାସଂଘର ବୈଷୟିକ ନିର୍ଦ୍ଦେଶକ ଇ.ପ୍ରସାଦ ରାଓ, ରାଜ୍ୟ କବାଡ଼ି ସଂଘର ସଭାପତି ଶରତ କୁମାର ସାହୁ, ସଂପାଦକ ଅଜୟ କୁମାର ବେହେରା ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ସଂଘର ଏକ ସ୍ମରଣୀକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଉଦ୍‌ଯାପନି ଦିବସ ଅବସରରେ ଇଣ୍ଡୋର୍‌ ଷ୍ଟାଡିୟମକୁ ମଧ୍ୟ ବିଶେଷ ଭାବେ ସଜ୍ଜିତ କରାଯାଇଥିଲା। ସାଧାରଣ ଦର୍ଶକଙ୍କ ପାଇଁ ଦେୟମୁକ୍ତ ପ୍ରବେଶ ବ୍ୟବସ୍ଥା ଥିବାରୁ ଖେଳ ଦେଖିବାକୁ ମଧ୍ୟ ଗ୍ୟାଲେରିରେ ପ୍ରବଳ ଭିଡ଼ ହୋଇଥିବା ଦେଖିବାକୁ ମିଳିଥିଲା। ଫାଇନାଲ୍‌ ମ୍ୟାଚ ପୂର୍ବରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯାଇ ଉଭୟ ଖେଳାଳି ଓ ଦର୍ଶକଙ୍କ ଭରପୂର ମନୋରଂଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଉଲ୍ଲାସ ଚନ୍ଦ୍ର ବେଉରା, ନିହାର ରଂଜନ ସାହୁ, ଚିଣ୍ଟୁ ମିଶ୍ର, ସୌମ୍ୟଜିତ ପରିଡ଼ା, ରାଜ୍ୟ ସଂଘର ଉପ ସଭାପତି ପୃଥ୍ଵୀରାଜ ପଟ୍ଟନାୟକ, ଜୟଶ୍ରୀ ସ୍ୱାଇଁ, ଯୁଗ୍ମ ସମ୍ପାଦକ ସୂର୍ଯ୍ୟକାନ୍ତ ମହାନ୍ତି, ପଦ୍ମଲୋଚନ ପ୍ରଧାନ, ବସନ୍ତ କୁମାର ସାହୁ, ଗଣମାଧ୍ୟମ ସମିତି ଅଧ୍ୟକ୍ଷ ଶୁଭେନ୍ଦୁ ଭୂୟାଁ ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର