ଚେନ୍ନାଇ ଚମକରୁ ରାଜସ୍ଥାନ ପ୍ରେରଣା ନେବ

-ସୁନୀଲ ଗାଭାସ୍କର
ଆଇପିଏଲ୍‌-୧୧ର ଚିତ୍ତାକର୍ଷକ ଆରମ୍ଭ ହେଲା। ଚେନ୍ନାଇ ପରାଜୟ ପଞ୍ଝାରୁ ବିଜୟ ଛଡ଼ାଇ ନେଲା। ଅଲରାଉଣ୍ଡରଙ୍କ ଉପସ୍ଥିତି ହିଁ ଏହାକୁ ସମ୍ଭବ କଲା। ଡେ୍ଵନ୍‌ ବ୍ରାଭୋଙ୍କ ଅବିଶ୍ୱସନୀୟ ପାଳି ପରେ ଲିଟିଲ ମାଷ୍ଟର କେଦାର ଯାଦବ ଚେନ୍ନାଇକୁ ଚମକପ୍ରଦ ବିଜୟ ଉପହାର ଦେଲେ। ବ୍ରାଭୋ ଶେଷ ଓଭର ଗୁଡ଼ିକରେ ଭଲ ବୋଲିଂ କରି ମୁମ୍ବାଇକୁ ୧୮୦ ରନ୍‌ ଛୁଇଁବାକୁ ଦେଇ ନଥିଲେ। ଦ୍ରୁତ ୟର୍କର ପକାଇ ମୁମ୍ବାଇ ବ୍ୟାଟ୍ସମ୍ୟାନଙ୍କୁ ହାତଖୋଲା ସଟ୍‌ ଖେଳିବାର ସୁଯୋଗ ଦେଇ ନଥିଲେ। ସେହିଭଳି ଷୋଡ଼ଶ ଓଭର ବେଳକୁ ଚେନ୍ନାଇକୁ ବିଜୟ ପାଇଁ ଓଭର ପିଛା ୧୧ ରନ୍‌ର ଦରକାର ଥିଲା। ବ୍ରାଭୋଙ୍କ ବଡ଼ ସଟ୍‌ ପାଇଁ ହିଁ ଏହା ନିୟନ୍ତ୍ରଣରେ ରହିଥିଲା। ତାଙ୍କ ପାଇଁ ଚେନ୍ନାଇର ପ୍ରତ୍ୟାବର୍ତନ ସ୍ମରଣୀୟ ହୋଇଗଲା। ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ଆଇପିଏଲ୍‌କୁ ଫେରିଥିବା ରାଜସ୍ଥାନ ରୟାଲ୍ସ ଚେନ୍ନାଇ ବିଜୟରୁ ପ୍ରେରଣା ନେବ। ଷ୍ଟିଭେନ୍‌ ସ୍ମିଥଙ୍କୁ ହରାଇବା ପରେ ମଧ୍ୟ ରାଜସ୍ଥାନ ପାଖରେ ଏକ ସନ୍ତୁଳିତ ଦଳ ରହିଛି। ସେନ୍‌ ଓ୍ଵାର୍ନଙ୍କ ମାର୍ଗଦର୍ଶନ ସହ ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ୱରେ ଏହି ଦଳ ଭଲ କରିବ ବୋଲି ମୋର ବିଶ୍ୱାସ। ସନ୍‌ରାଇଜର୍ସ ମଧ୍ୟ ସେମାନଙ୍କ ନିୟମିତ ଅଧିନାୟକ ଡେଭିଡ୍‌ ଓ୍ଵାର୍ନରଙ୍କ ବିନା ପଡ଼ିଆକୁ ଓହ୍ଲାଇବ। ଓ୍ଵାର୍ନରଙ୍କ ସ୍ଥାନ ନେଇଥିବା କେନ୍‌ ଓ୍ଵିଲିୟମସନ୍‌ ଏବେ ଭଲ ଫର୍ମରେ ଅଛନ୍ତି। ଚଳିତ ବର୍ଷ ଯେଉଁ ଅଧିନାୟକ ନିଜ ବଳିଷ୍ଠ ନେତୃତ୍ୱରେ ମ୍ୟାଚ୍‌ର ମୋଡ଼ ବଦଳାଇବାକୁ ସକ୍ଷମ ହେବେ ସେହି ଦଳ ହିଁ ବିଜେତା ହେବ ବୋଲି ମୋର ହୃଦବୋଧ ହେଉଛି।

ସମ୍ବନ୍ଧିତ ଖବର