ଭୁବନେଶ୍ୱର : ୧୯୮୭ ବ୍ୟାଚ୍ ଆଇଏଏସ୍ ଅଫିସରଙ୍କୁ ଆଜି ମୁଖ୍ୟ ସଚିବ ପାହ୍ୟାକୁ ପଦୋନ୍ନତି ବାଟ ଖୋଲିଛି। ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ପଦୋନ୍ନତି କମିଟି ବୈଠକ ବସିଥିଲା। ଏହି ବୈଠକରେ ୪ ବରିଷ୍ଠ ଅଫିସରଙ୍କୁ ମୁଖ୍ୟସଚିବ ପାହ୍ୟାକୁ ପଦୋନ୍ନତି ଲାଗି ସୁପାରିସ କରାଯାଇଛି। ଏମାନେ ହେଲେ ଅର୍ଥ ବିଭାଗ ପ୍ରମୁଖ ସଚିବ ତୁହିନ୍କାନ୍ତ ପାଣ୍ଡେ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ରାଜେଶ ବର୍ମା ଓ ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ସଚିବ ରାଜ କୁମାର ଶର୍ମା ଓ କେନ୍ଦ୍ରୀୟ ଡେପୁଟେସନରେ ଥିବା ନିକୁଞ୍ଜ ସୁନ୍ଦରାୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଉପରେ ମୋହର ଲଗାଇବା ପରେ ଏ ସଂକ୍ରାନ୍ତ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। କେନ୍ଦ୍ରୀୟ ଡେପୁଟେସନରେ ଥିବା କାରଣରୁ ଶ୍ରୀ ସୁନ୍ଦରାୟଙ୍କୁ ପ୍ରୋଫର୍ମା ପ୍ରମୋସନ ଦିଆଯିବ। ସ୍ୱାଭାବିକ ଭାବେ ଅନ୍ୟ ତିନି ଜଣ ଅଧିକାରୀ ମୁଖ୍ୟସଚିବ ପାହ୍ୟାକୁ ପଦୋନ୍ନତି ପାଇବେ। ଏମାନଙ୍କୁ ଲକ୍ଷ୍ୟ କରି ସରକାର ଗତ ସପ୍ତାହରେ ଏହି ପାହ୍ୟାରେ ଆଉ ତିନିଟି ପଦବି ସୃଷ୍ଟି କରିଛନ୍ତି। ଏହି ତିନିଟିକୁ ମିଶାଇଲେ ଓଡ଼ିଶାରେ ମୁଖ୍ୟ ସଚିବ ପାହ୍ୟା ପଦବି ସଂଖ୍ୟା ୧୪କୁ ଛୁଇଁବ। ଆଜି ପଦୋନ୍ନତି କମିଟି ବୈଠକରେ କେନ୍ଦ୍ର ସରକାରଙ୍କ ସଂସଦୀୟ ବ୍ୟାପାର ବିଭାଗର ସଚିବ ଏସ୍ଏନ୍ ତ୍ରିପାଠୀ ଯୋଗଦେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ବିଇଓସ୍ତରରେ ଅଦଳବଦଳ
ଭୁବନେଶ୍ୱର : ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ଓ ପ୍ରଧାନଶିକ୍ଷକମାନଙ୍କ ସ୍ତରରେ ଆଜି ବଡ଼ଧରଣର ଅଦଳବଦଳ ହୋଇଛି। ୧୪୦ ଜଣ ବିଇଓ ଏବଂ ପ୍ରଧାନଶିକ୍ଷକ/ ପ୍ରଧାନଶିକ୍ଷୟତ୍ରୀଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ସେହିପରି ୬୧ ଜଣ ଏବିଇଓଙ୍କୁ ପଦୋନ୍ନତି ଦିଆଯାଇ ବିଇଓ ଭାବେ ନିଯୁକ୍ତି ଦିଆଯାଇଛି।