୪ ହଜାର ଟଙ୍କା ଲାଞ୍ଚ ପାଇଁ ୩ ବର୍ଷ ଜେଲ୍‌

ଭିଜିଲାନ୍ସ କୋର୍ଟରେ ପୁଲିସ ଏସ୍‌ଆଇ ଦଣ୍ଡିତ

ଭୁବନେଶ୍ୱର: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହୋଇଛନ୍ତି ଚନ୍ଦ୍ରଶେଖରପୁର ଥାନାର ତତ୍‌କାଳୀନ ଏସ୍‌ଆଇ ରାମଚନ୍ଦ୍ର ସେଠୀ। ୨୦୦୯ ମସିହାରେ ଚାର୍ଜସିଟ୍‌ରୁ ନାମ ହଟାଇବା ପାଇଁ ଲାଞ୍ଚ ନେଇ ଧରା ପଡ଼ିବା ମାମଲାର ବିଚାର କରି ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଅମ୍ବୁଜ ମୋହନ ଦାସ ଆଜି ଅଭିଯୁକ୍ତଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ତା’ ସହିତ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦାୟ ଆହୁରି ୬ ମାସ ଅଧିକ ଜେଲ୍ ଦଣ୍ଡ ଭୋଗିବାକୁ ଆଦେଶ ହୋଇଛି। ୬ ସାକ୍ଷୀଙ୍କ ବୟାନ ଓ ତଥ୍ୟ ପ୍ରମାଣକୁ ଆଧାର କରି ଏହି ଆଦେଶ ହୋଇଛି। ସରକାରଙ୍କ ପକ୍ଷରୁ ସ୍ପେଶାଲ ପିପି(ଭିଜିଲାନ୍ସ) ହେମନ୍ତ କୁମାର ସ୍ବାଇଁ ମାମଲା ପରିଚାଳନା କରୁଥିଲେ।
ସୂଚନା ମୁତାବକ, ଚନ୍ଦ୍ରଶେଖରପୁର ଅଞ୍ଚଳରେ ଜିତେନ୍ଦ୍ର ପାଢ଼ୀ ପାଣ୍ଡବ ସ୍ବାଇଁଙ୍କୁ ଘର ଭଡ଼ା ଦେଇଥିଲେ। ବିଭିନ୍ନ କାରଣରୁ ଉଭୟଙ୍କ ମଧ୍ୟରେ ମନାନ୍ତର ହେବାରୁ ପାଣ୍ଡବଙ୍କୁ ଘର ଛାଡ଼ିବା ପାଇଁ ଜିତେନ୍ଦ୍ର କହିଥିଲେ। କିନ୍ତୁ ପାଣ୍ଡବ ଘର ଛାଡ଼ୁନଥିଲେ। ୨୦୦୯ ମସିହା ଡିସେମ୍ବରରେ ଘର ମାଲିକ ଆକ୍ରମଣ କରିଥିବା ନେଇ ପାଣ୍ଡବ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ଘର ମାଲିକ ମଧ୍ୟ ପାଣ୍ଡବଙ୍କ ନାମରେ ପାଲଟା ଏତଲା ଦେଇଥିଲେ। ଉଭୟଙ୍କ ଅଭିଯୋଗକୁ ଆଧାର କରି ମାମଲା ରୁଜୁ ହେବା ସହ ତଦନ୍ତଭାର ତତ୍‌କାଳୀନ ଏସ୍‌ଆଇ ତଥା ଅଭିଯୁକ୍ତ ରାମଚନ୍ଦ୍ର ସେଠୀ ନେଇଥିଲେ। କିଛିଦିନ ପରେ ଘରମାଲିକ-ଭଡ଼ାଟିଆଙ୍କ ମଧ୍ୟରେ ବୁଝାମଣା ହେବା ସହ ପାଣ୍ଡବ ଘର ଛାଡ଼ି ଦେଇଥିଲେ। କିନ୍ତୁ ଅଭିଯୁକ୍ତ ଏସ୍‌ଆଇ ରାମଚନ୍ଦ୍ର ପାଣ୍ଡବଙ୍କ ପୁରୁଣା ଅଭିଯୋଗକୁ ଆଧାର କରି ଜିତେନ୍ଦ୍ରଙ୍କ ବାପା ଭୀମସେନ ପାଢ଼ୀଙ୍କୁ ୨୦୦୯ ମସିହା ଡିସେମ୍ବର ୧୨ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଏହି ମାମଲାରେ ଜିତେନ୍ଦ୍ର ମଧ୍ୟ ଅଭିଯୁକ୍ତ ଥିଲେ। ଏଣୁ ଜିତେନ୍ଦ୍ରଙ୍କ ନାମ କାଟିବା ସହ ବାପାଙ୍କୁ ମୁକୁଳାଇବା ପାଇଁ ବ୍ୟବସ୍ଥା କରିବାକୁ ରାମଚନ୍ଦ୍ର ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଆଲୋଚନା ପରେ ୪ ହଜାର ଟଙ୍କାରେ ଛିଣ୍ଡିଥିଲା। ଏଭଳି କାର୍ଯ୍ୟରେ ବ୍ୟଥିତ ହୋଇ ଜିତେନ୍ଦ୍ର ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ୨୦୦୯ ଡିସେମ୍ବର ୧୪ ତାରିଖ ଦିନ ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ତତ୍‌କାଳୀନ ଭିଜିଲାନ୍ସ ଇନ୍‌ସ୍‌ପେକ୍ଟର ଏସ୍‌କେ ପାଣିଗ୍ରାହୀ ଚନ୍ଦ୍ରଶେଖରପୁର ଥାନାରେ ଚଢ଼ଉ କରି ରାମଚନ୍ଦ୍ରଙ୍କୁ ଧରିଥିଲେ।

ସମ୍ବନ୍ଧିତ ଖବର