‘ପିଠା’ ପାଇଁ ଶ୍ରେଷ୍ଠ ପଞ୍ଚାୟତକୁ ୫ ଲକ୍ଷ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ଓଡ଼ିଶା ଜନ ସଶକ୍ତୀକରଣ ପ୍ରାଶାସନିକ ସ୍ବଚ୍ଛତା ଓ ଉତ୍ତରଦାୟୀ ବା ‘ପିଠା’ ଯୋଜନାରେ ପଞ୍ଚାୟତ ଓ ଗ୍ରାମସ୍ତରରେ ବ୍ୟାପକ ଜନସଚେତନତା ଓ ସେବା ଯୋଗାଣ ନିଶ୍ଚିତ କରାଯିବ। ଏ କ୍ଷେତ୍ରରେ ସର୍ବଶ୍ରେଷ୍ଠ କାର୍ଯ୍ୟ ପାଇଁ ପ୍ରତି ମାସରେ ପ୍ରତି ବ୍ଲକର ଗୋଟିଏ ପଞ୍ଚାୟତକୁ ପୁରସ୍କୃତ କରାଯିବ। ଶ୍ରେଷ୍ଠ ବିବେଚିତ ପଞ୍ଚାୟତକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ୫ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ।

ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ସୂଚନା ମିଳିଛି। ତୃଣମୂଳ ସ୍ତରରେ ଜନସଚେତନତା ଓ ସେବା ଯୋଗାଣ ନିମନ୍ତେ ସମନ୍ବିତ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ଶ୍ରୀ ପାଢ଼ୀ ପଞ୍ଚାୟତିରାଜ ବିଭାଗ ପ୍ରମୁଖ ସଚିବଙ୍କୁ ନିର୍ଦେଶ ଦେଇଥିଲେ। ଏହି ଯୋଜନା ପ୍ରସ୍ତୁତିରେ ସହଯୋଗ କରିବା ପାଇଁ ଜଣେ ଜଣେ ବରିଷ୍ଠ ଅଧିକାରୀଙ୍କୁ ନୋଡାଲ୍‌ ଅଧିକାରୀ ଭାବେ ଚିହ୍ନଟ କରିବାକୁ ମୁଖ୍ୟ ସଚିବ ନିର୍ଦେଶ ଦେଇଥିଲେ। ଏଥିପାଇଁ ଏହି ମାସ ୧୫ରୁ ୨୦ ତାରିଖ ପର୍ଯ୍ୟନ୍ତ ପଞ୍ଚାୟତ ସ୍ତରରେ ସ୍ବତନ୍ତ୍ର ଶିବିର ଆୟୋଜନ କରାଯିବ। ଚଳିତ ମାସରୁ ଆରମ୍ଭ କରି ଆସନ୍ତା ୩ ମାସ ମଧ୍ୟରେ ନିର୍ଧାରିତ କାର୍ଯ୍ୟ ଯୋଜନାକୁ ପୂର୍ଣ୍ଣାଙ୍ଗ କରିବାକୁ ମଧ୍ୟ ସେ ନିର୍ଦେଶ ଦେଇଥ‌ିଲେ।

ସମ୍ବନ୍ଧିତ ଖବର