ବମିଖାଲ ଓଭରବ୍ରିଜ ଦୁର୍ଘଟଣା: ଜଣେ ଶ୍ରମିକ ମୃତ, ଅନ୍ୟ ଜଣକୁ ଏସସିବି ସ୍ଥାନାନ୍ତର

ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ, ଡିସିପି-ଜିଲ୍ଲାପାଳ ଉପସ୍ଥିତ

0 596

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ବମିଖାଲ ଓଭରବ୍ରିଜରେ ଗୁରୁବାର ପୁଣି ଥରେ ଦୁର୍ଘଟଣା ଘଟିଛି। ଏଥିରେ ସୁନ୍ଦରଗଡ଼ ଜିଲ୍ଲାର ଲାଠିକଟା ଅଞ୍ଚଳର ଅଜୟ ନାମରେ ଜଣେ ୩୮ ବର୍ଷିଅ ଯବକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ସୁନ୍ଦରଗଡ଼ର ଜିଲ୍ଲାର ଦେଓଗାଁର ଅନ୍ୟ ଜଣେ ଶ୍ରମିକ ଆନନ୍ଦ କୁମାର ନାଏକଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଥିଲା। ମାତ୍ର ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେବ: ଖୋର୍ଦ୍ଧା ଜିଲ୍ଲାପାଳ

ବମିଖାଳ ଓଭରବ୍ରିଜରେ ଆଜି ପୁଣି ଥରେ ଦୁର୍ଘଟଣା ହେବା ପରେ ଖୋର୍ଦ୍ଧା ଜିଲ୍ଲାପାଳ ନିର୍ମଳ ମିଶ୍ର ପ୍ରତିକ୍ରିୟାରେ କହିଛନ୍ତି, ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେବ। ଘଟଣା ସମ୍ପର୍କରେ ପୂର୍ତ୍ତ ବିଭାଗର ଅଧିକାରୀଙ୍କ ସହିତ ଆଲୋଚନା ହେବ। ନିର୍ମାଣ କାମରେ ଅବହେଳା କରାଯାଇଥିବା ସନ୍ଦେହ ହୋଇଛି।

ଓଭରବ୍ରିଜ ଷ୍ଟ୍ରକ୍ଚର କାମ ଚାଲିଥିବା ବେଳେ ଅଜୟ ଓ ଆନନ୍ଦ ତଳକୁ ଖସି ପଡ଼ି ଥିଲେ। ସେମାନେ ଲୁହା ରେଲିଂରେ ଚାପି ହୋଇ ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କରି ଆମ୍ବୁଲାନ୍ସରେ ହସ୍ପିଟାଲ ନେଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଖବର ପାଇ କମିସନରେଟ ପୁଲିସର ଡିସିପ ଅନୁପ ସାହୁ, ଖୋର୍ଦ୍ଧା ଜିଲ୍ଲାପାଳ ନିର୍ମଳ ମିଶ୍ର ଘଟଣାସ୍ଥଳରେ ପହଞ୍ଚିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଘଟଣାସ୍ଥଳ ଉତ୍ତେଜନା ରହିଛି। ନିର୍ମାଣାଧୀନ କମ୍ପାନିକୁ ନେଇ ସର୍ବସାଧାରଣରେ ବିଭିନ୍ନ ମତ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ ରାଜଧାନୀର ବମିଖାଲରେ ନିର୍ମାଣାଧୀନ ଫ୍ଲାଏ ଓଭର ବ୍ରିଜ ଗତବର୍ଷ ସେପ୍ଟେମ୍ବର ୧୦ରେ ଭୁଶୁଡ଼ି ଥିଲା। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୧୫ଜଣ ଆହତ ହୋଇଥିଲେ। ନିର୍ମାଣ କାମରେ ତ୍ରୁଟି ଯୋଗୁଁ ଦୁର୍ଘଟଣା ଘଟିଥିଲା ବୋଲି ନିର୍ମାଣାଧୀନ କମ୍ପାନିର ଅଧିକାରୀମାନେ ସ୍ୱୀକାର କରିଥିଲେ। ପରେ ଏ ନେଇ ଏକ ମାମଲା ରୁଜୁ କରାଯାଇଥିଲା।

ସେପ୍ଟେମ୍ବର ୧୦ରେ ଦୁର୍ଘଟଣା ପରେ ଏନଡିଆରଏଫର ୮୪ ଉଦ୍ଧାର କର୍ମଚାରୀ ଲାଗିଥିଲେ। ଏହି କାର୍ଯ୍ୟରେ ୪୪ଜଣ ଯବାନ ନିଯୋଜିତ ଥିବା ବେଳେ ୪ଟି ସନ୍ଧାନୀ କୁକୁରକୁ ନିୟୋଜିତ ହୋଇଥିଲେ। ଝିଅ ଶୀତଲକୁ ନେଇ ଘରକୁ ଫେରୁଥିବା ଝାରପଡ଼ାର ସତ୍ୟ ପଟ୍ଟନାୟକ ମୃତ୍ୟୁର ଶିକାର ହୋଇଥିଲେ। ଘଟଣା ପରେ ଉପ କାର୍ଯ୍ୟନିର୍ବାହୀ ବଂଶୀଧର ପ୍ରହରାଜ ଓ ସହାୟକ ଯନ୍ତ୍ରୀ କିଶୋର ରାଉତଙ୍କୁ ନିଲମ୍ବିତ ହୋଇଥିଲେ। ଫ୍ଲାଏ ଓଭର ବ୍ରିଜର ଠିକାଦାର ସଂସ୍ଥା ହେଉଛି ପଣ୍ଡା ଇନଫ୍ରା କମ୍ପାନି। ୨୦୧୬ରେ କମ୍ପାନି ନିର୍ମାଣ କାମ ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.