ଆମ୍ବୁଲାନ୍ସକୁ ପଛରୁ ପିଟିଲା ଆମ୍ବୁଲାନ୍ସ୍, ଜଣେ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି, ୪ ଆହତ

ଭଦ୍ରକ: କୁହୁଡ଼ି ଯୋଗୁ ଆମ୍ବୁଲାନ୍ସକୁ ପଛରୁ ପିଟିଲା ଆମ୍ବୁଲାନ୍ସ୍ । ଏହି ଦୁର୍ଘଟଣାରେ ଦୁଇ ଜଣ ରୋଗୀଙ୍କ ସହ ୪ ଆହତ ହୋଇଥିବା ଜଣାଯାଇଛି।ମିଳିଥିବା ସୂଚନା ଅନୁଯାୟୀ, ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଡାହାଣୀଗଢ଼ିଆ ନିକଟରେ ଏଭଳି ଦୁର୍ଘଟଣା ଘଟିଛି । ଆଜି ସକାଳେ ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି ।

ଆମ୍ବୁଲାନ୍ସ ଦୁଇଟି ପଶ୍ଚିମବଙ୍ଗର ଦେବଡ଼ା ଅଞ୍ଚଳରୁ ଦୁଇ ଜଣ ପରାଲିସିସ୍ ରୋଗୀଙ୍କୁ ନେଇ କଟକ ବଡ଼ ମେଡିକାଲ୍ ଅଭିମୁଖେ ନେଇ ଆସୁଥିଲା । ଦୁଇଟି ଆମ୍ବୁଲାନ୍ସରେ ଦୁଇ ରୋଗୀଙ୍କ ସହ ମୋଟ୍ ୮ଜଣ ଯାଉଥିବା ଜଣାଯାଇଛି। ଡାହାଣୀଗଢ଼ିଆ ଛକ ନିକଟରେ ଏକ ଟ୍ରଲର୍ ରାସ୍ତା ପାର କରୁଥିବା ବେଳେ କୁହୁଡ଼ି ହେତୁ ତାହା ଡେରିରେ ଜାଣିଥିଲେ ଜଣେ ଆମ୍ବୁଲାନ୍ସ୍ ଚାଳକ। ଫଳରେ ସେ ଜୋରରେ ବ୍ରେକ୍ ଦେଇଥିଲେ।

ତେଣେ ପଛରେ ଦ୍ରୁତ ଗତିରେ ଆସୁଥିବା ଆମ୍ବୁଲାନ୍ସଟି ଆଗ ଆମ୍ବୁଲାନ୍ସକୁ ଧକ୍କା ଦେଇଥିଲା । ଏହାଫଳରେ ଦୁଇ ଜଣ ରୋଗୀଙ୍କ ସହ ଅନ୍ୟ ୨ ଜଣ ଆହତ ହୋଇଥିଲେ। ଖବର ପାଇ ଭଦ୍ରକ ଟାଉନ ଥାନା ପୁଲିସ୍ ଆହତମାନଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ଏମାନଙ୍କ ଭିତରୁ ସନ୍ଧ୍ୟା ଧିନ୍ଦା ନାମକ ଜଣେ ମହିଳାଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣାସ୍ଥଳରେ ପୁଲିସ୍ ଏହି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର