ଶ୍ରୀମନ୍ଦିରରେ ଆମିକସ୍କ୍ୟୁରି, ନିର୍ମାଣ ସ୍ଥିତି ଅନୁଧ୍ୟାନ କଲେ
ପୁରୀ : ବାତ୍ୟା ଫନି ପରେ ଶ୍ରୀମନ୍ଦିର ହୋଇଥିବା କ୍ଷୟକ୍ଷତି ଓ ଏହାର ପରବର୍ତ୍ତୀ ମରାମତି ଅନୁଧ୍ୟାନ କରିବାକୁ ହାଇକୋର୍ଟ ପକ୍ଷରୁ ଶ୍ରୀମନ୍ଦିର ପାଇଁ ନିଯୁକ୍ତ ଆମିକସ୍କ୍ୟୁରି ଏନ.କେ ମହାନ୍ତି ଆଜି ମନ୍ଦିରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏଏସ୍ଆଇର ବରିଷ୍ଠ ଅଧିକାରୀ ଚିତ୍ତରଂଜନ ଦାଶ ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହି ମରାମତି ସଂପର୍କରେ ଆମିକସ୍କ୍ୟୁରିଙ୍କୁ ସୂଚନା ଦେଇଥିଲେ। ଜୁନ ଶେଷ ସପ୍ତାହରେ ଆମିକସ୍କ୍ୟୁରି ଶ୍ରୀ ମହାନ୍ତି ହାଇକୋର୍ଟରେ ଏ ନେଇ ସତ୍ୟପାଠ ଦାଖଲ କରିବେ ବୋଲି ଜଣାପଡିଛି। ଫନିରେ କ୍ଷତି ହୋଇଥିବା ଭୋଗମଣ୍ଡପ କଳସ ମରାମତି ସରିଥିବା ବେଳେ ସିଂହ ସ୍ଥାପନ କରାଯାଇଛି। ଭାଙ୍ଗି ଯାଇଥିବା ପାର୍ଶ୍ବ ଦେବାଦେବୀ ମନ୍ଦିର ମରାମତି କରାଯାଇଛି। ଗତ ୧୭ ତାରିଖରେ ସିଂହଦ୍ବାରରେ ଜୟ ବିଜୟ ମୂର୍ତ୍ତି ପ୍ରତିଷ୍ଠା କରାଯାଇଛି। ନାଟମଣ୍ଡପରେ ଲାଗିଥିବା କ୍ରାକ୍ମିଟର ଓ ମନିଟର୍ ସିଷ୍ଟମରେ ତ୍ରୁଟି ଥିବାରୁ ଆଇଆଇଟି ଖଡଗପୁରରୁ ବିଶେଷଜ୍ଞ ଦଳ ଆସି ଏହାର ମରାମତି କରିଛନ୍ତି। ନାଟମଣ୍ଡପରେ ହୋଇଥିବା ଫାଟ ମେଲୁଛି କି ନାହିଁ ସେଥିପାଇଁ ସେଠାରେ ଏକ କ୍ରାକ୍ମିଟର ଲାଗିଥିଲା।