ବ୍ରହ୍ମପୁର: କୋଭିଡ୍-୧୯ ମହାମାରୀର ମୁକାମିଲାରେ ସହାୟକ ହେଲାଭଳି ମାତ୍ର ୧୨ଶହ ଟଙ୍କା ଖର୍ଚ୍ଚରେ ଏକ ପୁରୁଣା ଅବ୍ୟବହୃତ ମାଇକ୍ରୋ ଓଭନ୍କୁ ନେଇ ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନ (ଆଇଟିଆଇ) ୟୁଭିସି ସାନିଟାଇଜର୍ ପ୍ରସ୍ତୁତ କରିଥିଲା। କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରାଳୟ ଏହାକୁ ଅନୁମୋଦନ କରିବା ସହିତ କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀ ମହେନ୍ଦ୍ରନାଥ ପାଣ୍ଡେ ପ୍ରଶଂସା କରିଛନ୍ତି। ଏହି ସାନିଟାଇଜର୍କୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ପ୍ରଦର୍ଶନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରଶଂସା କରିଥିବା ଜଣାପଡ଼ିଛି। ଏହାର ଉତ୍ପାଦନ ବୃଦ୍ଧି ପାଇଁ ଦେଶରେ ଥିବା ପ୍ରାୟ ୧୩ହଜାର ସରକାରୀ ଆଇଟିଆଇର କର୍ମକର୍ତ୍ତାଙ୍କୁ ପର୍ଯ୍ୟାୟକ୍ରମେ ଏହାର ନିର୍ମାଣ କୌଶଳ ସମ୍ପର୍କରେ ତାଲିମ୍ ଦିଆଯିବ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିସହିତ, ଏହାକୁ ବ୍ୟବହାର ଅନୁମତି ଦେବାପାଇଁ ଆଇସିଏମ୍ଆର୍ର ଅନୁମୋଦନ ଲୋଡ଼ାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରସ୍ତୃତକର୍ତ୍ତା ଆଇଟିଆଇ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ଏହାଦ୍ବାରା ମୋବାଇଲ୍ ଫୋନ୍, ଲାପ୍ଟପ୍, ଟାବଲଏଡ୍, ମନିପର୍ସ, ଗାଡ଼ିଚାବି ଆଦି ବହୁଳ ବ୍ୟବହୃତ ସାମଗ୍ରୀ ଗୁଡ଼ିକ ମାତ୍ର ୧୫ମିନିଟ୍ ମଧ୍ୟରେ ବିଶୋଧିତ ହୋଇ ଭୂତାଣୁମୁକ୍ତ ହୋଇପାରିବ। ଏଥିପାଇଁ ଏକ ଟାଇମର୍ ସର୍କିଟ୍ ମଧ୍ୟ ସଂଯୁକ୍ତ କରାଯାଇଛି। ଓଭନ୍ର ଚାମ୍ବରରେ ଖଞ୍ଜା ଯାଇଥିବା ଅତି ବାଇଗଣୀ ରଶ୍ମିର ତରଙ୍ଗ ଦ୍ବାରା ଏହି ବିଶୋଧନ ପ୍ରକ୍ରିୟା ଅନୁଷ୍ଠିତ ହେଉଛି। ବିଶୋଧନ ପ୍ରକ୍ରିୟା ଜାରି ରହିଥିବା ବେଳେ ଚାମ୍ବରଟି ବନ୍ଦ ରହୁଥିବାରୁ ତେଜଷ୍କ୍ରିୟ ଅତି ବାଇଗଣୀ ରଶ୍ମିର କୁପ୍ରଭାବ ବ୍ୟବହାରକାରୀଙ୍କ ଉପରେ ପଡ଼ିବନାହିଁ ବୋଲି ଆଇଟିଆଇ ପକ୍ଷରୁ ଦୃଢ଼ୋକ୍ତି ପ୍ରକାଶ କରାଯାଇ ଏହାକୁ ବ୍ୟବହାର ଅନୁମତି ଦେବାପାଇଁ ଆଇସିଏମ୍ଆର୍ର ଅନୁମୋଦନ ଲୋଡ଼ାଯାଇଛି।
ବର୍ତ୍ତମାନ ପରିସ୍ଥିତିରେ ଏଭଳି ମେସିନ୍ର ଆବଶ୍ୟକତା ଅଧିକ ଥିବାରୁ ଉତ୍ପାଦନ ବୃଦ୍ଧି ପାଇଁ ଦେଶରେ ଥିବା ପ୍ରାୟ ୧୩ହଜାର ସରକାରୀ ଆଇଟିଆଇର କର୍ମକର୍ତ୍ତାଙ୍କୁ ପର୍ଯ୍ୟାୟକ୍ରମେ ଏହାର ନିର୍ମାଣ କୌଶଳ ସମ୍ପର୍କରେ ତାଲିମ୍ ଦିଆଯିବ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି । ଉକ୍ତ ନିଷ୍ପତ୍ତି ଅନୁଯାୟୀ ପ୍ରଥମ ପର୍ଯ୍ୟାୟ ତାଲିମ୍ ଆସନ୍ତା ମଙ୍ଗଳବାର ଅନୁଷ୍ଠିତ ହେବ। ଉକ୍ତ ସାନିଟାଇଜର୍ ପ୍ରସ୍ତୁତ କରିଥିବା ବ୍ରହ୍ମପୁର ଆଇଟିଆଇର ବିଶେଷଜ୍ଞମାନେ ଅନ୍ଲାଇନ୍ରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଏହି ତାଲିମ୍ ପ୍ରଦାନ କରିବେ ବୋଲି ଅଧ୍ୟକ୍ଷ ଡ.ରଜତ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରହ୍ମପୁର ଆଇଟିଆଇ ଦ୍ବାରା ପ୍ରସ୍ତୁତ ୟୁଭିସି ସାନିଟାଇଜର୍କୁ ପ୍ରଶଂସା କରିବା ସହ ଏହାକୁ କେନ୍ଦ୍ର ସରକାରଙ୍କ ଏମ୍ଏସ୍ଏମ୍ଇ େୱବ୍ସାଇଟ୍ରେ ସ୍ଥାନୀତ କରିଥିଲେ।