ପୁରୁଷ ହକି ବିଶ୍ୱକପ ଉଦ୍‌ଘାଟନୀ ସଂଗୀତ ପ୍ରସ୍ତୁତ ଦାୟିତ୍ୱରେ ରହେମାନ୍‌ ଓ ଗୁଲ୍‌ଜାର୍‌ : କଳିଙ୍ଗରେ କମ୍ପିବ ‘ଜୟ ହିନ୍ଦ୍‌ ହିନ୍ଦ୍‌’

ଟ୍ଵିଟ୍‌ କରି ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପୁରୁଷ ହକି ବିଶ୍ୱକପ ଉଦ୍‌ଘାଟନୀ ସଂଗୀତ ଗାଇବେ ଓସ୍କାର ବିଜେତା ଏ.ଆର ରହେମାନ। ଆସନ୍ତା ନଭେମ୍ବର ୨୭ ତାରିଖରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପର ଉଦ୍‌ଘାଟନୀ ଉତ୍ସବରେ ସଙ୍ଗୀତ ପରିବେଷଣ କରିବାର ଦାୟିତ୍ୱ ତାଙ୍କୁ ଦିଆଯାଇଛି।

ପ୍ରଖ୍ୟାତ ଗୀତିକାର ଗୁଲଜାରଙ୍କ ସହ ମିଶି ଏହି ପୁରୁଷ ହକି ବିଶ୍ୱକପର ଅଫିସିଆଲ ବା ଟାଇଟେଲ୍‌ ସଂଗୀତକୁ ସେ ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଟ୍ଵିଟ୍‌ ଜରିଆରେ ହକିପ୍ରେମୀଙ୍କୁ ଜଣାଇଛନ୍ତି। ଅନ୍ୟପକ୍ଷରେ ହକି ବିଶ୍ୱକପ୍‌ ମଧ୍ୟ ଏହି ଦୁଇ ମହାନ ବ୍ୟକ୍ତିତ୍ୱଙ୍କୁ ପୁଣି ଥରେ ଏକାଠି କରିଛି।

ନିଜର ସଂଗୀତର ଯାଦୁରେ ଦୁଇ ଦୁଇ ଥର ଓସ୍କାର ବିଜେତା ଏ.ଆର ରହେମାନଙ୍କ ଓଡିଶାରେ ପ୍ରଥମ ଲାଇଭ ପରଫରମାନ୍ସକୁ ନେଇ ରାଜ୍ୟବାସୀଙ୍କ ସହ ହକିପ୍ରେମୀ ମଧ୍ୟ ଉତ୍ସାହିତ ହୋଇପଡିଛନ୍ତି। ସ୍ଲମ୍‌ଡଗ୍‌ ମିଲେନିୟର ‘ଜୟ ହୋ’ ସଂଗୀତ ଆଜି ବି ଶୁଣିଲା ମାତ୍ରେ ଲୋକମାନଙ୍କ ମନରେ ଏକ ଶିହରଣ ହୋଇଥାଏ।

ଠିକ୍‌ ଏମିତି ଏକ ସମୟରେ ଜୟ ହିନ୍ଦ୍‌ ହିନ୍ଦ୍‌, ଜୟ ଇଣ୍ଡିଆ ଧ୍ୱନିରେ କଳିଙ୍ଗ ଷ୍ଟାଡିୟମ୍‌ କମ୍ପିବ। ଏକ ଜାତୀୟ ଗଣମାଧ୍ୟମକୁ ରହେମାନ୍‌ କହିଛନ୍ତି, ହକି ଭାରତର ସବୁଠାରୁ ପ୍ରିୟ ଖେଳ। ଏହି ବିଶ୍ୱକପ୍‌ ଭାରତରେ ଅନୁଷ୍ଠିତ ହେଉଥିବାରୁ ଏହାଠାରୁ ଆଉ ବଡ଼ ଖୁସିର ଖବର କିଛି ନାହିଁ। ଏହି ପ୍ରତିଯୋଗିତାକୁ ନେଇ ସାରା ଦେଶର ହୃଦ୍‌ସ୍ପନ୍ଦନ ବଢିବାରେ ଲାଗିଛି। ଦେଶବାସୀଙ୍କ ଏହି ଉତ୍କଣ୍ଠା ଓ ଉତ୍ସାହକୁ ବଢାଇବା ପାଇଁ ସେ ଓ ଗୁଲଜାର ମିଶି ଏହି ଉଦ୍‌ଘାଟନୀ ଉତ୍ସବ ପାଇଁ ସଙ୍ଗୀତ ପ୍ରସ୍ତୁତ କରିଛନ୍ତି। ଏହି ଗୀତଟି ସମସ୍ତଙ୍କୁ ଆକର୍ଷିତ କରିବ ଓ ଝୁମାଇବ ବୋଲି ରହେମାନ୍‌ ଆଶା ବ୍ୟକ୍ତ କରିଛନ୍ତି। ମୋ ସହିତ ହକିର ଏହି ଉତ୍ସବ ପାଳନରେ ସାମିଲ ହୁଅନ୍ତୁ-କେବଳ ମେନ୍‌ ଇନ୍‌ ବ୍ଲୁ (ଭାରତୀୟ ଦଳ)ଙ୍କ ପାଇଁ ନୁହେଁ ଖେଳ ଜରିଆରେ ଏକକ ବିଶ୍ୱର ଆତ୍ମା ପାଇଁ ସାମିଲ ହୁଅନ୍ତୁ।’ ବୋଲି ମଧ୍ୟ ରହେମାନ୍‌ କହିଛନ୍ତି।

ଏହି ଗୀତ ପ୍ରସ୍ତୁତି ପାଇଁ ଗୁଲଜାର ଓ ରହେମାନ ରାଜି ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉଭୟଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ‘ଓଡ଼ିଶା ହକି ପୁରୁଷ ବିଶ୍ୱକପ୍‌ର ଗୀତକୁ ଏଆର୍‌ ରହେମାନ୍‌ ସଙ୍ଗୀତରେ ସଜାଇବା ଆମକୁ ଉଲ୍ଲସିତ କରିଛି। ଏହା ଭୁବନେଶ୍ୱରର ଜନଜୀବନ ପାଇଁ ସମ୍ମାନ ସ୍ୱରୂପ ହେବ। ସେ ହେଉଛନ୍ତି ଭାରତର ସ୍ୱର ଏବଂ ଭାରତର ସ୍ୱର ହେଉଛି ବିଶ୍ୱକପ୍‌ର ସ୍ୱର। ଆମ ବହୁତ ଭାଗ୍ୟଶାଳୀ ଯେ ଗୁଲଜାର ସାହେବଙ୍କ କବିତାର ଯାଦୁ ଏହି ଗୀତରେ ରହିଛି। ଏହି ଦୁଇ କିମ୍ବଦନ୍ତୀ ଏକଜୁଟ ହେବା କେବଳ ଖେଳାଳିଙ୍କୁ ଅନୁପ୍ରାଣିତ କରିବ ତାହା ନୁହେଁ, ଓଡ଼ିଶାରେ ହେବାକୁ ଥିବା ବିଶ୍ୱକପ୍‌ର ଏହି ଆକର୍ଷଣୀୟ ଖେଳକୁ ସମର୍ଥନ ଦେବା ପାଇଁ ସାରା ଦେଶକୁ ଏକଜୁଟ କରିବ।’’

ହକି ବିଶ୍ୱକପ୍‌ ଲାଗି ଓଡ଼ିଶା ସରକାରଙ୍କ ପାଇଁ ରଣନୀତି ଓ ଯୋଗାଯୋଗ ପରାମର୍ଶଦାତା ନୂପୁର ମହାଜନ କହିଛନ୍ତି ‘ଗୁଲଜାର ସାହେବଙ୍କ ପ୍ରତିଭା ସହିତ ରହେମାନ୍‌ଙ୍କ ଯାଦୁରେ ବର୍ତମାନ ଏହି ଗୀତଟିକୁ ପ୍ରସ୍ତୁତ କରାଯାଉଛି। ରହେମାନ୍‌ ମ୍ୟୁଜିକ୍‌ ଭିଡିଓର ମଧ୍ୟ ନିର୍ଦେଶନା ଦେବେ ଯାହାକୁ ଭାରତର ହକି ଏନ୍ତୁଡ଼ିଶାଳଗୁଡ଼ିକରେ ସୁଟିଂ କରାଯିବ। ଏହି ଗୀତର ଭାବାର୍ଥ ହେଉଛି ‘ଭାରତ ଏବଂ ଓଡ଼ିଶା ଓ ବିଜୟ କିମ୍ବା ପରାଜୟ ନହୋଇ ଉଚ୍ଚ ହେବାର ଭାବନା।

ମିଳିଥିବା ସୂଚନା ଅନୁଯାୟୀ, ଏହି ଗୀତଟି ଅକ୍ଟୋବର ପ୍ରଥମ ସପ୍ତାହରେ କଳିଙ୍ଗ ଷ୍ଟା଼ଡିୟମରେ ମୁକ୍ତିଲାଭ କରିବ। ଆସନ୍ତା ନଭେମ୍ବର ୨୮ ତାରିଖରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏହି କ୍ରୀଡ଼ା ମହାକୁମ୍ଭ ଆୟୋଜିତ ହେବ।

ଉଲ୍ଲେଖଯୋଗ୍ୟ, ୧୯୮୨ ମସିହାରେ ମୁମ୍ବାଇ ଓ ୨୦୧୦ ମସିହାରେ ନୂଆଦିଲ୍ଲୀକୁ ଭାରତର ହକି ବିଶ୍ୱକପ୍‌ ଆୟୋଜନ କରିବାର ସୁଯୋଗ ମିଳିଥିଲା।

ସମ୍ବନ୍ଧିତ ଖବର