ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି: ୪ ଘଣ୍ଟା ବନ୍ଦ ରହିଲା ମହାପ୍ରଭୁଙ୍କ ଦର୍ଶନ

ପୁରୀ: ଭ‌ାଦ୍ରବ ଶୁକ୍ଳ ଦ୍ବାଦଶୀ ତିଥିରେ ଆଜି ଶ୍ରୀମନ୍ଦିରରେ ପବିତ୍ର ବାମନ ଜନ୍ମ ନୀତି ପାଳିତ ହୋଇଛି। ଏହା ମହାପ୍ରଭୁଙ୍କର ଏକ ଗୁପ୍ତ ନୀତି। ଏହି କାରଣରୁ ଆଜି ଶ୍ରୀମନ୍ଦିରରେ ଅପରାହ୍ନ ୪ରୁ ରାତି ୮ଟା ପର୍ଯ୍ୟନ୍ତ ୪ ଘଣ୍ଟା ଦର୍ଶନ ବନ୍ଦ ରହିଥିଲା।

ଶ୍ରୀମନ୍ଦିର ପରମ୍ପରା ମୁତାବକ ଆଜି ମହାପ୍ରଭୁଙ୍କ ସକାଳ ଧୂପ ବଢିବ‌ା ପ‌ରେ ଗତରାତିରୁ ଅଧିବାସ ହୋଇ ରହିଥିବା ପବିତ୍ରା (ପଇତା) ଚାଙ୍ଗୁଡିକୁ ଶ୍ରୀମନ୍ଦିର ପରିକ୍ରମା କରାଯାଇଥିଲା। ଜୟ ବିଜୟ ଦ୍ବାର ଦେଇ ପୂଜାପଣ୍ଡା, ପତିମହାପାତ୍ର, ମୁଦିରସ୍ତ ତିନି ଜଣ ପାଳିଆ ପୁଷ୍ପାଳକଙ୍କ ସହିତ ଘଣ୍ଟ, ଛତା, କାହାଳୀ ଶୋଭାଯାତ୍ରାରେ ବଡଦେଉଳକୁ ତିନି ଘେରା ପରିକ୍ରମା କରିଥିଲେ। ଏହା ପରେ ସେବକମାନେ ଗର୍ଭଗୃହକୁ ପ୍ରବେଶ କରିଥିଲେ। ମଧ୍ୟାହ୍ନ ଧୂପ ସରିବା ପରେ ଜୟ ବିଜୟ ଦ୍ବାର ବନ୍ଦ ହୋଇଥିଲା। ପରେ ଦକ୍ଷିଣି ଘରୁ ମହାଜନ ସେବକ ହାତରେ କୃଷ୍ଣଙ୍କୁ ବିଜେ କରି ଆଣି ସିଂହାସନରେ ଅଧିଷ୍ଠିତ କରାଇଥିଲେ। ଭଦ୍ରମଣ୍ଡଳରେ ବଣିଆ ଦେଇଥିବା ସୁବର୍ଣ୍ଣ ବାମନ ପ୍ରତିମାଙ୍କୁ ଭଦ୍ର ମଣ୍ଡଳ ଉପରେ, ମଧ୍ୟ ଭାଗରେ ବିଜେ କରାଯାଇଥିଲା। ଭଦ୍ରମଣ୍ଡଳରେ ଖଣ୍ଡୁଆ ଘୋଡାଇ ବାମନ ଜନ୍ମ ନୀତି ସଂପାଦନ କରାଯାଇଥିଲା। ମୁଦିରସ୍ତଙ୍କ ପ୍ରସାଦ ଲାଗି ପରେ ମହାଜନ ସେବକ ଠାକୁରଙ୍କୁ ଜୟ ବିଜୟ ଦ୍ବାର ନିକଟକୁ ବିଜେ କରିଥିଲେ। ଏଠାରେ ବାମନ ମୂର୍ତ୍ତି ପଟି ଲାଗି ହୋଇଥିଲେ। ଠାକୁର ମାଜଣା ମଣ୍ଡପରେ ପଡିଥିବା ଖଟ ଉପରକୁ ବିଜେ କରିଥିଲେ। ପତି ମହାପାତ୍ର ସେବକ ଭଣ୍ଡାର ଘରୁ ରୁପା ଥାଳିରେ ଦୁର୍ଗା ଦେବୀଙ୍କୁ ବିଜେ କରି ଆଣିଥିଲେ। ପୂଜାପଣ୍ଡା ଦୁର୍ଗାଦେବୀଙ୍କୁ ଅଜ୍ଞାମାଳ ଦେବା ପରେ ଖଟ ଉପରେ ବିଜେ ହୋଇଥିଲେ। ଏଠା‌‌ରେ ପୂଜାପଣ୍ଡା ଯଜ୍ଞପବିତ୍ରା ପ୍ରଦାନ କରିଥିଲେ। ମାଜଣା ମଣ୍ଡପରେ ପାଣି ପଡି ଶୀତଳ ଭୋଗ ବଢିଥିଲା। ପୂଜାପଣ୍ଡା ପଞ୍ଚୋପଚାରରେ ଭୋଗ ବଢାଇବା ପ‌‌ରେ ବନ୍ଦାପନା ସରି କୃଷ୍ଣ ପ୍ରତିମା ଦକ୍ଷିଣ ଘର ଓ ଦୁର୍ଗା ପ୍ରତିମା ଭଣ୍ଡାର ଘରକୁ ବିଜେ କରିଥିଲେ। ଏହା ପରେ ଅନ୍ୟାନ୍ୟ ନୀତି ବଢିଥିଲା।

ସମ୍ବନ୍ଧିତ ଖବର