ବଲାଙ୍ଗୀର: ବାରୁଦ ଗୋଦାମରୁ ବହୁ ପରିମାଣର ବିସ୍ଫୋରକ ଲୁଟ୍‌, ମାଓବାଦୀଙ୍କ ହାତ ଥିବା ସନ୍ଦେହ!

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ବେଲପଡା ଥାନା ଅନ୍ତର୍ଗତ ଡୁଙ୍ଗୁରିପାଲି ଗାଁରେ ଏକ ବଡ଼ ଧରଣର ଲୁଟ୍‌ ହୋଇଛି। ଗ୍ରାମରେ ଥିବା ଏକ ବାରୁଦ ଗୋଦାମରୁ ବିପୁଳ ମାତ୍ରାରେ ବିସ୍ଫୋରକ ଲୁଟ୍‌ ହୋଇଛି ବୋଲି ସୂଚନା ହସ୍ତଗତ ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ପ୍ରାୟ ୨୦ରୁ ୩୦ ଜଣ ଲୁଟେରା ଗୋଦାମରେ ପଶି ଏହି ଲୁଟ୍‌ କରିଥିଲେ। ଲୁଟେରାମାନେ ଲୁଟ୍‌ ପାଇଁ ଏକ ଟ୍ରକ୍‌ ସାଙ୍ଗରେ ଧରିି ଆସିଥିଲେ ବୋଲି ଜାଣିବାକୁ ମିଳିଛି। ଲୁଟ୍‌ କରିବା ସମୟରେ ସିସିଟିଭିରେ ସେମାନଙ୍କ ଫଟୋ ରହି ଯାଇଥିଲେ କାଳେ ପରବର୍ତ୍ତୀ ମୁହୂର୍ତ୍ତରେ ଧରାପଡ଼ିବେ ବୋଲି ଚିନ୍ତା କରି ସେମାନେ ଗୋଦାମରେ ଲାଗିଥିବା ସମସ୍ତ ସିସିଟିଭିକୁ ଭାଙ୍ଗି ଦେଇ ଯାଇଛନ୍ତି। ତେଣୁ କେତେ ପରିମାଣରେ ସାମଗ୍ରୀ ଚୋରି ଯାଇଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ଗୋଦାମର ଷ୍ଟକ୍‌ ତନଖି ପରେ ଏହା ସ୍ପଷ୍ଟ ହୋଇପାରିବ।

ଏହି ଲୁଟ୍‌ ପଛରେ କାହାର ହାତ ରହିଛି ତାହା ମଧ୍ୟ ଏଯାବତ୍‌ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ପହଁଚି ବେଲପଡ଼ା ପୁଲିସ୍‌ ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଏହି ଲୁଟ୍‌ ପଛରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ ମଧ୍ୟ କରାଯାଉ ଥିଲେ ବି ଏ ନେଇ କୌଣସି ପ୍ରମାଣ ହସ୍ତଗତ ହୋଇନାହିଁ। ପୁଲିସ୍‌ ସୂଚନା ଦେଇଛି ଯେ ଯେଉଁଭଳି ଭାବେ ଲୁଟ୍‌ ହୋଇଛି ଏହା ପଛରେ ଏକ ସୁପରିକଳ୍ପିତ ଷଡ଼ଯନ୍ତ୍ର ଥିବା ସନ୍ଦେହ କରାଯାଉଛି। ଏଥିସହ ଏହି ଲୁଟ୍‌ରେ ଅନ୍ତରାଜ୍ୟ ବିସ୍ଫୋରକ ଚୋରା ଚାଲାଣକାରୀଙ୍କ ହାତ ଥିବା ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ। ଅନ୍ୟପକ୍ଷରେ ବର୍ତ୍ତମାନ ଛତିଶଗଡ଼, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ସରକାର ନିଜର ମାଓ ଦମନ ଅଭିଯାନ ଜୋର୍‌ ଦାର କରିଥିବାରୁମ ମାଓବାଦୀଙ୍କୁ ଅସ୍ତ୍ରଶସ୍ତ୍ର ବିସ୍ଫୋରକ ଯୋଗାଣ ବାଧାପ୍ରାପ୍ତ ହେଉଛି ବୋଲି ଗୁଇନ୍ଦା ସୂଚନା ରହଛି। ଏଣୁ ନିଜ କାର୍ଯ୍ୟକଳାପକୁ ଜାରି ରଖିବା ଲାଗି ମାଓବାଦୀମାନେ ଏହି ବିସ୍ଫୋରକ ଲୁଟରେ ସଂପୃକ୍ତ ଥିବା ପୁଲିସ୍‌ ସନ୍ଦେହ କରୁଛି।

ସମ୍ବନ୍ଧିତ ଖବର