ମେକ୍‌ ଇନ୍‌ ଓଡ଼ିଶା ପ୍ରସଙ୍ଗ: ବଢ଼ୁଛି ସିଆଇଆଇ ବିବାଦ

ଜଗିଙ୍କୁ ପୁଣି ଦାୟୀ କଲା ବିଜେଡି

ସଫେଇ ଦେଲେ ଶ୍ରୀମତୀ ପଣ୍ଡା
ପଣ୍ଡାଙ୍କ ପାଇଁ ଅଣ୍ଟା ଭିଡ଼ିଲା ବିଜେପି

ଭୁବନେଶ୍ୱର : ମେକ୍‌ ଇନ୍‌ ଓଡ଼ିଶା କନକ୍ଳେଭରୁ ଭାରତୀୟ ଶିଳ୍ପ ମହାଂସଘ ବା ସିଆଇଆଇ ଓହରିଯିବା ପ୍ରସଙ୍ଗକୁ ନେଇ ବିବାଦ ବଢ଼ୁଛି। ଆଜି ବିଜୁ ଜନତା ଦଳ ପୁଣି ଥରେ ସାମ୍ବାଦିକ ସମ୍ମିଳନୀ କରି ଏହି ଘଟଣାରେ ବର୍ଷିଛି। ଦୋହରାଇଛି ଯେ ସିଆଇଆଇର ପୂର୍ବାଞ୍ଚଳ ଅଧ୍ୟକ୍ଷା ଭାବେ ଜଗିମଙ୍ଗତ ପଣ୍ଡା ଦାୟିତ୍ୱ ନେବା ପରେ ହିଁ ଭାରତୀୟ ଶିଳ୍ପ ମହାସଂଘ ଚାପରେ ପଡି ତାର ନିଷ୍ପତ୍ତି ବଦଳାଇଛି। ଓଡିଶାର ପ୍ରଗତି ଓ ସ୍ୱାର୍ଥ ବିରୋଧରେ ବଡ଼ ଧରଣର ଷଡ଼୍‍ଯନ୍ତ୍ର ଚାଲିଥିବା ଅଭିଯୋଗ ଆଣି ବିଜେଡି କହିଛି ଯେ ଏହାକୁ ବରଦାସ୍ତ କରାଯିବ ନାହିଁ। ସେପଟେ ଆଜି
ଜଗିମଙ୍ଗତ ପଣ୍ଡା ପୁଣି ଥରେ ସଫେଇ ଦେଇଥିବା ବେଳେ ଏହି ପ୍ରସଙ୍ଗରେ ବିଜେପି ବି ଆଜି ମତ ରଖି ଶ୍ରୀ ପଣ୍ଡାଙ୍କୁ ସୁରକ୍ଷା ଦେଇଛି।

ଆଜି ଏଠାରେ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଥିଲେ, କେନ୍ଦ୍ରରେ ଏନ୍‌ଡିଏ ସରକାର କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ଶିଳ୍ପକୁ ପ୍ରୋତ୍ସାହନ ଦେବା ପାଇଁ ମେକ୍‌-ଇନ୍‌-ଇଣ୍ଡିଆ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ସବୁ ରାଜ୍ୟରେ ଏହିଭଳି କାର୍ଯ୍ୟକ୍ରମ କରିବା ଲାଗି ମୁଖ୍ୟମନ୍ତ୍ରୀମାନଙ୍କୁ ସେ ହିଁ ଅନୁରୋଧ କରିଥିଲେ। ୨୦୧୬ ଫେବ୍ରୁଆରିରେ ମୁମ୍ବାଇରେ ଅନୁଷ୍ଠିତ ମେକ୍‌ ଇନ୍‌ ଇଣ୍ଡିଆରେ ପ୍ରଥମଥର ଓ ସେହିବର୍ଷ ଅଗଷ୍ଟ ମାସରେ ବାଙ୍ଗାଲୋର୍‌ରେ ହୋଇଥିବା ମେକ୍‌-ଇନ୍‌-ଇଣ୍ଡିଆରେ ଦ୍ୱିତୀୟଥର ଓଡ଼ିଶା ଭାଗ ନେବା ପରେ ୨୦୧୬ ଡିସେମ୍ବରରେ ଭୁବନେଶ୍ୱରରେ ମେକ୍‌-ଇନ୍‌-ଓଡ଼ିଶା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସେତେବେଳେ ରାଜ୍ୟ ସରକାରଙ୍କ ସହ ସିଆଇଆଇ ସହଭାଗିତା ରକ୍ଷା କରିଥିଲା। ମାତ୍ର ଏଥର ହଠାତ୍‌ ସରକାରଙ୍କୁ ଅସହଯୋଗ କରିବା ପାଇଁ ସିଆଇଆଇ କାହିଁକି ମନସ୍ଥ କଲା ତାହା ପଛରେ କାରଣ ଆଉ କିଛି ନୁହେଁ, ବରଂ ଓଡ଼ିଶା ବିରୋଧୀ ଷଡ଼ଯନ୍ତ୍ର ନିହିତ ରହିଛି।

ବିଜେଡି କହିଛି, ଏବେ ସୁଦ୍ଧା ହୋଇଥିବା ତିନୋଟିଯାକ କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାରେ ୩ଲକ୍ଷ ୬୪ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବ ମିଳିଥିଲା। ଯାହା ମାଧ୍ୟମରେ ରାଜ୍ୟକୁ ୧୨୪ଟି ନିବେଶ ପ୍ରସ୍ତାବ ଆସିଥିଲା ଓ ଏବେ ସୁଦ୍ଧା ୭୬ଟି ପୂର୍ଣ୍ଣାଙ୍ଗ ପ୍ରସ୍ତାବ ବିଧିବଦ୍ଧ ଭାବରେ ହସ୍ତଗତ ହୋଇଛି। ତନ୍ମଧ୍ୟରୁ ୬୦ଟି ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ପ୍ରକଳ୍ପ କାର୍ଯ୍ୟ ପାଇଁ ପଦକ୍ଷେପ ଆରମ୍ଭ ହୋଇଛି। ଏହାବ୍ୟତୀତ ୧୬ଟି ପ୍ରସ୍ତାବ ଇଡ୍‌କଲ ଓ ଇପିକଲ୍‌ ମାଧ୍ୟମରେ ଅନୁଧ୍ୟାନ କରାଯାଉଛି। ମେକ୍‌-ଇନ୍‌-ଓଡ଼ିଶା କନ୍‌କ୍ଲେଭ୍‌ ଦ୍ୱାରା ସଂପୂର୍ଣ୍ଣ ପ୍ରସ୍ତାବ ମଧ୍ୟରୁ ୨ଲକ୍ଷ ୨ହଜାର କୋଟି ଟଙ୍କାର ପୁଞ୍ଜିନିବେଶକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି।

୨୦୧୭ ନଭେମ୍ବର ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ଯେ ୨୦୧୮ ନଭେମ୍ବର ୧୧ରୁ ୧୫ ପର୍ଯ୍ୟନ୍ତ ମେକ୍‌-ଇନ୍‌-ଓଡ଼ିଶା କନ୍‌କ୍ଲେଭ୍‌ ଅନୁଷ୍ଠିତ ହେବ। ୧୭ ଜାନୁଆରିରେ ସିଆଇଆଇର ଦୀପକ କୁମାର ସିଂହ ବଜେଟ୍‌ ରାଜ୍ୟ ସରକାରଙ୍କ ପାଖକୁ ପଠାଇଥିଲେ। ଗତ ଫେବ୍ରୁଆରି ୧୪ ତାରିଖରେ ସିଆଇଆଇର ନୀତା କର୍ମାକର ରାଜ୍ୟ ସରକାରଙ୍କୁ ସିଆଇଆଇ ସଂଯୋଜକଙ୍କର ତାଲିକା ପଠାଇଥିଲେ। ହଠାତ ଏପ୍ରିଲ ୪ରେ ସିଆଇଆଇର ଷ୍ଟେଟ୍‌ କାଉନସିଲ୍‌ ରାଜ୍ୟ ସରକାରଙ୍କୁ ପତ୍ର ମାଧ୍ୟମରେ ଜଣାଇଲେ ଯେ ସେମାନେ ଆଉ କୌଣସି ପ୍ରକାର ସହଯୋଗ କରିପାରିବେ ନାହିଁ।

ସଂପୂର୍ଣ୍ଣ ସହଯୋଗ କରିଆସୁଥିବା ସଂସ୍ଥା ହଠାତ୍‌ କାହିଁକି ଅସହଯୋଗର ଏକ ବାତାବରଣ ସୃଷ୍ଟି କଲା? ବୋଲି ବିଜେଡି ପଚାରିବା ସହିତ ନିଲମ୍ବିତ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପତ୍ନୀ ଜଗିମଙ୍ଗତଙ୍କୁ ଏହି ବିବାଦକୁ ଟାଣିଛି। ବିଜେଡି କହିଛି, ଜଗିମଙ୍ଗତ ପଣ୍ଡାଙ୍କ ବ୍ୟକ୍ତିଗତ ସ୍ୱାର୍ଥରେ ନିହିତ ହୋଇ ସିଆଇଆଇ ରାଜ୍ୟ ସରକାରଙ୍କୁ କୌଣସି ସହଯୋଗ ଯୋଗାଇବାକୁ ଚାହୁଁନାହାନ୍ତି। ଏହା ନିନ୍ଦନୀୟ ଓ ଓଡ଼ିଶାର ଯୁବକ-ଯୁବତୀଙ୍କ ସହିତ ଏକ ବିଶ୍ୱାସଘାତକତା। ସିଆଇଆଇ ଭଳି ଏକ ରାଷ୍ଟ୍ରୀୟ ସଂସ୍ଥା ଶ୍ରୀମତୀ ପଣ୍ଡାଙ୍କ ହାତବାରିସୀ ହୋଇ ରାଜ୍ୟ ସ୍ୱାର୍ଥ ବିରୋଧୀ କାର୍ଯ୍ୟ କରିବା ଦୁଃଖଦ ଓ ପରିତାପର ବିଷୟ।

ଶ୍ରୀ ଦେବ ଆହୁରି କହିଛନ୍ତି ଯେ ଶ୍ରୀମତୀ ପଣ୍ଡାଙ୍କ ପ୍ରତି ସନ୍ଦେହ ଆହୁରି ଘନୀଭୂତ ହେବାର କାରଣ ହେଉଛି, ଅସହଯୋଗ ନିଷ୍ପତ୍ତି ପରେ ସିଆଇଆଇର ରାଜ୍ୟ କାଉନ୍‌ସିଲ୍‌ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ ନିଜ ନିଜ ପଦବିରୁ ଇସ୍ତଫା ଦେଇଛନ୍ତି। ଗୋପାଳପୁରସ୍ଥିତ ଟାଟା ଷ୍ଟିଲ୍‌ ପ୍ରକଳ୍ପର ମୁଖ୍ୟ ଅରୁଣ ମିଶ୍ର ଓ ଧାମରା ପୋର୍ଟର ମୁଖ୍ୟ ସୁବ୍ରତ ତ୍ରିପାଠୀ ସିଆଇଆଇର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଥିଲେ। ଗତକାଲି ଉଭୟଙ୍କ ଇସ୍ତଫା ସଙ୍କେତ ଦେଉଛି, ଯେ ସେମାନେ କୌଣସି ଅଦୃଶ୍ୟ ଚାପରେ କ୍ଷୋଭ ପ୍ରକାଶ କରିବାକୁ ଯାଇ ଏଭଳି ପଦକ୍ଷେପ ନେଇଛନ୍ତି। ଆଜିର ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଡ. ସସ୍ମିତ ପାତ୍ର ଏବଂ ରାଜ୍ୟ ସଂପାଦକ ବିଜୟ ନାୟକ ଉପସ୍ଥିତ ଥିଲେ।

ଏହି ଘଟଣାରେ ଆଜି ବିଜେପି ବିଧାୟକ ପ୍ରଦୀପ ପୁରୋହିତ ଗଣମାଧ୍ୟମକୁ କହିଛନ୍ତି, ରାଜ୍ୟ ସରକାରଙ୍କର କୌଣସି ଭିଜନ ନଥିବାରୁ ସିଆଇଆଇ ଓହରିଯାଇଛି। ଅଯଥାରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପଛରେ ବିଜେଡି ପଡିଛି।

ସେପଟେ ଶ୍ରୀମତୀ ପଣ୍ଡା ଆଜି ପୁଣି ଥରେ ସଫେଇ ଦେଇ କହିଛନ୍ତି, ‘ମୋର ବିଜେଡିକୁ ଅନୁରୋଧ, ମୋତେ ରାଜନୀତିକୁ ଟାଣନ୍ତୁନାହିଁ। ଯେହେତୁ ବୈଜୟନ୍ତ ପଣ୍ଡା ସିଧାସଳଖ ରାଜନୀତିରେ ଜଡ଼ିତ ଅଛନ୍ତି, ଆପଣ ତାଙ୍କୁ ନେଇ ରାଜନୀତି କରିପାରନ୍ତି। ମୁଁ ଦୀର୍ଘ ୨୫ ବର୍ଷ ଧରି ଓଡ଼ିଶାରେ ବ୍ୟବସାୟ କରିଆସୁଛି। ଆମ ଇଣ୍ଡଷ୍ଟ୍ରିରେ ଏବେ ୩୦୦୦ କର୍ମଚାରୀ କାମ କରୁଛନ୍ତି। ଓଡ଼ିଶା ଇଣ୍ଡଷ୍ଟ୍ରି ପ୍ରତି ମୋର ଯେଉଁ ଭଲ ପାଇବା ଅଛି, ତାହା ସଦାବେଳେ ରହିବ। ଇଷ୍ଟର୍ଣ୍ଣ ରିଜିଅନ୍‌ ଅଧ୍ୟକ୍ଷା ଭାବେ ମୁଁ ମେକ୍‌ ଇନ୍‌ ଓଡ଼ିଶାକୁ ପୂରା ସହଯୋଗ ଦେବି। ଯେମିତି ମେକ୍‌ ଇନ୍‌ ଓଡ଼ିଶା ସଫଳ କାର୍ଯ୍ୟକ୍ଷମ ହେବ। ଗତକାଲିଠାରୁ ଯେଉଁ ବିବାଦ ଦେଖାଦେଇଛି ସେ ସଂପର୍କରେ ସେମାନେ ଓଡ଼ିଶା ଅଫିସ୍‌ କିମ୍ବା କେନ୍ଦ୍ରୀୟ କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ ବୋଲି ଶ୍ରୀମତୀ ପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର