କେନ୍ଦୁଝର : ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ବହିଷ୍କାର ଦାବି ଜୋର୍ ଧରିଛି। ମନ୍ତ୍ରୀଙ୍କ ଦ୍ବିତୀୟ ପୁଅ ଦେବାଶିଷ ପାତ୍ର ମରଣାନ୍ତକ ଆକ୍ରମଣ ମାମଲାରେ ଜେଲ୍ରେ ଥିବା ବେଳେ ଅନ୍ୟ ଜଣେ ପୁଅ ଦେବପ୍ରିୟ ପାତ୍ର ବିରୋଧରେ ହତ୍ୟା ଉଦ୍ୟମ ଭଳି ସ˚ଗିନ ଅଭିଯୋଗ ଆସିଥିବାରୁ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କୁ ତୁରନ୍ତ ମନ୍ତ୍ରିମଣ୍ତଳରୁ ବହିଷ୍କାର କରିବାକୁ କେନ୍ଦୁଝର ଜିଲ୍ଲା ବିଜେପି ସଭାପତି ରାଧାକାନ୍ତ ମହାନ୍ତ ଦାବି କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
କେନ୍ଦୁଝର ଜିଲ୍ଲା ବିଜେପି ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଥିଲା। ବିକ୍ଷୋଭ ସମାବେଶରେ ବିଜେପି ପକ୍ଷରୁ ଆନନ୍ଦପୁରରେ ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ମନ୍ତ୍ରୀ ବଦ୍ରି ପାତ୍ରଙ୍କୁ ଦାୟୀ କରାଯାଇଥିଲା। ଆନନ୍ଦପୁର ଉପଖଣ୍ତରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ପାଇଁ ଖୋଦ୍ ମନ୍ତ୍ରୀ ଓ ତାଙ୍କ ପୁଅମାନେ ଦାୟୀ ବୋଲି ଶ୍ରୀ ମହାନ୍ତ ଅଭିଯୋଗ କରିଥିଲେ। ପୁଅମାନେ ପିତାଙ୍କ ମନ୍ତ୍ରୀପଦର ଅପବ୍ୟବହାର କରି ପୁଲିସ ଏବ˚ ପ୍ରଶାସନକୁ ନିଜ ସପକ୍ଷରେ ନେବା ସହିତ ତାଙ୍କ ବିରୋଧରେ ମୁହଁ ଖୋଲୁଥିବା ବିରୋଧୀମାନଙ୍କୁ ମାଡ଼ ମାରି ଆତଙ୍କରାଜ ସୃଷ୍ଟି କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ତେଣୁ ତୁରନ୍ତ ମନ୍ତ୍ରିମଣ୍ତଳରୁ ବଦ୍ରି ପାତ୍ରଙ୍କୁ ତୁରନ୍ତ ବହିଷ୍କାର କରିବାକୁ ସେ ଦାବି କରିଛନ୍ତି। ଏନେଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ଦାବିପତ୍ର ପଠାଯାଇଛି।
ଖାଲି କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ନୁହେଁ, ବର˚ ଜିଲ୍ଲାବ୍ୟାପୀ ଏହି ବିକ୍ଷୋଭ ସମାବେଶ ହୋଇଥିଲା। ଏହି ଅବସରରେ ଚମ୍ପୁଆ ଏବ˚ ଆନନ୍ଦପୁର ଉପଖଣ୍ତର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ହେବା ସହିତ ମନ୍ତ୍ରୀ ବଦ୍ରି ପାତ୍ରଙ୍କୁ ବହିଷ୍କାର ପାଇଁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।
ଜିଲ୍ଲା ବିଜେପି ସଭାପତି ରାଧାକାନ୍ତ ମହାନ୍ତଙ୍କ ନେତୃତ୍ବରେ ବରିଷ୍ଠ ନେତା ପ୍ରାକ୍ତନ ସାଂସଦ ଅନନ୍ତ ନାୟକ, ପ୍ରାକ୍ତନ ବିଧାୟକ ମୋହନ ଚରଣ ମାଝି, ଧନୁର୍ଜୟ ସିଦ୍ଧୁ, କିରଣବାଳା ନାଏକ, ଧୀରେନ ପଣ୍ଡା, ମୀନତି ମୁଣ୍ଡା, ଜଗା ସିଂଙ୍କ ସମେତ ବହୁ ବିଜେପି ନେତା ଏହି ବିକ୍ଷୋଭରେ ସାମିଲ ହୋଇଥିଲେ।