ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗ : କଠୋର ହେଲା ଶ୍ରୀମନ୍ଦିର ପ୍ରଶାସନ, ଦୋଷ ମାନିଲେନି ଦଇତା, ପୁଣି ୯ ଜଣଙ୍କୁ ନୋଟିସ୍

ଶ୍ରୀମନ୍ଦିର ଆଇନ ୨୧(ଖ)ରେ ହେବ ତଦନ୍ତ, ତଦନ୍ତକାରୀ ଅଧିକାରୀ ହେବେ ମୁଖ୍ୟ ପ୍ରଶାସକ

ପୁରୀ : ବହୁଚର୍ଚ୍ଚିତ ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ଦେଖାଇଛି ଶ୍ରୀମନ୍ଦିର ପ୍ରଶାସନ। କାରଣ ଦର୍ଶାଅ ନୋଟିସ୍ ଉତ୍ତର ସନ୍ତୋଷଜନକ ନଥିବା ଦର୍ଶାଇ ପୁଣି ଥରେ ୯ ଜଣ ଦଇତାପତିଙ୍କୁ ଜାରି କରିଛି କାରଣ ଦର୍ଶାଅ ନୋଟିସ୍ (ସେକେଣ୍ଡ ରିମାଇଣ୍ଡର)। ଏହାର ଜବାବ ରଖିବାକୁ ୧୫ ଦିନ ମହଲତ୍‌ ଦେଇଛି। ଯଦି ଏହାର ସନ୍ତୋଷଜନକ ଉତ୍ତର ନ ମିଳେ ଶ୍ରୀମନ୍ଦିର ଆଇନ ଧାରା ୨୧ (ଖ) ଅନୁଯାୟୀ ତଦନ୍ତ ହେବ ଓ ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚିଠିରେ ପ୍ରଶାସନ ସିଧାସଳଖ ଜଣାଇଦେଇଛି। ବର୍ତ୍ତମାନ ଦଇତା ନିଯୋଗ ନିର୍ବାଚନକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିବାବେଳେ ଠିକ୍ ଏହି ସମୟରେ ଶ୍ରୀମନ୍ଦିର ପ୍ରଶାସନର ଏଭଳି କଡ଼ା ନୋଟିସ୍ ଭାଳେଣି ସୃଷ୍ଟି କଲାଣି।

ନବକଳେବର ଅବସରରେ ୨୦୧୫ ଜୁନ ୧୫ରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଘଟ ପରିବର୍ତନ ହୋଇଥିଲା। ସେଦିନ ବ୍ରହ୍ମ ସଂସ୍ଥାପନ ପାଇଁ ଦଇତାପତି ନିଯୋଗର ପ୍ରାୟ ସମସ୍ତ ସେବକ ଉପସ୍ଥିତ ଥିଲେ। ମାତ୍ର ବ୍ରହ୍ମ ଦର୍ଶନକୁ ନେଇ ବିଶୃଙ୍ଖଳା ଯୋଗୁ ଘଟ ପରିବର୍ତନରେ ଅହେତୁକ ବିଳମ୍ବ ହୋଇଥିଲା। ଯାହାକୁ ନେଇ ରାଜ୍ୟ ତଥା ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ରାଜ୍ୟବ୍ୟାପୀ ଆନ୍ଦୋଳନ ମୁଣ୍ଡ ଟେକିଥିଲା। ଯେଉଁଥିପାଇଁ ଉଭୟ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ନିନ୍ଦିତ ହୋଇଥିଲେ। ପରେ ଏହାର ନିରପେକ୍ଷ ତଦନ୍ତ କରାଯାଇଥିଲା। ତଦନ୍ତ ରିପୋର୍ଟ ଓ ତତସଂଲଗ୍ନ ବୟାନ ଆଧାରରେ ୨୦୧୮ ନଭେମ୍ବର ୧୪ରେ ଶ୍ରୀମନ୍ଦିର ପ୍ରଶାସନ ଦଇତାପତି ନିଯୋଗର ସଂପାଦକ ପ୍ରେମାନନ୍ଦ ଦାସ ମହାପାତ୍ର ଓ ଅନ୍ୟ ୮ ଜଣ ଦଇତାପତି ସେବକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ।

ଏପରିକି ଘଟ ପରିବର୍ତନ ସମୟରେ ନିଯୋଗ ସଂପାଦକ ପ୍ରେମାନନ୍ଦ ଦାସ ମହାପାତ୍ର ଘଟ ପରିବର୍ତନର ପରମ୍ପରା ଓ ଗୋପନୀୟତାକୁ ଭଙ୍ଗ କରି ଜୋର ଜବରଦସ୍ତ ୪ ଜଣ ବରିଷ୍ଠ ଦଇତାପତିଙ୍କୁ ବ୍ରହ୍ମ ଦର୍ଶନ କରାଇଥିଲେ ବୋଲି ଶ୍ରୀମନ୍ଦିର ପ୍ରଶାସନ ଚିଠିରେ ଉଲ୍ଲେଖ କରିଥିଲା।

ନୋଟିସ୍‌ ହେବାର ୧୫ ଦିନ ଭିତରେ ଏହାର ଜବାବ ରଖିବାକୁ ପ୍ରେମାନନ୍ଦଙ୍କ ସମେତ ୮ ଜଣ ଦଇତାପତିଙ୍କୁ ଚିଠି କରାଯାଇଥିଲା। ଯଦି ଉତ୍ତର ସନ୍ତୋଷଜନକ ନହୁଏ, ଶ୍ରୀମନ୍ଦିର ଆଇନ ୧୯୫୫, ୨୧(କ) ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରହିବାକୁ ଶ୍ରୀମନ୍ଦିର ପ୍ରଶାସନ ଚେତାଇ ଦେଇଥିଲା।

ଚିଠି ପାଇବା ପରେ ୯ ଜଣ ଦଇତାପତି ଜବାବ ରଖିଛନ୍ତି ସତ, କିନ୍ତୁ ଦୋଷ ସ୍ୱୀକାର କରିନାହାନ୍ତି। ଅନ୍ୟପକ୍ଷରେ କେଉଁ ଆଧାରରେ ସେମାନଙ୍କୁ ନୋଟିସ୍‌ ହୋଇଛି ତାର ପ୍ରମାଣ ସଂପୃକ୍ତ ଦଇତାପତିମାନେ ଶ୍ରୀମନ୍ଦିର ପ୍ରଶାସନକୁ ମାଗିଛନ୍ତି। ଏହି ଉତ୍ତର ସନ୍ତୋଷଜନକ ନୁହେଁ ଦର୍ଶାଇ ଶ୍ରୀମନ୍ଦିର ପ୍ରଶାସନ ଦ୍ୱିତୀୟ ଥର ପାଇଁ ନୋଟିସ୍‌ ଜାରି କରିଛି।

ଦ୍ୱିତୀୟ ଥର ପାଇଁ ଦିଆଯାଇଥିବା ନୋଟିସ୍‌ରେ ଶ୍ରୀମନ୍ଦିର ପ୍ରଶାସନ କହିଛି ଯେ, ସେଦିନ ବ୍ରହ୍ମ ବିଭ୍ରାଟର ଯଥେଷ୍ଟ ତଥ୍ୟ ପ୍ରମାଣ ଶ୍ରୀମନ୍ଦିର ପ୍ରଶାସନ ପାଖରେ ରହିଛି।

କିନ୍ତୁ ଦଇତା ସେବକମାନେ ପ୍ରଥମ ନୋଟିସ ଉପରେ ଯେଉଁ ଉତ୍ତର ରଖିଛନ୍ତି ତାହା ସଠିକ୍ ନୁହେଁ। ଏଣୁ ପୁଣି ଥରେ ସନ୍ତୋଷଜନକ ଉତ୍ତର ରଖିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ୯ ଜଣ ଦଇତାପତି ସେବକଙ୍କୁ ଦୁଇଟି ଚିଠି କରିଛି। ଚଳିତ ମାସ ୧୧ ତାରିଖରେ ଶ୍ରୀମନ୍ଦିର ପ୍ରଶାସନ ଲେଖିଥିବା ଗୋଟିଏ ଚିଠିରେ ପ୍ରେମାନନ୍ଦ ଦାସ ମହାପାତ୍ର, ନବକିଶୋର ଦାସ ମହାପାତ୍ର, ବିଶ୍ବନାଥ ଦାସ ମହାପାତ୍ର, କୃଷ୍ଣଚନ୍ଦ୍ର ଦାସ ମହାପାତ୍ର, କାଶୀନାଥ ଦାସ ମହାପାତ୍ର, ଜୟକୃଷ୍ଣ ଦାସ ମହାପାତ୍ର ଏବଂ ଅନ୍ୟ ଚିଠିରେ ୪ ଜଣ ଦଇତାପତିଙ୍କ ନାଁ ରହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର