୧୩ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ : ହଳଦୀପଡ଼ିଆରୁ ଜଣେ, ପାଣିକୋଇଲିରୁ ୨ ଗିରଫ

ଖଣ୍ଡଗିରି : ରାଜଧାନୀର ବ୍ରାଉନ୍ ସୁଗାର ପେଣ୍ଠ ହଳଦୀପଡ଼ିଆ ବସ୍ତିରୁ ପୁଣି ଜବତ ହୋଇଛି ଧଳା ଜହର। କଟକ ୟୁନିଟ୍‌ ୨ ଅବକାରୀ ଗୁଇନ୍ଦା ବିଭାଗ ହାତରେ ଧରାପଡ଼ିଛି ପେସାଦାର ବେପାରୀ ସଂଜୟ ମହାନ୍ତି(୩୦)। ତା’ଠାରୁ ୪୫ ଗ୍ରାମ୍ ଓଜନର ବ୍ରାଉନ୍ ସୁଗାର ଜବତ କରାଯାଇଛି। ଯାହାର ମୂଲ୍ୟ ୪ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଇଛି। ସଞ୍ଜୟକୁ କୋର୍ଟ ଚାଲାଣ କରାଯାଇଛି। ଜାମିନ୍ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହ‌ାଜତକୁ ପଠାଇ ଦିଆଯାଇଛି। ସୂଚନାନୁସାରେ ଅଭିଯୁକ୍ତ ସଞ୍ଜୟର ପରିବାର ଏହି କାରବାରରେ ବହୁ ଦିନ ହେଲା ସଂପୃକ୍ତ। ଉଭୟ ମା’ ଓ ପୁଅ ପୂର୍ବରୁ ଅନେକ ଥର ଗିରଫ ହୋଇଛନ୍ତି। ଗତ କିଛି ଦିନ ପୂର୍ବେ ସେମାନେ ଜାମିନ୍‌ରେ ଆସିବା ପରେ ପୁଣି କାରବାର ଆରମ୍ଭ କରି ଦେଇଥିଲେ। ‌କିନ୍ତୁ ଅବକାରୀ ଗୁଇନ୍ଦା ବିଭାଗ ତା’ ଉପରେ ତୀକ୍ଷ୍‌ଣ ନଜର ରଖିଥିଲା। ଗତକାଲି ସେ ଜଳେଶ୍ବରରୁ ମାଲ୍ ଆଣିଥିବା ଖବର ପାଇ ଆଜି ସକାଳୁ ସକାଳୁ ଇନ୍‌ସ୍ପେକ୍ଟର ଜଗଦୀଶ ଚନ୍ଦ୍ର ସାମଲ, ସବ୍ ଇନ୍‌ସ୍ପେକ୍ଟର ଧନଞ୍ଜୟ ପାତ୍ର ଓ ତାଙ୍କ ଟିମ୍‌ ଚଢ଼ଉ କରିଥିଲେ। ସେହିଭଳି ଆଜି କଟକ ଫ୍ଲାଇଂ ସ୍କ୍ବାଡ୍‌ ହାତରେ ଯାଜପୁର ପାଣିକୋଇଲି ଓଭରବ୍ରିଜ୍ ଉପରୁ ୨ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ୯୦ ଗ୍ରାମ୍‌ ବ୍ରାଉନ୍ ସୁଗାର ଜବତ କରାଯାଇଛି। ଅଭିଯୁକ୍ତ ଦ୍ବୟ ହେଲେ ଆଶିଷ ପରିଡ଼ା ଓ ସୁଜିତ ଧଳ। ଜଳେଶ୍ବରରୁ ମାଲ୍‌ ନେଇ ଭୁବନେଶ୍ବର ଆସୁଥିବାବେଳେ ରାସ୍ତାରେ ଛକି ରହିଥିବା ଅବକାରୀ ଟିମ୍‌ ସେମାନଙ୍କୁ ଧରିଥିଲା। ଅବକାରୀ କମିସନର ଭୁପେନ୍ଦ୍ର ସିଂହ ପୁନିଆଙ୍କ ନିର୍ଦେଶରେ ଫ୍ଲାଇଂ ସ୍କ୍ବାଡ୍‌ ଡେପୁଟି ସୁପରିଟେଣ୍ଡେଣ୍ଟ ପ୍ରଦୀପ ଦାସ, ଆଇଆଇସି ଶରତଚନ୍ଦ୍ର ଭଂଜ ଓ ଟିମ୍‌ ଏହି ଚଢ଼ଉରେ ସାମିଲ୍ ହୋଇଥିଲେ। ଉଲ୍ଲେଖଯୋଗ୍ୟ ଯେ ଗତ କିଛି ମାସ ହେଲା କମିସନରେଟ୍‌ ପୁଲିସ, ଅବକାରୀ ବିଭାଗ ଓ ଅବକାରୀ ଗୁଇନ୍ଦା ବିଭ‌ାଗର ଘନଘନ ଚଢ଼‌ଉ ଯୋଗୁଁ ହଳଦୀପଡ଼ିଆ ବସ୍ତିରରେ ଏହି କାରବାର କମି ଯାଇଥିଲା। ମାତ୍ର ଗିରଫ ଅଭିଯୁକ୍ତମାନେ ଜାମିନ୍ ଆସିବା ପରେ ପୁଣି ଏଠାରେ କାରବାର ଅରମ୍ଭ କରିଦେଇଛନ୍ତି। ଜଳେଶ୍ବରର ମାଫିଆମା‌ନେ ଏବେ ସିଧାସଳଖ ହଳଦୀପଡ଼ିଆ ପେଣ୍ଠକୁ ପୁଣି ସକ୍ରିୟ କରିବାକୁ ଯୋଜନା କରିଛନ୍ତି ବୋଲି ଅବାକରୀ ବିଭାଗ ଆଭାସ ପାଇଛି।

ସମ୍ବନ୍ଧିତ ଖବର