କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ବାର୍ଷିକ ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଚଳିତବର୍ଷ ରେଗୁଲାର୍ ଛାତ୍ରଛାତ୍ରୀଙ୍କ ପାସ୍ହାର ୭୭.୩୫ ପ୍ରତିଶତ ରହିଥିବା ବେଳେ ଏକ୍ସରେଗୁଲାର, ପତ୍ରବିନିମୟ ପାଠ୍ୟକ୍ରମରେ ସାମଗ୍ରିକ ପାସ୍ହାର ରହିଛି ୭୬.୨୩ ପ୍ରତିଶତ। ଗଲା ୫ ବର୍ଷ ମଧ୍ୟରେ ଏହି ପାସ୍ହାର ହେଉଛି ସର୍ବନିମ୍ନ। ୨୦୧୪ ବର୍ଷ ୭୮.୯୫ ପ୍ରତିଶତ ପାସ୍ହାର ରହିଥିବା ବେଳେ ପରବର୍ତ୍ତୀ ୩ ବର୍ଷର ପାସ୍ହାର ୮୦ ପ୍ରତିଶତରୁ ଅଧିକ ରହିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
୨୦୧୭ ବର୍ଷ ରେକର୍ଡ ସଂଖ୍ୟକ ୮୬.୩୭ ପ୍ରତିଶତ ରେଗୁଲାର ଛାତ୍ରଛାତ୍ରୀ ପାସ୍ କରିଥିଲେ। ଏ-୧ ଗ୍ରେଡ୍ (୯୦ ପ୍ରତିଶତରୁ ଅଧିକ)ରେ ପାସ୍ କରିଥିବା ଛାତ୍ରଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇଛି। ୨୦୧୭ରେ ୨୪୧୭ ଜଣ ଏ-୧ ଗ୍ରେଡ୍ ପାଇଥିବା ବେଳେ ଚଳିତବର୍ଷ ଏହି ସଂଖ୍ୟା ରହିଛି ୧୭୧୫। ଅପରପକ୍ଷରେ ଚଳିତ ବର୍ଷ ଛାତ୍ରୀଙ୍କ ପାସ୍ହାର ଛାତ୍ରଙ୍କ ତୁଳନାରେ ଅଧିକ ରହିଛି। ଛାତ୍ରୀଙ୍କ ପାସ୍ହାର ୭୭.୮୫ ପ୍ରତିଶତ ରହିଥିବା ବେଳେ ଛାତ୍ରଙ୍କ ପାସ୍ହାର ରହିଛି ୭୬.୮୩ ପ୍ରତିଶତ।
ସୂଚନାଯୋଗ୍ୟ ଯେ ଗତବର୍ଷ ଏପ୍ରିଲ ୨୬ ତାରିଖରେ ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇଥିଲା। ଚଳିତ ବର୍ଷ ପାଖାପାଖି ଦଶ ଦିନ ପରେ ପରୀକ୍ଷାଫଳ ପ୍ରକାଶ ପାଇଛି। ଆଜି ଦିନ ୯ଟା ବେଳେ ବୋର୍ଡ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ପରୀକ୍ଷାଫଳ ସୂଚନା ପୁସ୍ତିକାକୁ ଉନ୍ମୋଚନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭାଗୀୟ ସଚିବ ପ୍ରଦୀପ ମହାପାତ୍ର, ନିର୍ଦ୍ଦେଶକ ବିଭୂପ୍ରସାଦ ପାଢ଼ୀ, ବୋର୍ଡର ସଭାପତି ଡକ୍ଟର ଜାହାନ୍ ଆରା ବେଗମ୍, ସଂପାଦକ ରାମାଶିଷ ହାଜରା, ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଂଜନ ମହାନ୍ତି, ପରୀକ୍ଷା କମିଟିର ସଦସ୍ୟ ତଥା ଅନ୍ୟ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ପରୀକ୍ଷାଫଳ ସଂପର୍କରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ପାତ୍ର ପରୋକ୍ଷରେ ପୂର୍ବରୁ କପି ହେବା ଘଟଣାକୁ ସ୍ୱୀକାର କରିଥିଲେ। ଶ୍ରୀ ପାତ୍ର କହିଥିଲେ ଯେ ଗଲା କିଛି ବର୍ଷ ହେଲା ନିଜ ସ୍କୁଲ୍ରେ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ଆସୁଥିବା ବେଳେ ପାସ୍ହାର ଅଧିକ ରହୁଥିଲା। କିନ୍ତୁ ଚଳିତ ବର୍ଷ ଅନ୍ୟ ସ୍କୁଲ୍ରେ ପରୀକ୍ଷା କେନ୍ଦ୍ର ବ୍ୟବସ୍ଥା ହୋଇଥିବାରୁ ପାସ୍ହାର ହ୍ରାସ ପାଇଥିଲେ ବି ପରୀକ୍ଷାଫଳ ସନ୍ତୋଷଜନକ ହୋଇଛି ବୋଲି ଗ୍ରହଣ କରିବାକୁ ପଡ଼ିବ। କପି ଉପରେ ଅଙ୍କୁଶ ଲାଗି ପାରିଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ପରୀକ୍ଷା ସମୟରେ ପ୍ରଶ୍ନପତ୍ର ଭାଇରାଲ୍ କରି ବିଭ୍ରାନ୍ତ ସୃଷ୍ଟି କରିବାକୁ ଉଦ୍ୟମ ହୋଇଥିଲା। କିନ୍ତୁ ତାହା ପରୀକ୍ଷା ପ୍ରକ୍ରିୟାରେ କୌଣସି ପ୍ରଭାବ ପକାଇ ପାରି ନାହିଁ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ସ୍ପଷ୍ଟ କରିଛନ୍ତି।
ବୋର୍ଡ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଚଳିତ ବର୍ଷ ୫ଲକ୍ଷ ୯୦ହଜାର ୩୬୦ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପଞ୍ଜୀକରଣ କରିଥିବା ବେଳେ ୫ ଲକ୍ଷ ୭୬ ହଜାର ୩୯୬ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୫ଲକ୍ଷ ୭୫ ହଜାର ୬୫ଜଣଙ୍କ ପରୀକ୍ଷାଫଳ ପ୍ରକାଶ ପାଇଛି। ପରୀକ୍ଷାରେ କପି କରି ଧରା ପଡ଼ିଥିବା ୧୦୩୨ ଜଣ ମାଲ୍ପ୍ରାକ୍ଟିସ୍ ହୋଇଥିବା ବେଳେ ମାତ୍ର ଜଣଙ୍କର ପରୀକ୍ଷାଫଳ ସ୍ଥଗିତ ରହିଛି। ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪ ଲକ୍ଷ ୩୮ ହଜାର ୩୪୮ଜଣ ପାସ୍ କରିଥିବା ବେଳେ ୧ ଲକ୍ଷ ୩୬ ହଜାର ୭୧୭ ଜଣ ଫେଲ୍ ହୋଇଛନ୍ତି। ପାସ୍ କରିଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଛାତ୍ରଙ୍କ ସଂଖ୍ୟା ୨ ଲକ୍ଷ ୧୬ ହଜାର ୩୦୫ ହୋଇଥିବା ବେଳେ ଛାତ୍ରୀଙ୍କ ସଂଖ୍ୟା ରହିଛି ୨ ଲକ୍ଷ ୨୨ ହଜାର ୪୩। ଚଳିତ ବର୍ଷ ୧୭୧୫ଜଣ ଏ-୧ ଗ୍ରେଡ୍ରେ, ୧୫ ହଜାର ୬୮୯ଜଣ ଏ-୨ରେ, ୩୯ ହଜାର ୨୫୨ ଜଣ ବି-୧ରେ, ୬୮ହଜାର ୯ଜଣ ବି-୨ରେ, ୯୮ହଜାର ୯୪୭ଜଣ ସି’ରେ, ୧ ଲକ୍ଷ ୨୭ ହଜାର ୨୪୩ ଜଣ ଡି’ରେ, ୮୭ହଜାର ୨୭୯ଜଣ ଇ’ରେ ପାସ୍ କରିଥିବା ବେଳେ ୧ଲକ୍ଷ ୩୬ହଜାର ୭୧୭ଜଣ ଫେଲ୍ (ଏଫ୍ ଗ୍ରେଡ୍) ହୋଇଛନ୍ତି। ସେହିଭଳି ୨୧୪ ଜଣ ଛାତ୍ରଛାତ୍ରୀ କମ୍ପାର୍ଟମେଣ୍ଟାଲରେ ରହିଥିବା ବେଳେ ୧ଲକ୍ଷ ୨୪ହଜାର ୬୬୫ଜଣ ଛାତ୍ରଛାତ୍ରୀ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ୬୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ପିଲାଙ୍କ ସଂଖ୍ୟା ରହିଛି ୨୮.୪୪ ପ୍ରତିଶତ। ଚଳିତ ବର୍ଷ ରାଜ୍ୟର ୪୨୯ଟି ସ୍କୁଲରେ ପାସ୍ହାର ଶହେ ପ୍ରତିଶତ ରହିଥିବା ବେଳେ ୩୬ଟି ସ୍କୁଲ୍ରେ କେହି ପାସ୍ କରିନଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। କେହି ପାସ୍ କରି ନଥିବା ସ୍କୁଲ୍ର ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ଏଥିପାଇଁ ଉତ୍ତରଦାୟୀ କରାଯିବ। ଆସନ୍ତା ବର୍ଷ ଯେଭଳି ଏହାର ପୁନରାବୃତ୍ତି ନହୁଏ ସେଥିପାଇଁ ‘ଉତ୍କର୍ଷ’ ଯୋଜନାରେ ସେମାନଙ୍କୁ ସାମିଲ କରାଯିବ ବୋଲି ସଚିବ ପ୍ରଦୀପ ମହାପାତ୍ର କହିଛନ୍ତି।
ଅନ୍ୟପକ୍ଷରେ ଜିଲ୍ଲା ଭିତ୍ତିରେ ପାସ୍ହାର ଦୃଷ୍ଟିରୁ ଚଳିତ ବର୍ଷ ସବୁଠୁ ଆଗରେ ରହିଛି ବାଲେଶ୍ୱର ଜିଲ୍ଲା। ବାଲେଶ୍ୱର ଜିଲ୍ଲାରେ ପାସ୍ହାର ୮୮.୧୫ ପ୍ରତିଶତ ରହିଥିବା ବେଳେ ତା’ ପରକୁ ଝାରସୁଗୁଡ଼ାରେ ପାସ୍ହାର ରହିଛି ୮୬.୨୫ ପ୍ରତିଶତ ଏବଂ ନବରଙ୍ଗପୁର ଜିଲ୍ଲାରେ ପାସ୍ହାର ରହିଛି ୮୫.୫୧ ପ୍ରତିଶତ। ମାଲକାନାଗିରି ଜିଲ୍ଲାରେ ସବୁଠୁ କମ୍ ପାସ୍ହାର ୫୯.୩୨ ପ୍ରତିଶତ ରହିଛି। ଏ-୧ ଗ୍ରେଡ୍ରେ ପାସ୍ ସଂଖ୍ୟା ଦୃଷ୍ଟିରୁ ସବୁଠୁ ଆଗରେ ଖୋର୍ଦ୍ଧା ଜିଲ୍ଲା ରହିଛି। ଖୋର୍ଦ୍ଧା ଜିଲ୍ଲାରେ ୨୧୩ ଜଣ ଛାତ୍ରଛାତ୍ରୀ ଏ-୧ ଗ୍ରେଡରେ ପାସ୍ କରିଥିବା ବେଳେ ବାଲେଶ୍ୱର ଜିଲ୍ଲାରେ ୧୯୦ ଜଣ ଏବଂ କଟକ ଜିଲ୍ଲାରେ ୧୭୯ ଜଣ ଏ-୧ ଗ୍ରେଡରେ ପାସ୍ କରିଛନ୍ତି। ଗଜପତି ଜିଲ୍ଲାରେ କେହି ଜଣେ ବି ଏ-୧ ଗ୍ରେଡ ପାଇ ନାହାନ୍ତି। ନୂଆପଡ଼ାରେ ୩ ଜଣ ଏବଂ ବୌଦ୍ଧ ଓ ନବରଙ୍ଗପୁରରେ ୫ ଜଣ ଲେଖାଏଁ ଛାତ୍ରଛାତ୍ରୀ ଏ-୧ ଗ୍ରେଡରେ ପାସ୍ କରିଛନ୍ତି।
ଆଜି ବୋର୍ଡ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ୍ ଓ ମାର୍କସିଟ୍ ମେ’ ୨୨ ତାରିଖ ସୁଦ୍ଧା ସ୍କୁଲ୍ରେ ପହଞ୍ଚିବ। ଅନ୍ୟପଟେ ଆସନ୍ତାକାଲିଠାରୁ ରିଚେକିଂ ପାଇଁ ଅନଲାଇନ୍ରେ ଅଭିଯୋଗ ଗ୍ରହଣ କରାଯିବ। ମେ’ ୧୦ ତାରିଖ ପର୍ଯ୍ୟନ୍ତ ଅଭିଯୋଗ ଗ୍ରହଣ କରାଯିବ। www.bseodisha.ac.inରେ ଅଭିଯୋଗ ଗ୍ରହଣ କରାଯିବ। ସେହିଭଳି ସପ୍ଲିମେଣ୍ଟାରି ପରୀକ୍ଷା ଜୁନ୍ ୨୨ ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ ଏଥିପାଇଁ ଫର୍ମ ପୂରଣ ମେ’ ୨୫ରୁ ୩୧ ତାରିଖ ପର୍ଯ୍ୟନ୍ତ କରାଯିବ ବୋଲି ବୋର୍ଡ ସଭାପତି ଡକ୍ଟର ଜାହାନ୍ ଆରା ବେଗମ୍ କହିଛନ୍ତି।
ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଫେବ୍ରୁଆରି ୨୩ରୁ ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ମାଟିି୍ରକ ପରୀକ୍ଷା ୨୮୧୮ଟି କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। ମାର୍ଚ୍ଚ ୨୦ରୁ ଏପ୍ରିଲ୍ ୪ ତାରିଖ ପର୍ଯ୍ୟନ୍ତ ୫୭ଟି କେନ୍ଦ୍ରରେ ପରୀକ୍ଷା ଖାତା ଦେଖା ଯାଇଥିଲା।