ଭାରତରେ ହେଉଛି ୪୦ ପ୍ରତିଶତ ବାଲ୍ୟ ବିବାହ

ଆଞ୍ଚଳିକ ସମ୍ମିଳନୀରେ ତଥ୍ୟ

ଭୁବନେଶ୍ୱର : ବିଶ୍ୱରେ ଯେତିକି ସଂଖ୍ୟକ ବାଲ୍ୟ ବିବାହ ହେଉଛି ତାହାର ୪୦ପ୍ରତିଶତ ହେଉଛି ଭାରତରେ। ଦକ୍ଷିଣ ଏସିଆ, ଆଫ୍ରିକା ଓ ଲାଟିନ୍‌ ଆମେରିକାରେ ଆଜି ବି ବାଲ୍ୟ ବିବାହ ଅନୁଷ୍ଠିତ ହେଉଛି। ଓଡ଼ିଶାରେ ମଧ୍ୟ ବାଲ୍ୟ ବିବାହ ସ୍ଥିତି ଗମ୍ଭୀର। ଦେଶର ଯେଉଁ ୬ଟି ରାଜ୍ୟରେ ଅଧିକ ସଂଖ୍ୟକ ବାଲ୍ୟ ବିବାହ ହେଉଛି ତହିଁରେ ଓଡ଼ିଶା ରହିଛି। ୨୦୧୬ ମସିହାରେ ବାଲ୍ୟ ବିବାହ ସଂପର୍କିତ ମାତ୍ର ୩୨୬ଟି ମାମଲା ରୁଜୁ ହୋଇଛି। ତେଣୁ ବାଲ୍ୟ ବିବାହ ରୋକିବା ଦିଗରେ ଏନ୍‌ଜିଓ, ସାମାଜିକ ସଂଗଠନ ସହିତ ଅଧିକ ସଂଖ୍ୟାରେ ବାଲ୍ୟ ବିବାହ ନିରୋଧୀ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଉ ବୋଲି କହିଛନ୍ତି ଜାତୀୟ ମାନବାଧିକାର କମିସନର ସଦସ୍ୟ ଏସ୍‌ ସି ସିହ୍ନା।

ଆଜି ଏନ୍‌ଏଚ୍‌ଆରସି, ମହିଳା ଓ ଶିଶୁ ବିକାଶ ବିଭାଗ ଓ ମିସନ ଶକ୍ତି ସହାୟତାରେ ବାଲ୍ୟ ବିବାହ ସଂପର୍କିତ ଆଞ୍ଚଳିକ ସମ୍ମିଳନୀ ରାଜ୍ୟ ଅତିଥି ଭବନରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥିଭାବେ ଯୋଗଦେଇ ଶ୍ରୀ ସିହ୍ନା କହିଲେ, ମାଧ୍ୟମିକ ଶିକ୍ଷା ପରେ ବାଳିକାମାନେ ଅଧିକ ସଂଖ୍ୟାରେ ସ୍କୁଲ ଛାଡ଼ୁଛନ୍ତି। ତେଣୁ ସେମାନଙ୍କୁ କିଭଳି ଉଚ୍ଚ ଶିକ୍ଷା ମିଳିବ ତାହା ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ଏହାସହ ଦକ୍ଷତା ବିକାଶ ପାଇଁ ତାଲିମ୍‌ ମଧ୍ୟ ଜରୁରୀ। ନାବାଳିକା ବିବାହ କରିବା ଫଳରେ ଶିକ୍ଷାରୁ ବଞ୍ଚିତ ହେବା ସହିତ ସ୍ୱାସ୍ଥ୍ୟଗତ ସମସ୍ୟା, ଘରୋଇ ହିଂସା ଓ ପ୍ରସବଜନିତ ସମସ୍ୟାର ସମ୍ମୁଖୀନ ହୋଇଥାଏ। ଏପରିକି ଅନେକ ଶିକ୍ଷିତ ପରିବାରରେ ମଧ୍ୟ ଝିଅଙ୍କୁ ଏକ ବୋଝ ଭାବେ ଦେଖା ଯାଉଛି। ବାଲ୍ୟ ବିବାହ ରୋକିବା ପାଇଁ ପୂର୍ବରୁ ଅନେକ ପଦକ୍ଷେପ ନିଆଯାଇଥିଲେ ହେଁ ତାହାର ପ୍ରଭାବ ଦେଖିବାକୁ ମିଳିନାହିଁ। ଶିକ୍ଷକ, ଧାର୍ମିକ ଅନୁଷ୍ଠାନ ଓ ରାଜନୈତିକ ବ୍ୟକ୍ତିଙ୍କ ପକ୍ଷରୁ ଯଥେଷ୍ଟ ପଦକ୍ଷେପ ନିଆଯାଇ ନାହିଁ। ଏହାକୁ ରୋକିବାକୁ ହେଲେ ବ୍ୟାପକ ରଣନୀତିର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ଏନ୍‌ଏଚ୍‌ଆରସିର ମହାସଚିବ ଅମ୍ବୁଜ ଶର୍ମା କହିଲେ, ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ-୪ରେ ୨୦ରୁ ୨୪ବର୍ଷର ୨୬.୮ ପ୍ରତିଶତ ବାଳିକ ୧୮ବର୍ଷ ହେବା ପୂର୍ବରୁ ବିବାହ କରୁଛନ୍ତି। ବାଲ୍ୟ ବିବାହ ରୋକିବା ପାଇଁ ଆଇନ ରହିଥିଲେ ହେଁ ଏଥିରେ ବହୁତ କମ୍‌ ସଂଖ୍ୟକ ମାମଲା ରୁଜୁ ହେଉଛି। ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମଧ୍ୟ ଏଥିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ ବୋଲି ଶ୍ରୀ ଶର୍ମା ମତବ୍ୟକ୍ତ କରିଥିଲେ।

ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଲେ, ବାଲ୍ୟ ବିବାହରେ ଜାତୀୟ ହାର ୨୬ ପ୍ରତିଶତ ରହିଥିବା ବେଳେ ଓଡ଼ିଶାରେ ଏହା ୨୧.୩ ପ୍ରତିଶତ ରହିଛି। ବିଶେଷକରି ମାଲକାନାଗିରି, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାରେ ଏହି ସଂଖ୍ୟା ଯଥେଷ୍ଟ ଅଧିକ। ବାଲ୍ୟ ବିବାହ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି। ଆଦିବାସୀ ଜିଲ୍ଲାଗୁଡ଼ିକରେ ବାଳିକା ହଷ୍ଟେଲ ନିର୍ମାଣ କରାଯାଇଛି, ତହିଁରେ ୫ଲକ୍ଷ ବାଳିକା ରହୁଛନ୍ତି। ସେହିପରି ୯ମ ଶ୍ରେଣୀ ଛାତ୍ରୀଙ୍କ ପାଇଁ ସାଇକେଲ ଯୋଜନା, ୧୯ବର୍ଷରୁ ଅଧିକ ମହିଳାଙ୍କ ପାଇଁ ମମତା ଯୋଜନା, ଆଇଟିଆଇରେ ୫୦ପ୍ରତିଶତ ସ୍ଥାନ ସଂରକ୍ଷିତ ରଖାଯାଇଛି। ନିଯୁକ୍ତି କ୍ଷେତ୍ରରେ ମଧ୍ୟ ୩୦ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଜାରି ରହିଛି ବୋଲି ଶ୍ରୀ ପାଢ଼ୀ କହିଥିଲେ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ(ଗୃହ) ଅସିତ ତ୍ରିପାଠୀ କହିଲେ, ରାଜ୍ୟର ପ୍ରତ୍ୟେକ ଥାନାରେ ମହିଳା ଓ ଶିଶୁ ଡେସ୍କ କାର୍ଯ୍ୟ କରୁଛି। ଏହାସହ ଆତିଥ୍ୟ କାଉଣ୍ଟର ମଧ୍ୟ ରହିଛି। ୩୭ଟି ଇଣ୍ଟିଗ୍ରେଟେଡ ମାନବ ଚାଲାଣ ୟୁନିଟ୍‌ କାର୍ଯ୍ୟ କରୁଛି। ବିଶେଷକରି ମହିଳା ଓ ଶିଶୁଙ୍କ ଚାଲାଣ ଉପରେ ଏହା ଗୁରୁତ୍ୱ ଦେଉଛି। ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲା କ୍ରାଇମବ୍ରାଞ୍ଚ କାର୍ଯ୍ୟ କରୁଛି ବୋଲି ଶ୍ରୀ ତ୍ରିପାଠୀ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଦକ୍ଷିଣ ଏସିଆର ଶିଶୁ ନିରୋଧୀ ହିଂସାର ରୋକିବା ପଦକ୍ଷେପ କାର୍ଯ୍ୟକ୍ରମର ମହାସଚିବ ରିଞ୍ଚେନ୍‌ ଚୋପେଲ, ରଜିଆ ସୁଲତାନା, ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ଚିତ୍ରା ଅରୁମୁଗମ୍‌ ପ୍ରମୁଖ ଉପସ୍ଥିତ ଥିଲେ। ଏନ୍‌ଏଚ୍‌ଆରସିର ଯୁଗ୍ମ ନିର୍ଦେଶକ(ଗବେଷଣା) ଏମ୍‌ଡିଏସ୍‌ ତ୍ୟାଗୀ ଧନ୍ୟବାଦ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର