ଚିଲିକାରେ ସି ପ୍ଲେନ୍‌ ଉଡ଼ାଣକୁ ସିଡିଏର ନା

ଜୈବ ବିବିଧତା, ବିଦେଶୀ ପକ୍ଷୀ, ସ୍ଥାନୀୟ ଲୋକଙ୍କ ଉପରେ ପ୍ରଭାବ ପଡ଼ିବ

ଭୁବନେଶ୍ୱର : ଚିଲିକାରେ ଓ୍ଵାଟର ଏରୋଡ୍ରମ ନିର୍ମାଣ କି ସି-ପ୍ଲେନ୍‌ ଉଡ଼ାଣ ହୋଇପାରିବନି ବୋଲି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ଆଜି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଛି। ସିଡିଏ ମୁଖ୍ୟ କାର୍ଯ୍ୟନିର୍ବାହୀ ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ସଚିବଙ୍କୁ ଚିଠି ଲେଖି ଏହି ପ୍ରକଳ୍ପ ବିପକ୍ଷରେ ମତ ଦେଇଛନ୍ତି। ଚିଲିକାରେ ସି-ପ୍ଲେନ୍‌ ଉଡ଼ାଣ କାହିଁକି ସମ୍ଭବ ନୁହେଁ, ଏହାଦ୍ୱାରା କ’ଣ କ’ଣ କୁପ୍ରଭାବ ପଡ଼ିବ ସେନେଇ ସବିଶେଷ ରିପୋର୍ଟ ପ୍ରଦାନ କରିଛନ୍ତି।

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଚିଲିକାରେ ଓ୍ଵାଟର ଏରୋଡ୍ରମ ପ୍ରସ୍ତାବକୁ ଅନୁମୋଦନ କରିଥିବାବେଳେ ସିଡିଏର ନକରାତ୍ମକ ରିପୋର୍ଟ ଏହା ଉପରେ ପ୍ରଭାବ ପକାଇବ ବୋଲି କୁହାଯାଉଛି। ଚିଲିକାରେ ଓ୍ଵାଟର ଏରୋଡ୍ରମ ନିର୍ମାଣ ହେଲେ ଏହାର ଜୈବ ବିବିଧତା, ଚିଲିକାକୁ ପ୍ରତିବର୍ଷ ଆସୁଥିବା ଲକ୍ଷ ଲକ୍ଷ ବିଦେଶୀ ପକ୍ଷୀ ଏବଂ ସ୍ଥାନୀୟ ବାସିନ୍ଦା ପ୍ରଭାବିତ ହେବାକୁ ଥିବାରୁ ଏଠାରେ ସି ପ୍ଲେନ୍‌ ଉଡ଼ାଣ କରିବା ସମ୍ଭବ ନୁହେଁ ବୋଲି କୁହାଯାଇଛି।

ସିଡିଏ କର୍ତ୍ତୃପକ୍ଷ ରିପୋର୍ଟରେ ଦର୍ଶାଇଛନ୍ତି ଯେ, ଚିଲିକାରେ ବିଶ୍ୱର ସବୁଠୁ ଅଧିକ ଇରଓ୍ଵାଡି ଡଲଫିନ୍‌ ଏଠାରେ ଦେଖାଯାଆନ୍ତି। ବିଶେଷତଃ ଚିଲିକାର ଆଉଟର ଚ୍ୟାନେଲ୍‌, ଦକ୍ଷିଣ ଦିଗରେ ଅଧିକ ଡଲଫିନ୍‌ ଦେଖାଯାଆନ୍ତି। ଏବେ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କରିବା ପରେ ଉତ୍ତର ଦିଗରେ ବି ଡଲଫିନ୍‌ ଚଳପ୍ରଚଳ କରୁଛନ୍ତି। ଏଠାରେ ମୋଟ୍‌ ୧୫୫ଟି ଇରଓ୍ଵାଡି ଡଲଫିନ୍‌ ଥିବାବେଳେ ଭାରତୀୟ ବନ୍ୟଜନ୍ତୁ (ସୁରକ୍ଷା) ଆଇନ ୧୯୭୨ ଅନୁଯାୟୀ ସୁରକ୍ଷା ଯୋଗାଯାଉଛି। ୧୦୦ ଡେସିବେଲ୍‌ରୁ ଅଧିକ ଶବ୍ଦ ହେଲେ ସେମାନଙ୍କ ଉପରେ ପ୍ରଭାବ ପଡ଼ିବାର ଆଶଙ୍କା ଅଛି।

ସେହିପରି ଚିଲିକାରୁ ବାର୍ଷିକ ୧୪ହଜାର ମେଟ୍ରିକ ଟନ୍‌ ମାଛ ଉତ୍ପାଦନ ହେଉଥିବାବେଳେ ଏହା ଉପରେ ୨ଲକ୍ଷ ମତ୍ସ୍ୟଜୀବୀ ପରିବାର ନିର୍ଭର କରୁଛନ୍ତି। ବିମାନର ଅବତରଣ ଏବଂ ଉଡ଼ାଣ ସମୟରେ ସୃଷ୍ଟି ହେବାକୁ ଥିବା କମ୍ପନ ଦ୍ୱାରା ମାଛମାନଙ୍କର ପ୍ରଜନନ କ୍ଷମତା ଉପରେ ପ୍ରଭାବ ପକାଇବ।

ଏହାସହ ଚିଲିକାକୁ ୩୩୫ ପ୍ରଜାତିର ମାଛ, ୨୩୫ ପ୍ରଜାତିର ପକ୍ଷୀ, ୭୨୯ ପ୍ରଜାତିର ବୃକ୍ଷ ଓ ଗୁଳ୍ମ, ୩୦ ପ୍ରଜାତିର ସରୀସୃପ ରହୁଥିବାରୁ ଏହାର ଜୈବ ବିବିଧତା ଉପରେ ଘୋର୍‌ ପ୍ରଭାବ ପଡ଼ିବ। ବିମାନ ଉଡ଼ାଣ ଏବଂ ଶବ୍ଦ ଯୋଗୁଁ ବିଭିନ୍ନ ପ୍ରଜାତିର ମାଛ ଓ ପକ୍ଷୀ ପ୍ରଭାବିତ ହେବେ।

ସିଡିଏ ଏହି ସବୁ କାରଣ ଦର୍ଶାଇଥିବାରୁ ଚିଲିକାରେ ଓ୍ଵାଟର ଏରୋଡ୍ରମ ନିର୍ମାଣ କରିବା ଏକପ୍ରକାରର ଅସମ୍ଭବ ବୋଲି କୁହାଯାଉଛି। ଅପରପକ୍ଷେ ବିଜେଡିର କେତେକ ବିଧାୟକ ଏହି ଯୋଜନାକୁ ଖୋଲାଖୋଲି ବିରୋଧ କରିଥିବାରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୋଜନା ଏବେ ଅନିଶ୍ଚିତତାକୁ ଠେଲି ହୋଇଯାଇଛି।

ସମ୍ବନ୍ଧିତ ଖବର